
ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ ଗ୍ରାମ ସମ୍ମୁଖରେ ପ୍ରବାହିତ ବାସୁକୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି। କୋରାପୁଟ ଜିଲାପାଳଙ୍କ ପ୍ରସ୍ତାବ ମୁତାବକ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷ ୨୦୨୬-୨୭ ସେତୁ ବର୍ଦ୍ଧନ ଯୋଜନାରେ ସାମିଲ କରି ବାସୁକୀ ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ମଞ୍ଜୁରୀ କରିଛନ୍ତି। ବିଭାଗୀୟ ସ୍ବତନ୍ତ୍ର ସଚିବ ସର୍ବେଶ୍ୱର ସିଂଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୮୫୪୧୬୦୦୫୫୨୦୨୬/ଆରଡି ତା ୧୨.୩.୨୬ ପ୍ରକାରେ ରାଜ୍ୟର ୫୬ଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଉକ୍ତ ଚିଠିର ୩୮ ନଂ କ୍ରମାଙ୍କରେ ଦେଷଣ୍ଢଗୁଡ଼ା ଗ୍ରାମବାସୀଙ୍କ ଦୁଃଖ ବାସୁକୀ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ମଞ୍ଜୁରୀନାମା ମିଳିଥିବା ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଓ ନିର୍ମାଣକାରୀ ସଂସ୍ଥା ସୁନାବେଡ଼ା ଆରଡି ଡିଭିଜନ ଯନ୍ତ୍ରୀ ଜୟନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଯାହାକୁ ଶୁଣି ଦେବଷଣ୍ଢଗୁଡ଼ା ବାସିନ୍ଦା ସଦା ଖରା, ପୂର୍ଣ୍ଣ ଖରା, ସୁରେନ୍ଦ୍ର ଖରା, ଧବୁଲୁ ପାଙ୍ଗି, ସାଧୁ ଖରା, ନରି ଖରା, ରାସୁ ଖରା, ନରି ଖରା ପ୍ରମୁଖଙ୍କ ସମେତ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ଚେଟି, ସମିତିସଭ୍ୟ ବବି ଖିଲ ଜିଲାପାଳଙ୍କ ଗସ୍ତ ବେଳେ ଉପସ୍ଥିତ ଲକ୍ଷ୍ମଣ ଖରା ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି।
ଜିଲାପାଳ ଅନ୍ୟ ଅଧିକାରୀମାନଙ୍କ ସହ ନଦୀପାର ହୋଇ ଗାଁକୁ ଚାଲି ଚାଲି ଆସିବା ଓ ସେମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସମସ୍ତ ସମସ୍ୟା ବୁଝିବା ସେମାନଙ୍କ ପାଇଁ ସ୍ବପ୍ନ ଥିଲା ବୋଲି କହିଛନ୍ତି। ଗତ ବିଧାନସଭା ନିର୍ବାଚନ ବେଳେ ଗାଁକୁ ପୋଲ ଓ ରାସ୍ତା ନିର୍ମାଣ ଦାବି କରି ଗ୍ରାମର ୯୫ ଭୋଟର ଭୋଟ ବର୍ଜନ କରିଥିଲେ। ସେଭଳି ଘଟଣା ଆଗାମୀ ନିର୍ବାଚନରେ ଆଉ ଘଟିବ ନାହିଁ ବୋଲି ଗ୍ରାମବାସୀ ମଧ୍ୟ ପ୍ରତିଶ୍ରୁତି ଦେବା ସହ ପୋଲ ନିର୍ମାଣ ହେଲେ ବାସୁକୀ ନଦୀ ପାର ହେବାକୁ ଆଉ ଗ୍ରାମର ମହିଳା/ପୁରୁଷ, ଛାତ୍ରୀଛାତ୍ରଙ୍କ ମାନବ ଶୃଙ୍ଖଳ ଲାଗିବନି ବୋଲି ମତପ୍ରକାଶ କରିଛନ୍ତି।
ସୌଜନ୍ୟ ଧରିତ୍ରୀ




