ରାଜ୍ୟ

ଜଗନ୍ନାଥଙ୍କ ଟାହିଆ କେମିତି ଖସିଲା? ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୧୮।୭ (ସୁନିତ୍‌ ମିଶ୍ର): ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ବିନା ଟାହିଆରେ ମହାପ୍ରଭୁ ବିଜେକରିବା ଓ ବାଇଶି ପାହାଚରେ ୪୦ ମିନିଟ୍‌ରୁ ଅଧିକ ସମୟ ଅଟକି ରହିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି। ରଥଯାତ୍ରା ପରିଚାଳନାରେ ସରକାରଙ୍କ ବ୍ୟାପକ ତ୍ରୁଟି ଯୋଗୁ ଦଳାଚକଟାରେ ଅକାଳରେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା। ଜଗନ୍ନାଥଙ୍କୁ କାହିଁକି ଶ୍ରୀହୀନ ହେବାକୁ ପଡ଼ିଲା ବୋଲି ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଶଙ୍ଖ ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରଥଯାତ୍ରାରେ ହୋଇଥିବା ଅଘଟଣ ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି। ପହଣ୍ଡି ବିଜେ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ନ ଥିଲା। ଟାହିଆ ବର୍ଷାରେ ଓଦାହୋଇ ଖସିଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ଟାହିଆ ବର୍ଷାରେ ଖସି ନ ଥିଲା। ତେଣୁ ଟାହିଆ କିପରି ଖସିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟିକରିଛି। କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା ଟାହିଆରେ ରଥ ଉପରକୁ ବିଜେ କରିଲେ। ରାଜ୍ୟ ସରକାର ନିଜ ଭୁଲ୍‌ ପାଇଁ ବହୁ କୋଟି ଓଡ଼ିଆଙ୍କ ପାଖରେ ଭୁଲ୍‌ ମାଗନ୍ତୁ ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ସ୍ନାନପୂର୍ଣ୍ଣିମାରୁ ହିଁ ମହାପ୍ରଭୁଙ୍କ ରୀତିନୀତିରେ ବିଭ୍ରାଟ ଦେଖିବାକୁ ମିଳିଥିଲା। ଶତାବ୍ଦୀ ଧରି ଚାଲିଆସୁଥିବା ପରମ୍ପରାକୁ ଭାଙ୍ଗିଦିଆଯାଇଛି। ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପରିଚାଳନାଗତ ତ୍ରୁଟି ସକାଶେ ଭକ୍ତଙ୍କ ଜୀବନ ଯାଇଛି। ପୂର୍ବବର୍ଷ ତୁଳନାରେ ଭକ୍ତଙ୍କ ସଂଖ୍ୟା କମ୍‌ ଥିବା ସତ୍ତ୍ୱେ ପୋଲିସ ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିପାରିଲା ନାହିଁ। ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ରଥଯାତ୍ରାକୁ ସୁପରିଚାଳନା ପାଇଁ ଘନ ଘନ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ରଥଯାତ୍ରା ବେଳେ ବ୍ୟାପକ ସମନ୍ବୟର ଅଭାବ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମହାପ୍ରଭୁ ବାହାରକୁ ବାହାରିବାରେ ବହୁ ଘଣ୍ଟା ଲାଗିଛି। ଭକ୍ତି ଗୋଟେ ଅଲଗା ଜିନିଷ, ଯାତ୍ରା ଦେଖିବା ଆଉ ଗୋଟେ ଜିନିଷ। ଭାଜପା ଭାଇମାନେ ଯେମିତି ୧୦୦ ବର୍ଷ, ୨୦୦ ବର୍ଷର ଉତ୍ସବ ପାଳନ କରନ୍ତି, ରଥଯାତ୍ରାକୁ ସେମିତି ଭାବିଛନ୍ତି। ଲୋକଙ୍କ ଜୀବନ ସହ ଖେଳି ଅନ୍ୟାୟ, ଅଧର୍ମ ରାସ୍ତାରେ ଯାଇ ଏମାନେ ଭଗବାନଙ୍କ ଠିକାଦାର ହୋଇଥିଲେ। ଆଗରୁ ରାମ ଭଗବାନଙ୍କର ଥିଲେ, ଏବେ ମହାପ୍ରଭୁଙ୍କ ଠିକାଦାର ଭଳିଆ ବ୍ୟବହାର କରୁଛନ୍ତି। ଲୋକଙ୍କ ସ୍ବାଭିମାନର ସମ୍ରାଟ ହେଉଛନ୍ତି ଶ୍ରୀଜଗନ୍ନାଥ। ବିନା ମୁକୁଟରେ କ’ଣ ଜଣେ ସମ୍ରାଟ ହୋଇପାରିବ। ଶ୍ରୀଜଗନ୍ନାଥ ବିନା ଟାହିଆରେ ଭଲ ଲାଗୁ ନ ଥିଲେ। ଖାଲି ପଣ ପଣ ନେତା ଯାଇ ସେଠାରେ ଥାଆନ୍ତି। ବ୍ରାହ୍ମଣ ବେଶରେ ଏବିଭିପି, ବିଶ୍ୱ ହିନ୍ଦୁ ପରିଷଦର ଲୋକମାନେ ସେଠାରେ ପହଞ୍ଚିଯାଇଥିଲେ ବୋଲି ଭକ୍ତ କହିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button