ଜେଲରେ ଇମ୍ରାନ ଜୀବିତ ରହିବା ନେଇ ପୁଅଙ୍କ ଆଶଙ୍କା

ଇସ୍ଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲ୍ରେ ବନ୍ଦୀ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଅବନତି ହେବାରୁ ସେ ଜୀବିତ ରହିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ତାଙ୍କ ପୁଅ। ଏକ ଅନ୍ଲାଇନ ପ୍ରେସ୍ କନଫରେନ୍ସରେ ଇମ୍ରାନଙ୍କ ପୁଅ ସୁଲେମାନ ଓ କାସିମ ଖାନ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଛନ୍ତି। ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇବା ଏବଂ ପରିବାର ସହ ନିୟମିତ ଭେଟ ପାଇଁ ଅନୁମତି ଦେଇଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରୁ ନାହାନ୍ତି।
୭୩ ବର୍ଷୀୟ ଇମ୍ରାନ ଖାନଙ୍କୁ ଏକାନ୍ତ କୋଠରିରେ ରଖାଯାଇଥିବାବେଳେ ତାଙ୍କ ଆଇନଜୀବୀ ଜାରେଡ୍ ଗେନସର୍ ଏହି ଜେଲ୍ ପରିସ୍ଥିତି ତାଙ୍କୁ ଧୀରେ ଧୀରେ ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି। ୧.୮ ମିଟର ଓ ୨.୪ ମିଟର ଆକାରର ଏକ କୋଠରିରେ ଦିନର ୨୩ ଘଣ୍ଟା ତାଙ୍କୁ ପ୍ରାକୃତିକ ଆଲୋକ ବିନା ରଖାଯାଉଛି। ଆଖି ସମସ୍ୟା ସମେତ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଇସଲାମାବାଦର ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ; ମାତ୍ର କର୍ତ୍ତୃପକ୍ଷ ତାଙ୍କୁ ଗୋପନୀୟ ଭାବେ ଏକ ସରକାରୀ ହସ୍ପିଟାଲକୁ ନେଇଥିଲେ ଏବଂ ସେ ସୁସ୍ଥ ଥିବା ଦର୍ଶାଇଥିଲେ।
ଅନ୍ୟପକ୍ଷରେ ପାକିସ୍ତାନ ସରକାର ଇମ୍ରାନଙ୍କୁ ଏକାନ୍ତ କୋଠରିରେ ରଖାଯାଇ ନଥିବା କିମ୍ବା ପରିବାର ସହ ଭେଟ କରାଇବାରେ କଟକଣା ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ତାଙ୍କୁ ସ୍ତ୍ରୀ ବୁସ୍ରା ବିବି ଏବଂ ଭଉଣୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ତେବେ ଇମ୍ରାନଙ୍କ ପୁଅମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଶେଷଥର ପାଇଁ ୨୦୨୨ ନଭେମ୍ବରରେ ଇମ୍ରାନଙ୍କୁ ଦେଖିଥିଲେ।
ସୌଜନ୍ୟ ସମାଜ




