ଡିଜିପି ମନୋନୟନ ମାମଲାରେ ଅତିରିକ୍ତ ସତ୍ୟପାଠ;ତଥ୍ୟ ଲୁଚାଇଛନ୍ତି ସରକାର,ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ପୁଲିସ ମୁଖିଆ ମନୋନୟନ ମାମଲାରେ ଓଡ଼ିଶା ସରକାରଙ୍କ ଜବାବରେ ତଥ୍ୟ ଲୁଚାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଚିଠିର ନକଲ ସଂଲଗ୍ନ କରାନଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ପୂର୍ବରୁ ରବିବାର ସନ୍ଧ୍ୟାରେ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜବାବର ତଥ୍ୟାବଳୀ ଉପରେ ପ୍ରଶ୍ନ କରାଯାଇଛି। ଆବେଦନକାରୀଙ୍କ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି ଯେ ଓଡ଼ିଶା ସରକାରଙ୍କ ଜବାବରେ ଯଦିଓ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ଡିଜିପି ନିଯୁକ୍ତି ସମ୍ପର୍କିତ ୨୦୨୬ ଫ୍ରେବୃଆରୀ ୯ ଚିଠି ବିଷୟ ଉଲ୍ଲେଖ ରହିଛି, କିନ୍ତୁ ଏହାର ନକଲ ସଂଲଗ୍ନ କରାଯାଇନାହିଁ। ଚିଠିରେ ଗୋଟିଏ ଡିଜିପି ଲେବୁଲ-୧୬ ସ୍ତରର ଏକ୍ସ-କ୍ୟାଡର୍ ପଦ ସମେତ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡର୍ ପଦ ସୃଷ୍ଟି ଲାଗି ଓଡ଼ିଶା ସରକାରଙ୍କ ଅନୁରୋଧକୁ ନାକଚ କରି ଦିଆଯାଇଥିଲା।
ସେହିପରି, ଅଗଷ୍ଟ ୭ରେ ରାଜ୍ୟ ଡିଜିପି ପଦ ମନୋନୟନ ଲାଗି ତାଲିକା ପ୍ରସ୍ତୁତ ପାଇଁ ୟୁପିଏସସି ବୈଠକ ସ୍ଥଗିତ ରଖିବାକୁ ଖୋଦ୍ ରାଜ୍ୟ ସରକାର ଅନୁରୋଧ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଣଳୟ ରାଜ୍ୟରେ ଗୋଟିଏ ଡିଜିପି ଲେବୁଲ-୧୬ ସ୍ତରର ଏକ୍ସ-କ୍ୟାଡର୍ ପଦ ସମେତ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡର୍ ପଦ ସୃଷ୍ଟି ଲାଗି ଅନୁମତି ପ୍ରଦାନ କରିଛନ୍ତି।
ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ଜେରା ଅନୁମତି ଲାଗି ସିବିଆଇର ଚିଠି ସମ୍ମୁଖକୁ ଆସିଛି। ଅଗଷ୍ଟ ୩ରେ ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଆଇପିଏସ ଶ୍ରୀ ନାଥଙ୍କ ଭୂମିକା ଏବଂ ତଦନ୍ତର ଅଗ୍ରଗତି ବିଷୟରେ ଓଡ଼ିଶା ସରକାର ଜାଣିବାକୁ ଚାହିଁଥିଲେ। ଠିକ୍ ଏହାର ପରଦିନ ଅର୍ଥାତ୍ ଅଗଷ୍ଟ ୪ରେ ଚିଠିର ଉତ୍ତର ସିବିଆଇ ଚିଠି ଲେଖିଥିଲା। ରାଜ୍ୟ ଡିଜିପି ଚୟନ ଲାଗି ପ୍ରକ୍ରିୟା ଅନ୍ତିମ ସ୍ତରରେ ପହଞ୍ଚିଥିବା ବେଳେ ଓଡ଼ିଶା ସରକାର ଜାଣିଶୁଣି ଅଗଷ୍ଟ ୩ରେ ଚିଠି ଲେଖିଥିଲେ। ଏହି ସମ୍ପର୍କରେ ଓଡ଼ିଶା ସରକାର ଚାହିଁଥିଲେ ରାଜ୍ୟ ପୁଲିସ ମୁଖିଆ ମନୋନୟନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ମେ’ ୨୦୨୬ରେ ସିବିଆଇକୁ ଚିଠି ଲେଖିପାରିଥାନ୍ତେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଅଗଷ୍ଟ ୭ରେ ୟୁପିଏସ୍ସି ବୈଠକ ସ୍ଥଗିତ ହେବା ପରେ ଗୋଟିଏ ଡିଜିପି ଲେବୁଲ-୧୬ ସ୍ତରର ଏକ୍ସ-କ୍ୟାଡର୍ ପଦ ସମେତ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡର୍ ପଦ ସୃଷ୍ଟି ଲାଗି ଓଡ଼ିଶା ସରକାରଙ୍କ ଅନୁରୋଧ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଣଳୟ ଅନୁମତି ଦେଇଛନ୍ତି। ଏହା ପରେ ଓଡ଼ିଶା ସରକାର ଦୁଇଜଣ ଅଧିକାରୀଙ୍କୁ ଡିଜିପି ସ୍ତରକୁ ପଦୋନ୍ନତି ଦେଇଛନ୍ତି। ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସୁଯୋଗ ଦେବା ପାଇଁ ଓଡ଼ିଶା ସରକାର ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ଆବେଦନକାରୀ ଜୟନ୍ତ କୁମାର ଦାସ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୌଜନ୍ୟ ସମାଜ




