ଓଡିଶାରାଜନୀତି

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ ଲାଗିଛି। ଏପରି ଏକ ଘଟଣା ଶୁକ୍ରବାର ଶୁଣିବାକୁ ମିଳିଛି। ଆସନ୍ତା ୨୪ ତାରିଖରେ ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ଚାଷୀଙ୍କ ଧାନ ନ ଉଠିବା, ମଣ୍ଡି ନ ଖୋଲିବା ଆଦି ବିଷୟକୁ ନେଇ ପ୍ରତିବାଦ ସଭା ଏବଂ ଆନ୍ଦୋଳନ କାର୍ଯ୍ୟକ୍ରମ କରାଯିବ। ଏଥିଲାଗି ଶଙ୍ଖ ଭବନଠାରେ ଦଳର କେତେଜଣ ନେତୃବୃନ୍ଦ ଏବଂ ବିଧାୟକମାନଙ୍କୁ ଡକାଯାଇ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଉଥିଲା। ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଲାଗି କେତେ ଲୋକ କିଏ ଆଣିବେ ସେନେଇ ଆଲୋଚନା ହେଉଥିଲା। ଯାହା ଏକ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି, ହେଲେ ଏଭଳି ସମୟରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଲୋଚନା ସମୟରେ ନିଜ ହାତ ଉଠାଇ କିଛି କହିବାକୁ ଚାହିଁଥିଲେ। ବୈଠକ ପରିଚାଳନା କରୁଥିବା କେତେଜଣ ବରିଷ୍ଠ ନେତାଙ୍କୁ ହଠାତ୍‌ ସୌଭିକ୍‌ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଠିଆହୋଇ ସୌଭିକ୍‌ କେତେଜଣ ବରିଷ୍ଠ ନେତାଙ୍କୁ ପ୍ରଶ୍ନ କରିଥିଲେ, ତୁମମାନଙ୍କ ଯୋଗୁ ତାଙ୍କ ବାପା(ପ୍ରଭାତ ବିଶ୍ୱାଳ)ଙ୍କୁ ହଇରାଣ ହେବାକୁ ପଡ଼ିଛି। ଯେଉଁମାନେ ନିର୍ବାଚନ ହାରିଛନ୍ତି ସେମାନେ କାହିଁକି ଦଳ କଥା ବୁଝୁଛନ୍ତି। ଆସନ୍ତା କାର୍ଯ୍ୟକ୍ରମରେ ଯେତେ ଲୋକ ଆଣିବାକୁ ପଡିବ କହିଲେ ପଠାଇ ଦେବେ ବୋଲି ସୌଭିକ୍‌ କହି ବୈଠକରୁ ଉଠିଯିବାକୁ ବାହାରିଥିଲେ। ସେହି ସମୟରେ ଜଣେ ବରିଷ୍ଠ ବିଧାୟକ ଏହି ସ୍ଥାନରେ ଏପରି କହିବା ଠିକ୍‌ ନୁହେଁ ବୋଲି କହିବା ସତ୍ତ୍ୱେ ସୌଭିକ୍‌ କିଛି କହି ନ ଥିଲେ। ସୌଭିକଙ୍କ ଏଭଳି ବୟାନ ପରେ ବୈଠକରେ ବହୁ ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାକୁ ନେଇ ବିଜେଡି ଭିତରେ ମଧ୍ୟ ପ୍ରବଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button