ଆଇଏମଡି ୨୦୨୬ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବାନୁମାନ ଜାରି କରିଛନ୍ତି। ଦେଶରେ ଆଗାମୀ ବର୍ଷା ଋତୁରେ ସ୍ୱଭାବିକରୁ କମ୍ ବର୍ଷା ଅନୁମାନ କରାଯାଉଛି। ତେବେ ମେ ମାସ ଶେଷ ସପ୍ତାହରେ ଅପଡେଟ୍ ମୈସୁମୀ ପୂର୍ବାନୁମାନ ଜାରି କରାଯିବ ବୋଲି କୁହାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସୋମବାର ୨୦୨୬ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବାନୁମାନ ଜାରି କରିଛନ୍ତି। ଜୁନ-ସେପ୍ଟେମ୍ବର ଦୀର୍ଘାବଧି (ଏଲପିଏ) ପୂର୍ବାନୁମାନ ରେ ସାରା ଦେଶରେ ୯୨% (+(-)୫%)ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଏଣୁ ଦେଶରେ ଆଗାମୀ ବର୍ଷା ଋତୁରେ ସ୍ୱଭାବିକରୁ କମ୍ ବର୍ଷା ଅନୁମାନ କରାଯାଉଛି। ଆଇଏମଡିଙ୍କ ଅନୁସାରେ ୧୯୭୧-୨୦୨୦ ଅବଧି ଆଧାରରେ ଦେଶରେ ମୌସୁମୀ ବର୍ଷାର ଦୀର୍ଘ କାଳିକ ହାର ୮୭ ସେଣ୍ଟିମିଟର ରହିଛି। ତେବେ ମେ ମାସ ଶେଷ ସପ୍ତାହରେ ଅପଡେଟ୍ ମୈସୁମୀ ପୂର୍ବାନୁମାନ ଜାରି କରାଯିବ ବୋଲି କୁହାଯାଇଛି।
ସମୁଦ୍ର ପୃଷ୍ଠର ତାପମାତ୍ରା (ଏସଏସଟି) ସ୍ଥିତି ଉପରେ ଆଇଏମଡି କହିଛନ୍ତି ଯେ ଏବେ ଭୂମଧ୍ୟ ରେଖିୟ ପ୍ରଶାନ୍ତ ମହାସାଗରରେ ଦୁର୍ବଳ ଲା ନିନା ଭଳି ସ୍ଥିତି ଇଏନଏସଓ-ନ୍ୟୁଟ୍ରଲ ସ୍ଥିତିକୁ ବଦଳୁଛି। ତେବେ ମାନସୁନ ମିସନ କ୍ଲାଇମେଟ୍ ଫୋରେକାଷ୍ଟ ସିଷ୍ଟମ (ଏମଏମସିଏଫଏସ) ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀରେ ଏଲ ନିନୋ ସ୍ଥିତି ବିକଶିତ ହୋଇପାରେ। ଏଲ ନିନୋ ଦକ୍ଷିଣ ଦୋଳନ ଚକ୍ର ଅନ୍ତର୍ଗତ ଏଲ ନିନୋ ଓ ଲା ନିନା ସମୁଦ୍ର ପୃଷ୍ଠର ତାପମାତ୍ରା ଓ ବାଣିଜ୍ୟିକ ବାୟୁ ପ୍ରବାହରେ ବୈଶ୍ୱିକ ପାଗକୁ ପ୍ରଭାବିତ କରେ। ଏଲ ନିନୋ (ଉଷ୍ମ ଅବସ୍ଥା)ରେ ପବନ ଦୁର୍ବଳ ରହିବା ଯୋଗୁ ସମୁଦ୍ର ତାପମାତ୍ରା ବଢିଯାଏ। ଫଳରେ ଏସିଆରେ ମରୁଡି ଭଳି ପରିସ୍ଥିତି ଉପୁଜେ।
ଏହାର ବିପରୀତ ଲା ନିନା (ଶୀତଳ ଅବସ୍ଥା)ରେ ପବନର ବେଗ ଅଧିକ ରହିବା ସହିତ ସମୁଦ୍ରର ତାପମାତ୍ରା ହ୍ରାସ ହୋଇଥାଏ। ଆଇଏମଡି ଏହା ବି କହିଛନ୍ତି ଯେ ଏବେ ହୀନ୍ଦ ମହାସାଗରରେ ଇଣ୍ଡିଆନ ଓସନ ଡାଇପୋଲ ସ୍ଥିତି ନ୍ୟୁଟ୍ରଲ ରହିଛି। ତେବେ ମୌସୁମୀ ଶେଷ ସୁଦ୍ଧା ଏହା ପଜେଟିଭ ହେବାର ଅନେକ ସମ୍ଭାବନା ରହିଛି। ବିଭାଗ ଅନୁସାରେ ପ୍ରଶାନ୍ତ ଓ ହୀନ୍ଦ ମହାସାଗରରେ ସମୁଦ୍ର ପୃଷ୍ଠ ତାପମାତ୍ରାର ସ୍ଥିତି ଭାରତୀୟ ମୌସୁମୀ ଉପରେ ବଡ଼ ପ୍ରଭାବ ପକାଇଥାଏ। ଏଣୁ ଏବେ ଏହା ଉପରେ ଲଗାତାର ନଜର ରଖାଯାଇଛି।
ସୌଜନ୍ୟ Prameya News7

