ଓଡିଶା

ଦିନକ ପରେ ମାଟ୍ରିକ୍ ପରୀକ୍ଷା, କପି ବାହାରିଲେ ଦାୟୀ ରହିବେ ନୀରିକ୍ଷକ ଓ ସୁପରିଟେଣ୍ଡେଣ୍ଟ

ଆସନ୍ତା ଗୁରୁବାର ଅର୍ଥାତ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିବ । ତିନୋଟି ଯାକ ପରୀକ୍ଷା ପାଇଁ କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ଥିବା ନୋଡାଲ୍ ସେଣ୍ଟର ମିଶି ୩ ହଜାର ୮୨ଟି ସେଣ୍ଟର କ୍ଲୋଜ୍ ସର୍କିଟ୍ କ୍ୟାମେରା ଫୋକସ୍‌ରେ ରହିଛି ।

କଟକ ୧୭/୦୨: ଆସନ୍ତା ଗୁରୁବାର ଅର୍ଥାତ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିବ । ତିନୋଟି ଯାକ ପରୀକ୍ଷା ପାଇଁ କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ଥିବା ନୋଡାଲ୍ ସେଣ୍ଟର ମିଶି ୩ ହଜାର ୮୨ଟି ସେଣ୍ଟର କ୍ଲୋଜ୍ ସର୍କିଟ୍ କ୍ୟାମେରା ଫୋକସ୍ରେ ରହିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଖଞ୍ଜା ଯାଇଥିବାରୁ ପରୀକ୍ଷା ପରିଚାଳନା ସମୟରେ ସିଧାପ୍ରସାରଣ ହେବ । ଏଥିଲାଗି ବୋର୍ଡରେ ଏକ କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଖୋଲଯାଇଛି ।

ଏହି କଣ୍ଟ୍ରୋଲ ରୁମ୍ ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ଗଚ୍ଛିତ ଥିବା ଅନେକ ନୋଡାଲ୍ ସେଣ୍ଟରର ସ୍ଥିତିର ସିଧା ପ୍ରସାରଣ କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍ରେ ବୋର୍ଡ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଛନ୍ତି । ସେହିପରି ଉପାନ୍ତ ଜିଲ୍ଲାର କେତେକ ପରୀକ୍ଷା କେନ୍ଦ୍ରର ପ୍ରସ୍ତୁତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍ ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେହିପରି କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି ।

ସ୍କ୍ୱାର୍ଡରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଅଧିକାରୀ, ପ୍ରଧାନଶିକ୍ଷକ ଓ ବରିଷ୍ଠ ଶିକ୍ଷକମାନଙ୍କୁ ସାମିଲ୍ କରାଯାଇଛି । ପରୀକ୍ଷା ସମୟରେ ସ୍କ୍ୱାଡ୍ର ଭୂମିକା କଣ ରହିବ ସେ ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସଦସ୍ୟମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ପରୀକ୍ଷା ସମୟରେ କୌଣସି କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କଠାରୁ କପି ବାହାରିଲେ ହଲ୍ରେ ପରୀକ୍ଷା ନିରୀକ୍ଷକ ଓ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ମାନେ ଦାୟୀ ରହିବେ ବୋଲି ବୋର୍ଡ ସଭାପତି ଚେତାବନୀ ଦେଇଛନ୍ତି ।

ଯାଞ୍ଚ ସମୟରେ ଯଦି କୌଣସି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ମନରେ ସନ୍ଦେହ ଆସେ ତୁରନ୍ତ ବୋର୍ଡ କଣ୍ଟ୍ରୋଲ୍ ରୁମ୍ ଓ ବୋର୍ଡ ଅଧିକାରୀଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବାର ସୂଚନା ମିଳିଛି । ଗତବର୍ଷ ୧ ହଜାର ସେଣ୍ଟରରେ ସିଧା ପ୍ରସାରଣ କରାଯାଇଥିବା ବେଳେ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିଧା ପ୍ରସାରଣ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାରୁ କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍‌ରେ ଅଧିକ ବୈଷୟିକ ଅଧିକାରୀ, କର୍ମଚାରୀ ନିୟୋଜିତ କରାଯାଇଛି ।

ଏହି ବ୍ୟବସ୍ଥାରେ ପ୍ରତିଟି କେନ୍ଦ୍ରର ପରୀକ୍ଷା ପରିଚାଳନା ସ୍ଥିତିକୁ ଅଧିକାରୀମାନେ ବୋର୍ଡ କାର୍ଯ୍ୟାଳୟରୁ ଅନୁଧ୍ୟାନ କରିପାରିବେ ବୋଲି ଜଣାଯାଇଛି । ବୋର୍ଡରୁ ମିଳିଥିବା ସୂଚନାନୁସାରେ, ଏଥର ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୧୨ ହଜାର ୪୧୪ ଓ ମଧ୍ୟମା ପାଇଁ ୨ହଜାର ୭୪୮ ପ୍ରାର୍ଥୀ ଫର୍ମ ପୂରଣ କରିଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button