ଜାତୀୟ

ଦିଲ୍ଲୀ ଛାତ୍ର ଆନ୍ଦୋଳନରେ ମାତ୍ରାଧିକ ବଳପ୍ରୟୋଗ ମାମଲା: ଜଷ୍ଟିସ ଆର୍ ସୁଭାଷ ରେଡ୍ଡୀ ଅଧ୍ୟକ୍ଷତାରେ ତଦନ୍ତ କରିବେ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧/୦୮: ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଜୁଲାଇ ୨୦ରେ ଛାତ୍ରମାନଙ୍କର ସଂସଦ ମାର୍ଚ୍ଚ ସମୟରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ନେଇ ଆସିଥିବା ଅଭିଯୋଗ ସଂପର୍କରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ଗୁରୁବାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି (ଏଚ୍‌ପିଇସି) ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର୍ ସୁଭାଷ ରେଡ୍ଡୀ ଏହି ୫ ଜଣିଆ କମିଟିର ଅଧ୍ୟକ୍ଷତା କରିବେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରବି ଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶଲିନ୍ଦର କୌର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରୁଷି କୁମାର ଶୁକ୍ଳା ଏବଂ ମେଘାଳୟର ଅବସରପ୍ରାପ୍ତ ଡିଜିପି ଏଲ୍ ଆର ବିଷ୍ଣୋଇ ମଧ୍ୟ କମିଟିରେ ସାମିଲ ରହିଛନ୍ତି ।

ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଏବଂ ଅନ୍ୟ ସୁରକ୍ଷାବଳ ଦ୍ୱାରା ପେଲେଟ୍ ଗନ୍, ଲାଠିଚାର୍ଜ, ଇଲେକ୍ଟ୍ରିକ୍ ବ୍ୟାଟନ ଏବଂ ବିନା ଚେତାବନୀରେ ଟିଅର ଗ୍ୟାସ୍‌ର ମାତ୍ରାଧିକ ବ୍ୟବହାର ନେଇ ତଦନ୍ତ କରିବ । ଏଥିସହ ଭିଡ଼ ନିୟନ୍ତ୍ରଣ ସମୟରେ ବଳ ପ୍ରୟୋଗବେଳ ପୁଲିସକର୍ମୀ ୟୁନିଫର୍ମରେ ନ ରହିବା, ମହିଳା ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସା, ଭିଡ଼ ପରିଚାଳନାର ତରିକା, ଆହତଙ୍କ ଚିକିତ୍ସା, ଆର୍ଥିକ ସହାୟତା, କ୍ଷତିପୂରଣ ବ୍ୟବସ୍ଥା ନେଇ ଯାଞ୍ଚ ହେବ । କେବଳ ସେତିକି ନୁହେଁ, ଆନ୍ଦୋଳନ ସମୟରେ ପୁଲିସ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ, ସାର୍ବଜନୀନ ସମ୍ପତ୍ତିର କ୍ଷୟକ୍ଷତି ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ କମିଟି ବିଚାରକୁ ନେବ ।

କମିଟି ଗଠନ ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ  ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି, ପୁଲିସର ମାତ୍ରାଧିକ ବଳପ୍ରୟୋଗ ନେଇ ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ସଦସ୍ୟମାନଙ୍କର ବ୍ୟକ୍ତିଗତ ବିଶେଷଜ୍ଞତା, ଅନୁଭବ ଏବଂ ବିବିଧତା ସମେତ ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇ ଏହି କମିଟି ଗଠନ କରାଯାଇଛି । କମିଟିର ସୁପାରିଶ କୋର୍ଟଙ୍କ ଲାଗି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଭରସା ରହିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button