ଜାତୀୟ

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ ସ୍ବଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ପ୍ରବେଶ କରିଛି। ଏହି ସଫଳତା ସହ ଭାରତ ବିଶ୍ୱର ସେହି କେତେକ ମନୋନୀତ ଦେଶ ମଧ୍ୟରେ ସାମିଲ ହୋଇଛି, ଯେଉଁମାନେ ରେଳ କ୍ଷେତ୍ରରେ ହାଇଡ୍ରୋଜେନ୍‌ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆରମ୍ଭ କରିଛନ୍ତି।

ଏହି ଟ୍ରେନ ଉତ୍ତର ରେଳବାଇର (ନର୍ଦର୍ଣ୍ଣ ରେଲୱେ) ଜିନ୍ଦ-ସୋନିପତ ସେକସନରେ ଚଲାଯିବ। ବର୍ତ୍ତମାନ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ରେଳ ନେଟୱାର୍କ ଭାରତୀୟ ରେଳବାଇରେ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ର ବ୍ୟବହାର କିଭଳି କରାଯାଇପାରିବ, ତାହା ପ୍ରଦର୍ଶନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ସହିତ ଭାରତ ଜର୍ମାନୀ, ଜାପାନ, ଚାଇନା ଏବଂ ଆମେରିକା ଭଳି ଦେଶଗୁଡ଼ିକର ତାଲିକାରେ ସାମିଲ ହୋଇଛି, ଯେଉଁମାନେ ହାଇଡ୍ରୋଜେନ୍‌ ଆଧାରିତ ରେଳ ପରିବହନ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି।

ସାଧାରଣ ଡିଜେଲ ଇଞ୍ଜିନ ଚାଲିତ ଟ୍ରେନ୍‌ଗୁଡିକ ତୁଳନାରେ ଏହି ଟ୍ରେନ୍‌ ନିଜର ବିଦ୍ୟୁତ ନିଜେ ତିଆରି କରିଥାଏ। ଏଥିପାଇଁ ଏଥିରେ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି। ଏହି ସମ୍ପୂର୍ଣ୍ଣ ସିଷ୍ଟମର ବିଶେଷ ଅଂଶ ହେଉଛି ୧୨୦୦ କିଲୋୱାଟ କ୍ଷମତା ବିଶିଷ୍ଟ ପ୍ରୋଟନ ଏକ୍ସଚେଞ୍ଜ ମେମ୍ବ୍ରେନ ଫ୍ୟୁଏଲ ସେଲ (PEMFC)। ଏହା ହାଇଡ୍ରୋଜେନ୍‌ ଏବଂ ଅକ୍ସିଜେନ ମଧ୍ୟରେ ରାସାୟନିକ ପ୍ରକ୍ରିୟା ଜରିଆରେ ବିଦ୍ୟୁତ ଉତ୍ପନ୍ନ କରିଥାଏ। ଏହି ପ୍ରକ୍ରିୟା ପରେ କେବଳ ଜଳୀୟ ବାଷ୍ପ ଏବଂ ଉତ୍ତାପ ବାହାରିଥାଏ, ସେଥିପାଇଁ ଏହାକୁ ରେଳ ପରିବହନର ସବୁଠାରୁ ସ୍ବଚ୍ଛ ମାଧ୍ୟମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

ଟ୍ରେନ୍‌ରେ ଦୁଇଟି ହାଇଡ୍ରୋଜେନ୍‌ ଡ୍ରାଇଭିଂ ପାୱାର୍‌ କାର୍‌ ଲଗାଯାଇଛି। ଏଥିରେ ଥିବା ଉଚ୍ଚ ଚାପ ବିଶିଷ୍ଟ ସିଲିଣ୍ଡରଗୁଡ଼ିକରେ ହାଇଡ୍ରୋଜେନ ଗ୍ୟାସ ଗଚ୍ଛିତ ହୋଇ ରହିଥାଏ। ଏହି ହାଇଡ୍ରୋଜେନ୍‌କୁ ଫ୍ୟୁଏଲ ସେଲ ପର୍ଯ୍ୟନ୍ତ ପହଞ୍ଚାଯାଇଥାଏ। ଫ୍ୟୁଏଲ ସେଲ ଏଭଳି ଏକ ସିଷ୍ଟମ ଭାବରେ କାମ କରିଥାଏ, ଯାହାକୁ ବାରମ୍ବାର ଚାର୍ଜ କରିବାର ଆବଶ୍ୟକତା ପଡ଼ିନଥାଏ, ଯେପର୍ଯ୍ୟନ୍ତ ଏହାକୁ କ୍ରମାଗତ ଭାବରେ ହାଇଡ୍ରୋଜେନ୍‌ ମିଳୁଥିବ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button