ରାଜ୍ୟ

ନନ୍ଦନକାନନରେ ଜନ୍ତୁ ଅପେକ୍ଷାରେ ଖୁଆଡ଼, ପର୍ଯ୍ୟଟକ ନିରାଶ

ବାରଙ୍ଗ, ୩/୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ହେବ ବିଶ୍ୱସ୍ତରୀୟ ଚିଡ଼ିଆଖାନା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । ସେହି ଟଙ୍କାରେ ରାସ୍ତାଘାଟଠାରୁ ଆରମ୍ଭ କରି ବିଭିନ୍ନ ଖୁଆଡ଼ ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ନନ୍ଦନକାନନକୁ ନୂଆ ନୂଆ ଜନ୍ତୁ ଆଣିବାକୁ ଜୋରଦାର ପ୍ରଚାର ମଧ୍ୟ ହେଉଛି । ହେଲେ ନୂଆ ଜନ୍ତୁଙ୍କ ଦେଖା ନାହିଁ । ତେଣୁ ଖୁଆଡ଼ ଖାଲି ପଡ଼ିବାରେ ଲାଗିଛି । ପର୍ଯ୍ୟଟକମାନେ ମଧ୍ୟ କିଛି ନୂଆ ଜନ୍ତୁ ନ ପାଇ ସେହି ପୁରୁଣା ଜନ୍ତୁଙ୍କୁ ଦେଖି ନିରାଶ ହୋଇ ଫେରୁଛନ୍ତି । ନୂଆ ନୂଆ ଜନ୍ତୁ ଆଣିବାକୁ ନନ୍ଦନକାନନ ପକ୍ଷରୁ ଉଚ୍ଚସ୍ତରରେ କଥାବାର୍ତ୍ତା ହେଉଛି, ମାତ୍ର କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍ଏ) ଅନୁମତି ମିଳୁନାହିଁ । ଫଳରେ ଜନ୍ତୁ ଅଣାଯାଇପାରୁନି ବୋଲି ଜଣାପଡ଼ିଛି ।

ସାଧାରଣତଃ ନନ୍ଦନକାନନ ପକ୍ଷରୁ ଏକ ଟିମ୍ ଅନ୍ୟ ଚିଡ଼ିଆଖାନା ଅଭିମୁଖେ ଗଲେ କିମ୍ବା ଜନ୍ତୁ ଆଣିବା ନେଇ ପ୍ରକ୍ରିୟା ଆରମ୍ଭ ହେଲେ ନୂଆ ଜୀବଜନ୍ତୁ ଆସିବା କଥା ସ୍ପଷ୍ଟ ହେଉଥିଲା । ମାତ୍ର ଏବେ ଜନ୍ତୁ ଆଣିବା ନେଇ ନନ୍ଦନକାନନ ପକ୍ଷରୁ ନିଜ ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରାଯାଉଛି । ସେହି ଅନୁଯାୟୀ ନନ୍ଦନକାନନ ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ଅନେକ ଜୀବଜନ୍ତୁ ଶୀଘ୍ର ଆସିବେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ସେଥିମଧ୍ୟରେ ଅଛନ୍ତି ଆଫ୍ରିକୀୟ ଚିତା, ଜେବ୍ରା, କଙ୍ଗାରୁ, ୱାଇଲ୍ଡ ବିଷ୍ଟ, ରେଡ୍ ପାଣ୍ଡା, ସାରସ ପକ୍ଷୀ, ଲେଜର ହ୍ୱିଷ୍ଟିଙ୍ଗ ଡକ୍, ସ୍କାରଲେଟ୍ ଲିବ୍ସ, କାଲିଜ୍ ପିଜାଣ୍ଟ, ମାକାଓ, ୱାଲାବି ଓ ଇଣ୍ଡିଆନ ବିଲ୍ଡ ଡକ୍ ସମେତ ଏକାଧିକ ଜନ୍ତୁ । କିନ୍ତୁ ଅଦ୍ୟାବଧି କୌଣସି ଜନ୍ତୁ ଆସିନାହାନ୍ତି କି ଜନ୍ତୁ ଆଣିବାକୁ କୌଣସି ଟିମ୍ ଯାଇନାହାନ୍ତି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍ଏ) ଅନୁମତି ମିଳୁନଥିବାରୁ ଏସବୁ ଜନ୍ତୁ ଆସିପାରୁନଥିବା କୁହାଯାଉଛି ।

ସେହିପରି ପ୍ରାଣୀ ଉଦ୍ୟାନରେ ୧୦ ବର୍ଷ ହେବ ଖାଲିପଡିଛି ଗଣ୍ଡା ଖୁଆଡ଼ । ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ଗଣ୍ଡା ‘ନନ୍ଦ’ର ୨୦୧୬ ସେପ୍ଟେମ୍ବର ୨୮ ତାରିଖରେ ୪୦ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ସେବେଠାରୁ ଏହି ଖୁଆଡ଼ ଖାଲିପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଗଣ୍ଡା ଆଣିବା କଥା ଚିନ୍ତା ନ କରିବା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । କେବଳ ଗଣ୍ଡା ନୁହେଁ, ଅନେକ ଜନ୍ତୁ ଧୀରେ ଧୀରେ ନନ୍ଦନକାନନରୁ କମିବାକୁ ଲାଗିଲେଣି । ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କଲେ ଶୀଘ୍ର ନୂଆ ନୂଆ ଜନ୍ତୁ ଆସିପାରନ୍ତେ । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକ ରାଜସ୍ୱ ମିଳିପାରନ୍ତା ବୋଲି ଜନ୍ତୁପ୍ରେମୀ ତଥା ବୁଦ୍ଧିଜୀବୀମାନେ କହିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୭୬ ପ୍ରଜାତିର ୪ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି । ସେଥିରେ ୧୧୫ ଭାରତୀୟ ଏବଂ ୬୧ ବିଦେଶୀ ପ୍ରଜାତିର ଜନ୍ତୁ । ୫୭ ପ୍ରଜାତିର ସ୍ତନ୍ୟପାୟୀ, ୮୨ ପ୍ରଜାତିର ପକ୍ଷୀ, ୩୧ ପ୍ରଜାତିର ସରୀସ୍ରୁପ ଓ ୬ ପ୍ରଜାତିର ଉଭୟଚର ପ୍ରାଣୀ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button