ଖେଳ

ପାକିସ୍ତାନ ବିଦା, ୨ୟ ରାଉଣ୍ଡରେ ଭାରତ

ଆମଷ୍ଟଲଭିନ୍‌: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ବିଦାକରି ଭାରତ ପୁରୁଷ ହକି ବିଶ୍ବକପ୍‌ର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି। ବୁଧବାର ପୁଲ୍‌ ‘ଡି’ର ଶେଷ ଲିଗ୍‌ ମ୍ୟାଚରେ ହରମନପ୍ରୀତ ସିଂହ ଓ ଅଭିଷେକଙ୍କ ଯୁଗଳ ଗୋଲ ବଳରେ ଭାରତ ୫-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଭାରତ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପର ୨ୟ ସ୍ଥାନରେ ରହି ୨ୟ ରାଉଣ୍ଡରେ ପହଞ୍ଚିଛି। ପାକିସ୍ତାନ ୩ଟି ମ୍ୟାଚ୍‌ରୁ ମାତ୍ର ୩ ପଏଣ୍ଟ ପାଇ ବିଶ୍ବକପ୍‌ରୁ ବିଦାୟ ନେଇଛି। ଅନ୍ୟପକ୍ଷରେ ଦୀର୍ଘ ୫୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ୨ୟ ଥର ହକି ବିଶ୍ବକପ୍‌ ଜିତିବା ଆଶା ବଜାୟ ରଖିଛି। ଦ୍ବିତୀୟ ରାଉଣ୍ଡରେ ପହଞ୍ଚିବା ଲାଗି ଉଭୟ ଭାରତ ଓ ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରାରମ୍ଭରୁ ଭାରତ ପ୍ରତିପକ୍ଷ ପାକିସ୍ତାନକୁ ଚାପରେ ରଖିଥିଲା। ୫ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୧ ମିନିଟ୍‌ରେ ଭାରତ ଦ୍ବିତୀୟ ଗୋଲ୍‌ ଦେଇଥିଲା। ପାକିସ୍ତାନର ଦୁର୍ବଳ ରକ୍ଷଣଭାଗର ଫାଇଦା ଉଠାଇ ଭାରତୀୟ ମିଡ୍‌ଫିଲ୍‌ଡର ଅଭିଷେକ ଏହି ଗୋଲ୍‌ ଦେଇଥିଲେ। ୨୧ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଡ୍ରାଗ୍‌ଫ୍ଲିକର୍‌ ହରମନପ୍ରୀତ ସିଂହ ଗୋଲ୍‌ରେ ପରିଣତ କରିବାରେ ତ୍ରୁଟି କରିନଥିଲେ। ଭାରତ ୩-୦ ଗୋଲରେ ଆଗୁଆ ରହିବା ପରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲା। ୨୨ ମିନିଟ୍‌ରେ ପାକିସ୍ତାନର ସୟଦ ହନାନ୍‌ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୨ ମିନିଟ୍‌ ପରେ ଭାରତ ୪ର୍ଥ ଗୋଲ୍‌ଦେଇ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଥିଲା। ୨୪ ମିନିଟ୍‌ରେ ଅଭିଷେକ ଚତୁର୍ଥ ଗୋଲ ଦେଇ ଦଳକୁ ୪-୧ରେ ଆଗୁଆ କରିଥିଲେ। ଏହାର ୧ ମିନିଟ ମଧ୍ୟରେ ପାକିସ୍ତାନର ସୁଫିୟାଁ ଖାଁ ୨ୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୨ ଗୋଲରେ ଆଗୁଆ ରହିଥିଲା। ୩୫ ମିନିଟ୍‌ରେ ପାକିସ୍ତାନ ଡିଫେଣ୍ଡରଙ୍କ ଫାଉଲ୍‌ ଯୋଗୁଁ ଭାରତକୁ ପେନାଲ୍‌ଟି ଷ୍ଟ୍ରୋକ୍‌ ମିଳିଥିଲା। ଏଥିରୁ ହାର୍ଦିକ ସିଂହ ଗୋଲ୍‌ ଦେଇ ଦଳକୁ ୫-୨ରେ ଆଗୁଆ କରିଥିଲେ। ୪୬ ମିନିଟ୍‌ରେ ପାକିସ୍ତାନ ପାଇଁ ସୟଦ୍‌ ହନାନ୍‌ ତୃତୀୟ ଗୋଲ ଦେଇଥିଲେ। ୨ଟି ଗୋଲ ପଛରେ ରହିଥିବା ପାକିସ୍ତାନ ଗୋଲ୍‌ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ରକ୍ଷାପନ୍ଥୀ ସଜାଗ ରହିଥିଲେ। ପୁଲ୍‌ ‘ଡି’ରୁ ଇଂଲଣ୍ଡ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଶୀର୍ଷରେ ଓ ଭାରତ ୬ ପଏଣ୍ଟ ପାଇ ୨ୟ ସ୍ଥାନରେ ରହି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ରାଉଣ୍ଡରେ ପୁଲ୍‌ ‘ଇ’ରେ ନେଦରଲାଣ୍ଡ୍‌ସ ସହ ଇଂଲଣ୍ଡ ଓ ଭାରତ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଗୋଟିଏ ଦଳ ପୁଲ୍‌ ‘ଇ’ରେ ଖେଳିବ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button