ରାଜ୍ୟ

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା ମୋଟ ୨୪ ନାବିକଙ୍କ ମଧ୍ୟରୁ ଭାରତୀୟ ସୁରକ୍ଷା ସନ୍ଧାନୀ ଟିମ (ନୌସେନା ଓ କୋଷ୍ଟଗାର୍ଡ) ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ଅବଶିଷ୍ଟ ୨୨ ନାବିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ନାବିକଙ୍କ ସନ୍ଧାନ ପାଇଁ ଅଭିଯାନ ଜୋରଦାର କରାଯାଇଛି। ଜାହାଜରେ ୨୦ ଜଣ ଚାଇନା, ୩ ଜଣ ମ୍ୟାନମାର୍‌ ଏବଂ ଜଣେ ବାଂଲାଦେଶୀ ନାବିକ ରହିଥିଲେ। ଉଦ୍ଧାର ହୋଇଥିବା ୨ ନାବିକଙ୍କୁ ନିକଟସ୍ଥ ଏକ ବାଣିଜି୍ୟକ ଜାହାଜ ‘ଏମ୍‌ଟି ଆଇସୋପୋସ’ ସାହାଯ୍ୟରେ ସମୁଦ୍ରର ‘ଲାଇଫ୍ରାଫ୍ଟ’ରୁ ଉଦ୍ଧାର କରାଯାଇଛି। ନାବିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଚିନ୍ତାବ୍ୟକ୍ତ କରିବା ସହ ପ୍ରାର୍ଥନା କରିଛନ୍ତି।
ନିଖୋଜ ନାବିକଙ୍କ ସନ୍ଧାନ ପାଇଁ ଭାରତୀୟ ନୌସେନା ଏବଂ କୋଷ୍ଟଗାର୍ଡ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। କୋଷ୍ଟଗାର୍ଡର ୩ଟି ପ୍ରମୁଖ ଜାହାଜ ‘ବରଦ’, ‘ଅନମୋଲ’ ଏବଂ ‘ବିଜିତ’ (ଶ୍ରୀ ବିଜୟପୁରମ୍‌ରୁ)କୁ ସମୁଦ୍ରରେ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଇଷ୍ଟର୍ନ ନାଭାଲ କମାଣ୍ଡ ପକ୍ଷରୁ ନୌସେନାର ବିମାନ ‘P8I’କୁ ତୁରନ୍ତ ଉଦ୍ଧାର ମିଶନ୍‌ରେ ସାମିଲ କରାଯାଇଛି। ମୁମ୍ବାଇ, ଚେନ୍ନାଇ ଏବଂ ଶ୍ରୀ ବିଜୟପୁରମ୍‌ରେ ଥିବା ‘ମେରିଟାଇମ୍‌ ରେସ୍କୁ କୋଅର୍ଡିନେଶନ ସେଣ୍ଟର’ (ଏମ୍‌ଆର୍‌ସିସି) ଏହି ସମଗ୍ର ଅଭିଯାନର ସମନ୍ବୟ ରକ୍ଷା କରୁଛି। ସୂଚନାଥାଉ କି, ଅଗଷ୍ଟ ୨୦ ରାତି ୧୦ଟା ୩୦ରେ ‘ଓସେନ ୱିନର୍‌’ ପାରାଦୀପ ବନ୍ଦର ବର୍ଥ ଛାଡ଼ିଥିଲା। ୨୧ ତାରିଖ ରାତି ୮ଟା ୩୦ ପର୍ଯ୍ୟନ୍ତ ଏହାର ଟ୍ରାକିଂ ସିଗ୍‌ନାଲ୍‌ ମିଳିବା ପରେ ଜାହାଜଟି ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଥିଲା। ଜାହାଜରେ ଓଦା ଲୁହାପଥର ବୋଝେଇ ହୋଇଥିବାରୁ ଏହା ଭାରସାମ୍ୟ ହରାଇ ସମୁଦ୍ରରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ପାରାଦୀପ ବନ୍ଦରରେ ଓଦା ପଣ୍ୟ ବୋଝେଇ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସାଂଘାତିକ ଦୁର୍ଘଟଣା ୨୦୦୯ ସେପ୍ଟେମ୍ବର ୯ରେ ଘଟିଥିବା ‘ଏମ୍‌ଭି ବ୍ଲାକରୋଜ୍‌’ ଜାହାଜ ବୁଡ଼ି ଘଟଣାର ସ୍ମୃତିକୁ ତାଜା କରିଦେଇଛି। ସେତେବେଳେ ମଧ୍ୟ ପାରାଦୀପରୁ ଚାଇନା ଯାଉଥିବା ବ୍ଲାକରୋଜ ଜାହାଜ ଓଦା ଲୁହାପଥର ଯୋଗୁ ଅସୁରକ୍ଷିତ ହୋଇ ସମୁଦ୍ରରେ ବୁଡ଼ିଯାଇଥିଲା।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button