ଦେଶ ବିଦେଶ

Trump: ସମଗ୍ର ୟୁରୋପକୁ ଧମକାଇଲେ ଟ୍ରମ୍ପ: ଡେନମାର୍କକୁ ଅକୃତଜ୍ଞ କହି ବର୍ଷିଲେ

ସ୍ବିଜରଲାଣ୍ଡର ଡାଭୋସରେ ଆଜି ବିଶ୍ବ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ରେ ବହୁ ପ୍ରତୀକ୍ଷିତ ଉଦ୍‌ବୋଧନ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ପୁଣିଥରେ ତାଙ୍କ ଗ୍ରିନ୍‌ଲାଣ୍ଡ ଦଖଲ ଦାବି ଦୋହରାଇବା ସହ ସମଗ୍ର ୟୁରୋପକୁ ଧମକାଇଛନ୍ତି।

ୱାସିଂଟନ୍‌: ସ୍ବିଜରଲାଣ୍ଡର ଡାଭୋସରେ ଆଜି ବିଶ୍ବ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ରେ ବହୁ ପ୍ରତୀକ୍ଷିତ ଉଦ୍‌ବୋଧନ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌  ଟ୍ରମ୍ପ ପୁଣିଥରେ ତାଙ୍କ ଗ୍ରିନ୍‌ଲାଣ୍ଡ ଦଖଲ ଦାବି ଦୋହରାଇବା ସହ ସମଗ୍ର ୟୁରୋପକୁ ଧମକାଇଛନ୍ତି। ଟ୍ରମ୍ପ କହିଛନ୍ତି, ଗ୍ରିନ୍‌ଲାଣ୍ଡ ଏକ ପ୍ରମୁଖ ରଣନୀତିକ ସ୍ଥାନରେ ଅସୁରକ୍ଷିତ ଭାବେ ରହିଛି। ଆମେରିକା ବ୍ୟତୀତ ଅନ୍ୟ କେହି ଏହାକୁ ସୁରକ୍ଷା ଦେଇପାରିବେନି। ଟ୍ରମ୍ପ ମଧ୍ୟ ଡେନମାର୍କକୁ ଅକୃତଜ୍ଞ କହି କଡ଼ା ସମାଲୋଚନା କରିଛନ୍ତି। ଗ୍ରିନ୍‌ଲାଣ୍ଡର ସୁରକ୍ଷା ପ୍ରସଙ୍ଗକୁ ୟୁରୋପୀୟ ନେତାମାନେ ଭଲ ଭାବେ ବୁଝିିବା ଆବଶ୍ୟକ। ଗ୍ରିନ୍‌ଲାଣ୍ଡ ଦଖଲ ଉପରେ ରାଷ୍ଟ୍ରମାନେ କେବଳ ଆମେରିକାର ପ୍ରସ୍ତାବ ଉପରେ ହଁ କିମ୍ବା ନା କହିପାରିବେ। ୱାସିଂଟନ ସେମାନଙ୍କ ଜବାବକୁ ମନେ ରଖିବ ଏବଂ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଡାଭୋସରେ ମଧ୍ୟ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧବିରତିରେ ମଧ୍ୟସ୍ଥତା ଦାବିର ପୁନରାବୃତ୍ତି କରିଛନ୍ତି।

ଡେନମାର୍କକୁ ଅକୃତଜ୍ଞ କହି ବର୍ଷିଲେ
ଭାରତ-ପାକ୍‌ ଯୁଦ୍ଧ ବନ୍ଦ କରାଇଛି

ଆମେରିକାର ସୁରକ୍ଷା କାରଣ ପାଇଁ ଗ୍ରିନ୍‌ଲାଣ୍ଡକୁ ଟ୍ରମ୍ପ ଗୁରୁତ୍ବପୂର୍ଣ୍ଣ ଦର୍ଶାଇଥିଲେ ମଧ୍ୟ ଏହାକୁ କେବଳ ଏକ ବରଫ ଖଣ୍ଡ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗ୍ରିନ୍‌ଲାଣ୍ଡ ପ୍ରତି ଚୀନ ଓ ରୁଷ୍‌ ପଟୁ ବିପଦ ରହିଛି ବୋଲି ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି। ୟୁରୋପକୁ ଅତି କଟୁ ସମାଲୋଚନା କରି ସେ କହିଛନ୍ତି, ମୁଁ ୟୁରୋପକୁ ଭଲପାଏ ଏବଂ ୟୁରୋପକୁ ଆଗକୁ ବଢ଼ିବାକୁ ଚାହେ। କିନ୍ତୁ ଏହା ଠିକ୍‌ ଦିଗରେ ଯାଉନାହିଁ। ୟୁରୋପୀୟ ନେତାମାନଙ୍କ ବାଣିଜ୍ୟ ନୀତି, ପ୍ରବାସୀ ନୀତି ଓ ଅନର୍ଥକାରୀ ପରିଚାଳନା ସେମାନଙ୍କୁ ଧ୍ବଂସ ଆଡ଼କୁ ନେଉଛି। ସେମାନେ ଆମେରିକାର ଉଗ୍ର ବାମପନ୍ଥୀ ନେତାଙ୍କ ଭଳି କାମ କରୁଛନ୍ତି। ଟ୍ରମ୍ପ ତାଙ୍କ ଉଦ୍‌ବୋଧନରେ ଆମେରିକାକୁ ବିଶ୍ବର ଅର୍ଥନୈତିକ ଇଞ୍ଜିନ ବୋଲି ଘୋଷଣା କରିଛନ୍ତି। ରୁଷ୍‌-ୟୁକ୍ରେନ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଏହି ଯୁଦ୍ଧରେ ରକ୍ତପାତ ଜାରି ରହିଛି ଏବଂ ମୁଁ ଉଭୟ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଲଗାତାର ଯୋଗାଯୋଗରେ ରହିଛି।

ସୂଚନାଯୋଗ୍ୟ, ଆମେରିକାର ଜାତୀୟ ସୁରକ୍ଷା ଆଳରେ ଟ୍ରମ୍ପ ଗ୍ରିନ୍‌ଲାଣ୍ଡକୁ ଅଧିଗ୍ରହଣ କରିବାକୁ ଚାହୁଥିବାବେଳେ ଅସଲରେ ସେଠାରେ ଥିବା ବିରଳ ଖଣିଜ ସମ୍ପଦ ହିଁ ଏହାର ମୁଖ୍ୟ କାରଣ ବୋଲି ୟୁରୋପୀୟ ନେତାମାନେ ସ୍ପଷ୍ଟ କରିଛନ୍ତି। ରୁଷ ଓ ଚୀନ୍‌ର ସାମରିକ କାର୍ଯ୍ୟକଳାପ ଆଳ ଦେଖାଇ ଗ୍ରିନ୍‌ଲାଣ୍ଡରେ ବିଶାଳ ସାମରିକ ଘାଟି ନିର୍ମାଣ କରିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ କଥାରେ ସତ୍ୟତା ନାହିଁ ବୋଲି ରୁଷ ଓ ଚୀନ୍ ପୂର୍ବରୁ କହିସାରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button