ଜାତୀୟ

UAE Warns Dollar or Yuan: ଯୁଦ୍ଧର ଖର୍ଚ୍ଚ ବହନ କରୁ ଆମେରିକା, ନଚେତ୍ କାରବାର ଡଲାର ବଦଳରେ ହେବ ୟୁଆନରେ…

ଆବୁଧାବି,୨୦/୪: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ, ଏପରି ଖବର ସାମ୍ନାକୁ ଆସୁଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ମଧ୍ୟପ୍ରାଚ୍ୟକୁ ଆମେରିକାଠାରୁ ଦୂରେଇ ରହିବାକୁ ବାଧ୍ୟ କରିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯୁଦ୍ଧ ଆରମ୍ଭ ପାଇଁ ୱାସିଂଟନକୁ ଦାୟୀ କରିଛି ଏବଂ ଆମେରିକାକୁ ଯୁଦ୍ଧର ଖର୍ଚ୍ଚ ବହନ କରିବାକୁ ଦାବି କରିଛି। ପରିସ୍ଥିତି ଆହୁରି ଖରାପ ହେଲେ ଡଲାରରୁ ୟୁଆନକୁ ସ୍ଥାନାନ୍ତରିତ ହେବା ନେଇ ଚେତାବନୀ ଦେଇଛି।

୨୭୦ ବିଲିୟନ ଡଲାରର ବିଶାଳ କ୍ଷତିପୂରଣ ଦାବି କଲା ଇରାନ

କାରଣ ସ୍ପଷ୍ଟ ଯେ, ଏହି ଯୁଦ୍ଧ ୟୁଏଇ ସମେତ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶର ସମ୍ପତ୍ତିକୁ ବିପୁଳ କ୍ଷତି ପହଞ୍ଚାଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବର ଅନୁଯାୟୀ, ୟୁଏଇ ଇରାନ ଯୁଦ୍ଧରେ ହୋଇଥିବା କ୍ଷତି ପାଇଁ ଆମେରିକାଠାରୁ ଆର୍ଥିକ ଗ୍ୟାରେଣ୍ଟି ମାଗିଛି। ଏହି ଦାବି ୱାସିଂଟନ ପାଇଁ ଆର୍ଥିକ ସଙ୍କଟର ଦ୍ୱାର ଖୋଲିପାରେ ବୋଲି କୁହାଯାଉଛି। କାରଣ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ କ୍ଷତିପୂରଣ ପାଇଁ ପଛକୁ ପଛ ଧାଡ଼ିରେ ସାମିଲ ହୋଇପାରନ୍ତି।

ଏହି ଯୁଦ୍ଧ ଆମେରିକା ପାଇଁ ଏକ ମହଙ୍ଗା ବ୍ୟାପାର ହେବାକୁ ଯାଉଛି। କାରଣ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣରେ ବିପୁଳ ପରିମାଣରେ ଖର୍ଚ୍ଚ ହେବ। ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୨୮ରେ ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ପ୍ରତିଦିନ ୮୯୦ ନିୟୁତ ଡଲାରୁ ୧ ବିଲିୟନ ଡଲାର ଖର୍ଚ୍ଚ କରିଛି। ଇସ୍ରାଏଲ ଏପର୍ଯ୍ୟନ୍ତ ମୋଟ ୧୧.୨ ବିଲିୟନ ଡଲାର ଖର୍ଚ୍ଚ କରିଛି, ଯାହାର ଅଧାରୁ ଅଧିକ ୬.୨ ବିଲିୟନ ଡଲାର କେବଳ ପ୍ରଥମ ୨୦ ଦିନରେ ଖର୍ଚ୍ଚ ହୋଇଛି। ଯୁଦ୍ଧ ପରବର୍ତ୍ତୀ ଖର୍ଚ୍ଚରେ ସାଉଦି ଆରବ ଭଳି ଉପସାଗରୀୟ ଦେଶଗୁଡ଼ିକରେ ବେସାମରିକ ଏବଂ ଶକ୍ତି ଭିତ୍ତିଭୂମି ମରାମତି ଅନ୍ତର୍ଭୁକ୍ତ। ଯାହା ୬୦ ବିଲିୟନ ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥିମଧ୍ୟରୁ କେବଳ ତୈଳ ଏବଂ ଗ୍ୟାସ୍ ସୁବିଧା ପୁନଃନିର୍ମାଣ ପାଇଁ ୫୦ ବିଲିୟନ ଡଲାର ଆବଶ୍ୟକ ବୋଲି କୁହାଯାଉଛି। ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ, ୟୁଏଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ଦୁବାଇର ଫେୟାରମଣ୍ଟ ଦି ପାମ୍ ହୋଟେଲ୍ ଏବଂ ଫୁଜୈରାହ ତୈଳ ରପ୍ତାନି ଟର୍ମିନାଲ ଭଳି ଶକ୍ତି ସୁବିଧାଗୁଡ଼ିକୁ ବହୁତ କ୍ଷତି ପହଞ୍ଚିଛି। ଦୁଇଟି ଆମାଜନ ଡାଟା ସେଣ୍ଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ସମଗ୍ର ଅଞ୍ଚଳରେ ବ୍ୟାଙ୍କିଂ ସମ୍ବନ୍ଧୀୟ କ୍ଲାଉଡ୍ ସେବା ଏବଂ କମ୍ପ୍ୟୁଟିଂ ସୁବିଧା ବାଧାପ୍ରାପ୍ତ ହୋଇଛି। ତେଣୁ ୟୁଏଇ ଆମେରିକାଠାରୁ ଆର୍ଥିକ ସହାୟତା ଲୋଡ଼ିବା ଆରମ୍ଭ କରିଛି। ବିଶେଷକରି ଶାନ୍ତି ଆଲୋଚନା ଅନିଶ୍ଚିତତା ଭିତରେ ରହିଥିବାରୁ ୟୁଏଇ ଏଭଳି ଆଭିମୁଖ୍ୟ ପ୍ରକାଶ କରିଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ଗତ ସପ୍ତାହରେ, ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖାଲିଦ ମହମ୍ମଦ ବାଲାମା ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ତେଲ ଏବଂ ଗ୍ୟାସ୍ ଭିତ୍ତିଭୂମିକୁ କ୍ଷତି ଏବଂ ହର୍ମୁଜ୍ ପ୍ରଣାଳୀର ଅବରୋଧ ଯୋଗୁଁ ଡଲାର ରାଜସ୍ୱରେ ଉଲ୍ଲେଖନୀୟ ହ୍ରାସ ଦର୍ଶାଇ ଆମେରିକା ଫେଡେରାଲ୍ ରିଜର୍ଭରୁ ମୁଦ୍ରା ସ୍ୱାପ୍ ଅନୁରୋଧ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅନୁରୋଧ କରାଯାଇ ନାହିଁ, କିନ୍ତୁ ଅନୌପଚାରିକ ଆଲୋଚନା ଆରମ୍ଭ ହୋଇଛି।

ଟ୍ରମ୍ପଙ୍କୁ ୟୁଏଇର ଧମକ

ୟୁଏଇ ଅଧିକାରୀମାନେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଆମେରିକା ଆଞ୍ଚଳିକ ସହଯୋଗୀଙ୍କ ସହିତ ପରାମର୍ଶ ନକରି ଏହି ଯୁଦ୍ଧ ଆରମ୍ଭ କରିଥିଲା। ଫଳସ୍ୱରୂପ, ୟୁଏଇ ଯୁଦ୍ଧର ଖର୍ଚ୍ଚ ଆମେରିକା ବହନ କରୁବୋଲି ଚାହୁଛି। ୟୁଏଇର ଏହି ଦାବି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ, କାରଣ ଆମେରିକା ମାର୍ଚ୍ଚ ୩୦ ରେ କହିଥିଲା ଯେ ସେ ଗଲ୍ଫ ଦେଶଗୁଡ଼ିକୁ ଯୁଦ୍ଧ ପାଣ୍ଠି ମାଗିବା ବିଷୟରେ ବିଚାର କରୁଛି। ହ୍ୱାଇଟ୍ ହାଉସର ମୁଖପାତ୍ର କାରୋଲିନ୍ ଲେଭିଟ୍ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୋଜନାରେ ବହୁ ଆଗ୍ରହୀ। ୧୯୯୧ ଗଲ୍ଫ ଯୁଦ୍ଧ ସମୟରେ, ସାଉଦି ଆରବ ଆମେରିକାକୁ ୧୬.୮ ବିଲିୟନ ଡଲାର ଏବଂ କୁଏତ ୧୬ ବିଲିୟନ ଡଲାର ପ୍ରଦାନ କରିଥିଲା। କିନ୍ତୁ ଏବେ ୟୁଏଇ ଓଲଟା ଦାବି କରୁଛି। ୟୁଏଇ ଏବେ ଚାହୁଁଛି ଯେ ଆମେରିକା ଯୁଦ୍ଧର ଖର୍ଚ୍ଚ ବହନ କରୁ। ଯଦି ଆମେରିକା ଯୁଦ୍ଧ ଆରମ୍ଭ କରିଛି, ତେବେ ସେ ଏହାର ଖର୍ଚ୍ଚ ମଧ୍ୟ ବହନ କରିବ। ୟୁଏଇ ଏପରି ସମୟରେ ଏହି ଦାବି କରିଛି ଯେତେବେଳେ ଆମେରିକା ସଂଘର୍ଷରୁ ବାହାରିବାର ରାସ୍ତା ଖୋଜୁଛି। ଦୀର୍ଘକାଳୀନ ଇରାନ ଯୁଦ୍ଧ ଟ୍ରମ୍ପଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button