ବାଣିଜ୍ୟ

ବିନା ସିମ୍ କାର୍ଡରେ ଚାଲିବନି ହ୍ବାଟ୍ସଆପ୍, ମାର୍ଚ୍ଚ ୧ରୁ ବଦଳିବ ନିୟମ; ଜାଣି ରଖନ୍ତୁ ନହେଲେ ଆପଣ ବି ହୋଇପାରନ୍ତି ପ୍ରଭାବିତ

‘ସିମ୍ ବାଇଣ୍ଡିଂ’ ନିୟମ ମାର୍ଚ୍ଚ ୧ରୁ ଲାଗୁ ହେବାକୁ ଯାଉଥିବା ବେଳେ ଏହି ନୂଆ ନିୟମକୁ, ଜାତୀୟ ସୁରକ୍ଷା ଏବଂ ଠକେଇ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ନୂଆଦିଲ୍ଲୀ: ଏଣିକି ବିନା ସିମ୍ କାର୍ଡରେ ଚାଲିବନି ହ୍ବାଟ୍ସଆପ୍। ସେହିଭଳି ହ୍ବାଟ୍ସଆପ୍ ଓ୍ବେବ ବି ପ୍ରତି ୬ ଘଣ୍ଟାରେ ଲଗ୍ ଆଉଟ ହୋଇଯିବ। କାରଣ ଖବୁଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ‘ସିମ୍ ବାଇଣ୍ଡିଂ’ ନିୟମ। ମାର୍ଚ୍ଚ ୧ରୁ ଲାଗୁ ହେବାକୁ ଯାଉଥିବା ବେଳେ, ଏହି ନୂଆ ନିୟମକୁ ଜାତୀୟ ସୁରକ୍ଷା ଏବଂ ଠକେଇ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦେଶରେ ସାଇବର କ୍ରାଇମ ବଢ଼ିବାରେ ଲାଗିଛି। ବିଶେଷ କରି ହ୍ବାଟ୍ସଆପ୍ ଭଳି ଇନଷ୍ଟାଣ୍ଟ ମେସେଜିଂ ଆପ୍ ମାଧ୍ୟମରେ ଅତି ସହଜରେ ଲୋକଙ୍କୁ ଫସାଯାଉଛି। ତେଣୁ ସାଇବର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ‘ସିମ୍ ବାଇଣ୍ଡିଂ’ ନିୟମକୁ ଲାଗୁ କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ନିୟମ ଲାଗୁ କରାଯିବା କଥା କୁହାଯାଇଥିଲେ ବି ବିଭିନ୍ନ କାରଣ ଯୋଗୁ ଏହାକୁ ଲାଗୁ କରିବା ସମୟ ସୀମା ବୃଦ୍ଧି କରାଯାଇଥିଲା। ହେଲେ ଏବେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିୟମ ଲାଗୁ କରିବା ପାଇଁ ଦିଆଯାଇଥିବା ଫେବ୍ରୁଆରୀ ୨୮ ଡେଡଲାଇନ୍ ଆଉ ବୃଦ୍ଧି କରାଯିବ ନାହିଁ। ଅର୍ଥାତ ମାର୍ଚ୍ଚ ୧ ଠାରୁ ଏହି ନିୟମ ଲାଗୁ ହୋଇଯିବ।

କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ନିୟମ ଲାଗୁ କରିବା ସମୟ- ସୀମା ଆଗକୁ ବଢ଼ାଇବା ଉପରେ କୌଣସି ଯୋଜନା ନାହିଁ। ଏହି ନିୟମ ଜାତୀୟ ସୁରକ୍ଷା ଏବଂ ଠକେଇ ରୋକିବା ପାଇଁ ଲାଗୁ କରାଯାଇଛି। ତେଣୁ ସୁରକ୍ଷା ପ୍ରସଙ୍ଗରେ ସରକାର କୌଣସି ସାଲିସ କରିବେନାହିଁ।

ସୂଚନାଯୋଗ୍ୟ, ସିମ ବାଇଣ୍ଡିଂ ହେଉଛି ଏକ ସୁରକ୍ଷା କବଚ। ଯାହା ଆପଣଙ୍କ ମେସେଜିଂ ଆପକୁ ଆପଣଙ୍କ ଫିଜିକାଲ ସିମ୍ କାର୍ଡ ସହ ଲକ୍ କରିଥାଏ। ଏହାର ସବୁଠୁ ବଡ଼ ଫାଇଦା ହେଉଛି, ଏହାଦ୍ବାରା କୌଣସି ହ୍ୟାକର କିମ୍ବା ଠକ ଆପଣଙ୍କ ନମ୍ବର୍ର ବ୍ୟବହାର ଅନ୍ୟ କୌଣସି ଡିଭାଇସରେ କରିପାରିବ ନାହିଁ। କାରଣ ସିମ୍ ବାଇଣ୍ଡିଂ ହୋଇଥିବାରୁ ମସେଜିଂ ଆପ୍ କେବଳ ଫୋନ୍ରେ ରେଜିଷ୍ଟର୍ଡ ସିମ୍ କାର୍ଡ ଥିଲେ ହିଁ ଖୋଲିବ। ତେଣୁ ନୂଆ ନିୟମ ଅନୁସାରେ, ଫୋନରେ ସିମ୍ କାର୍ଡ ନଥିଲେ ହ୍ବାଟ୍ସଆପ୍ କାମ କରିବନାହିଁ। କମ୍ପ୍ୟୁଟରରେ ଲଗଇନ୍ ହୋଇଥିବା ହ୍ବାଟ୍ସଆପ୍ ମଧ୍ୟ ୬ ଘଣ୍ଟାରେ ଆପେ ଆପେ ଲଗଆଉଟ ହୋଇଯିବ।

ତେବେ ୟୁଜର୍ସଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ସେମାନଙ୍କ ହ୍ବାଟ୍ସଆପ୍ ଯେଉଁ ନମ୍ବରରେ ରହିଛି, ସେହି ସିମ୍ ସେହି ଫୋନରେ ରହିଛି। ଯଦି ସିମ୍ କାର୍ଡ ଫୋନରୁ ବାହାର କରାଯାଏ ତା’ହେଲେ ମେସେଜିଂ ଆପ୍ କାମ କରିବା ବନ୍ଦ କରିପାରେ।

ସେପଟେ ଇଣ୍ଡଷ୍ଟ୍ରି ଆସୋସିଏସନ IAMAI ସରକାରଙ୍କୁ ଚେତାବନୀ ଦେଇଛି ଯେ, ପ୍ରତି ୬ ଘଣ୍ଟାରେ ଲଗ- ଆଉଟ କରିବା ନିୟମ ପ୍ରଫୋସନାଲଙ୍କ ପାଇଁ ଚିନ୍ତାଜନକ ହୋଇପାରେ। ଯେଉଁମାନେ କାମ ପାଇଁ ହ୍ବାଟ୍ସଆପ୍ ଓ୍ବେବ ଉପରେ ନିର୍ଭର କରିଥାଏ। ଏହା ସହ ଯେଉଁ ପରିବାର ଲୋକେ ଗୋଟିଏ ଆକାଉଣ୍ଟ ସେୟାର କରୁଛନ୍ତି, ସେମାନଙ୍କୁ ଅସୁବିଧା ହୋଇପାରେ।

କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ କମ୍ପାନିଙ୍କୁ ୧୨୦ ଦିନ ଭିତରେ ଏହାକୁ ନେଇ ରିପୋର୍ଟ ଦେବାକୁ ହେବ। ନିୟମର ପାଳନ ନକଲେ ଟେଲିକମ୍ୟୁନିକେସନ ଆକ୍ଟ ୨୦୨୩, ଟେଲିକମ ସାଇବର ସିକ୍ୟୁରିଟି ରୁଲ୍ସ ଏବଂ ଅନ୍ୟ ଲାଗୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button