ବିପ୍ଳବୀ ଆନନ୍ଦଚନ୍ଦ୍ର ଜେନା ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ: ‘ଆନନ୍ଦଚନ୍ଦ୍ରଙ୍କ ସଂଘର୍ଷ ଉତ୍ତରପିଢ଼ିକୁ ପ୍ରେରଣା ଦେବ’
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରଜା ଆନ୍ଦୋଳନରେ ଝାସ ଦେଇଥିଲେ। ରାଜ୍ୟରେ ବ୍ୟାପିଥିବା ଆର୍ଥିକ ଅନଟନ, ନିରକ୍ଷରତା ବିରୋଧରେ ସେ ଅଣ୍ଟା ଭିଡ଼ିଥିଲେ।

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରଜା ଆନ୍ଦୋଳନରେ ଝାସ ଦେଇଥିଲେ। ରାଜ୍ୟରେ ବ୍ୟାପିଥିବା ଆର୍ଥିକ ଅନଟନ, ନିରକ୍ଷରତା ବିରୋଧରେ ସେ ଅଣ୍ଟା ଭିଡ଼ିଥିଲେ। ସାହିତ୍ୟ ରଚନା କରି ସେ କନିକାବାସୀଙ୍କ ମନରେ ବିପ୍ଳବର ବହ୍ନି ଜଳାଇଥିଲେ। ଶେଷରେ ନିଜର ବିଶ୍ୱସ୍ତଙ୍କ ଦ୍ୱାରା ତାଙ୍କୁ ବିଷ ଦେଇ ହତ୍ୟା କରାଗଲା। ଏଭଳି ଚିନ୍ତାନାୟକଙ୍କୁ ଏ ଜାତି ଯେଉଁଭଳି ସମ୍ମାନ ଦେବା କଥା ତାହା ଦେଇନାହିଁ। ଓଡ଼ିଆ ଜାତି ଏହି ପ୍ରେରଣାଦାୟୀ ମହାନ ବିପ୍ଳବୀଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ଜରୁରୀ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଏଭଳି କହିଛନ୍ତି।
ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରଶ୍ନ ପଚାରିବା ଗଣତନ୍ତ୍ରର ଏକ ଅଭିନ୍ନ ଅଙ୍ଗ। ସମ୍ପ୍ରତି ଗଣତନ୍ତ୍ରରେ ପ୍ରଶ୍ନ କରିବା କିମ୍ବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କେହି ସାହସ କରୁନାହାନ୍ତି। ଫଳରେ ଗଣତନ୍ତ୍ର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ଲୋକତନ୍ତ୍ରର ସୁରକ୍ଷା ଲାଗି ଆନନ୍ଦ ଚନ୍ଦ୍ରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମର ଉଦ୍ଘାଟକ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ କହିଲେ, ବିପ୍ଳବୀ ଆନନ୍ଦ ଚନ୍ଦ୍ରଙ୍କ ଭଳି ବଣମଲ୍ଲୀଙ୍କ ମହକ ଲୋକଲୋଚନକୁ ଆସିବା ଜରୁରୀ। ତାଙ୍କ ନେତୃତ୍ବରେ ସଂଗଠିତ ୧୪୨ ବର୍ଷ ପୁରୁଣା ସଂଘର୍ଷ ବିଷୟରେ ଉତ୍ତରପିଢ଼ି ଜାଣିବାର ସମୟ ଆସିଛି।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ କହିଲେ, କନିକା ପ୍ରଜା ଆନ୍ଦୋଳନକୁ ଉଜ୍ଜୀବିତ କରି ରଖିବାରେ କବି ଆନନ୍ଦ ଚନ୍ଦ୍ରଙ୍କ ଲେଖନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତାଙ୍କ କବିତାରେ କନିକା ପ୍ରଜାମାନଙ୍କ ଦୁଃଖ ଜଳଜଳ ହୋଇ ଦିଶେ। ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ, ବିପ୍ଳବୀ ଆନନ୍ଦ ଚନ୍ଦ୍ର ନିଜ ଜୀବନକୁ ଓଡ଼ିଆ ଜାତି ପାଇଁ ଉତ୍ସର୍ଗ କରିଥିଲେ। ଏଭଳି ପୁଣ୍ୟାତ୍ମାଙ୍କୁ ଓଡ଼ିଆ ଜାତି ଉପଯୁକ୍ତ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସ୍ତମ୍ଭକାର ଅଭୟ ଦ୍ୱିବେଦୀ ସ୍ୱର୍ଗତ ଜେନାଙ୍କ ଜୀବନୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍ମୃତି କମିଟି ସଭାପତି ବିଚିତ୍ରାନନ୍ଦ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ବାସୁଦେବ ଦାସ, ହୟଗ୍ରୀବ ଗୁରୁ, ରମଣୀରଞ୍ଜନ ରାଉତରାୟ, ସ୍ୱର୍ଗତ ଜେନାଙ୍କ ନାତି ସଞ୍ଜୟ ଜେନା ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଦୁଃଖିନୀ କନିକା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଦେଇଥିଲେ। ସହ ସଚିବ ସଞ୍ଜୟ ଛୁଆଳସିଂହ ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ




