ରାଜ୍ୟ

ଭିଜିଲେ ଭକ୍ତ-ଭଗବାନ

ପୁରୀ : ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନବ୍ୟାପୀ ଯାତ୍ରା ଆରମ୍ଭ କରିଛନ୍ତି ଦାରୁବ୍ରହ୍ମ। ପ୍ରବଳ ବର୍ଷା ସତ୍ତ୍ବେ ଜନସମୁଦ୍ରରେ ପରିଣତ ହୋଇଛି ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଭାବ, ଭକ୍ତି, ସମର୍ପଣରେ ଉଛୁଳି ଉଠୁଛି ସମଗ୍ର ପୁରୀ ସହର। ବିଶ୍ୱର କୋଟିକୋଟି ଲୋକ ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖି ବିଭୋର ହୋଇଛନ୍ତି। ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର ଗୋଟିଏ ଥର ଟଣାଯାଇଛି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାସ୍ତାରେ ଅଟକି ରହିଛନ୍ତି। ଅନ୍ଧକାର ମଧ୍ୟରେ ଉତ୍କଣ୍ଠାର ସହ ବଡ଼ଦାଣ୍ଡରେ ରଥ ଟାଣିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ରାତିରେ ରଥ ଉପରେ ଠାକୁରଙ୍କ ସେବାପୂଜା କରାଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଶୁକ୍ରବାର ସକାଳ ସାଢ଼େ ୯ଟାରେ ତିନିରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି। କିନ୍ତୁ ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ବିଜେ କରିବେ ନାହିଁ। ଅର୍ଥାତ୍‌ ଆସନ୍ତାକାଲି ଦିନ ତମାମ ଶ୍ରୀଜୀଉମାନେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ।
ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ମହାମାନବୀୟ ଲୀଳାଖେଳା ଦେଖିବାକୁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଥିଲା। ଦିନତମାମ ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିଲା। ତୁହାକୁ ତୁହା ବର୍ଷାରେ ମହାପ୍ରଭୁ ନିଜେ ଭିଜିବା ସହ ଭକ୍ତଙ୍କୁ ଭିଜାଇଥିଲେ। ତିନିଦିନ ଧରି ବର୍ଷା ଲାଗି ରହିଥିଲେ ମଧ୍ୟ ଏହାର
କୌଣସି ଫରକ୍‌ ପଡ଼ିନଥିଲା। ଲକ୍ଷଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଛିଡ଼ା ହୋଇ ବର୍ଷାରେ ଓଦା ହେବା ସହ ମହାପ୍ରଭୁଙ୍କ ପହଣ୍ଡି ଓ ଗଜପତିଙ୍କ ଛେରାପହଁରା ଦେଖି ଆନନ୍ଦରେ ରଥ ଟାଣିଥିଲେ। ଦାରୁବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ହୋଇ ରଥ ଉପରେ ବିଜେ କରିବା ବେଳେ ବର୍ଷା ଲାଗି ରହିଥିଲା। ସେବକମାନେ ଓଦା ହୋଇ ପ୍ରଭୁଙ୍କୁ ପହଣ୍ଡି କରାଇଥିଲେ। ସେହିପରି ଶ୍ରଦ୍ଧାଳୁ ବର୍ଷାକୁ ଖାତିର‌ ନକରି ବଡ଼ଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ। ରଥଦାଣ୍ଡରେ ବର୍ଷାପାଣି ପ୍ରବାହିତ ହେଉଥିଲା। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ସୁସଜ୍ଜିତ ମେହେନାରେ ବସି ଛେରାପହଁରା ପାଇଁ ବିଜେ କରିବା ବେଳେ ଝିପିଝିପି ବର୍ଷା ହେଉଥିଲା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ବର୍ଷାରେ ଭିଜି ରଥ ଉପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ରଥ ଉପରେ ପ୍ରଭୁ ବିଜେ କରିବା ପରେ ପରମ୍ପରା ଅନୁଯାୟୀ ସିଂହାରୀ ସେବକମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ବାହାର କରି ନୂତନ ବସ୍ତ୍ର ପିନ୍ଧାଇ ବେଶ କରିଥିଲେ। ଠାକୁରଙ୍କ ଶ୍ରୀମସ୍ତକରେ ଚିତାଲାଗି କରାଯାଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁ ବର୍ଷାରେ ଭିଜି ଉତ୍କଣ୍ଠାର ସହ ରଥ ଟାଣିଥିଲେ। ବର୍ଷାର ବେଗ ଯେତିକି ବଢ଼ୁଥିଲା, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ସେତିକି ପ୍ରକମ୍ପିତ ହେଉଥିଲା। ଯେପରିକି ଇନ୍ଦ୍ରଦେବ ବର୍ଷା ନୁହେଁ, ଭକ୍ତ ଓ ଭଗବାନଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ। ରଥଯାତ୍ରା ଦେଖିବାକୁ ରାତି ପର୍ଯ୍ୟନ୍ତ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଥିଲା। ବର୍ଷାପାଣିରେ ଉବୁଟୁବୁ ହୋଇଥିଲା ବଡ଼ଦାଣ୍ଡ ସମେତ ସମଗ୍ର ପୁରୀ ସହର। ତେବେ ଦାରୁବ୍ରହ୍ମଙ୍କ ବର୍ଷାଭିଜା ରୂପ ଅଗଣିତ ଭକ୍ତଙ୍କ ଭାବ ଓ ଭକ୍ତିକୁ ବହୁ ଗୁଣରେ ବୃଦ୍ଧି କରିଥିଲା।
ଶ୍ରୀମନ୍ଦିରରେ ପ୍ରଥମେ ଶ୍ରୀଜୀଉଙ୍କ ମଙ୍ଗଳଆଳତି, ଅବକାଶ, ବେଶ, ଦ୍ୱାରପାଳ ପୂଜା ଓ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇଥିଲେ ମହାପ୍ରଭୁ। ମଙ୍ଗଳାର୍ପଣ ପରେ ସକାଳ ୮ଟା ୪୫ରେ ତିନିରଥ ପ୍ରତିଷ୍ଠା କରାଯାଇଥିଲା। ଦିନ ଠିକ୍‌‌ ୯ଟାରେ ଆରମ୍ଭ ହୋଇଥିଲା ପହଣ୍ଡିବିଜେ ନୀତି। ପରମ୍ପରା ଅନୁଯାୟୀ, ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥରେ ବିଜେ କରିଥିଲେ। ଏହାପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ରଥାରୂଢ଼ କରାଯାଇଥିଲା। ମିଳିତ ଘଣ୍ଟ ଓ ମୃଦଙ୍ଗ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ। ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ଦିନ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇଥିଲା। ମଦନମୋହନ ଓ ରାମକୃଷ୍ଣ ରଥରେ ବିଜେ କରିଥିଲେ। ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ତିନିରଥରେ ଛେରା ପହଁରା କରିଥିଲେ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଅପରାହ୍‌ଣ ୫ଟା ୧୦ରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଛି। ରାତି ସୁଦ୍ଧା ଗୋଟିଏ ହେଲେ ରଥ ଶରଧାବାଲିରେ ପହଞ୍ଚି ପାରିନାହିଁ। ଅପରପକ୍ଷେ, ନୀତି ବିଳମ୍ବକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ବୀକାର କରିଛନ୍ତି। ଅପରପକ୍ଷେ ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହେବା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ନିଶାଣ କରିବା ସହ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ରାଜ୍ୟପାଳ ହରିବାବୁ କମ୍ଭମପାଟି, ପୂର୍ବତନ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌‌, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ ଓ ବିଧାୟକ ରଥଯାତ୍ରାରେ ସାମିଲ ହୋଇଥିଲେ। ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବାକୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା, ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍‌‌ ନିୟନ୍ତ୍ରଣ ପାଇଁ ୧୩ ହଜାର ୫ ଶହ ପୁଲିସ ଫୋର୍ସ, ୨୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବାହିନୀ, ପ୍ରାୟ ୨ ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୨୩ଆଇପିଏସ୍‌‌ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥି‌ଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରାଜ୍ୟ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସ୍‌‌ପି ପ୍ରତୀକ ସିଂ ପ୍ରମୁଖ ରଥଯାତ୍ରା ପରିଚାଳନା କରିଥିଲେ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button