ମନୋରଞ୍ଜନ

ମହିଳା ଥାନାରେ ପ୍ରଥମ ପତ୍ନୀଙ୍କ ଏତଲା,ସହମତି ବିନା ଗର୍ଭାଶୟ ବାହାର କରିଥିବା ଅଭିଯୋଗ

ମୁମ୍ୱାଇ ୧୨।୦୨: ପୁଣି ବିବାଦରେ ପ୍ଲେବ୍ୟାକ୍ ସିଙ୍ଗର ଉଦିତ ନାରାୟଣ । ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ଆଣିଲେ ଅଭିଯୋଗ । ତାଙ୍କ ସହମତି ବିନା ଅପରାଧିକ ଷଡ଼ଯନ୍ତ୍ରର ଅଂଶ ଭାବରେ ତାଙ୍କ ଗର୍ଭାଶୟ ବାହାର କରିଥିବା ଅଭିଯୋଗ କରିଛନ୍ତି ରଞ୍ଜନା। “ତାଙ୍କ ଅସୁସ୍ଥତାର ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ଗର୍ଭାଶୟ କାଢ଼ିବା ବିଷୟରେ ଜାଣିବାକୁ ପାଇଥିଲେ” ବୋଲି ଦାବି କରିଛନ୍ତି ରଞ୍ଜନା। ଏନେଇ ତାଙ୍କ ଓକିଲ କରୁଣାକର ଝାଙ୍କ ସହ ମଙ୍ଗଳବାର ବିହାରର ସୁପୌଲ ସହରର ମହିଳା ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।

ଅଭିଯୋଗରେ ସେ କହିଛନ୍ତି , ଉଦିତ ଏବଂ ତାଙ୍କ ଦୁଇ ଭାଇ- ସଞ୍ଜୟ କୁମାର ଝା ଏବଂ ଲଳିତ ନାରାୟଣ ଝା ତାଙ୍କୁ ୧୯୯୬ ମସିହାରେ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ନ ଜଣାଇ କିମ୍ବା ତାଙ୍କ ସମ୍ମତି ନ ନେଇ ତାଙ୍କ ଗର୍ଭାଶୟ ବାହାର କରି ଦେଇଥିଲେ । ସେ ଆହୁରି କହିଛନ୍ତି ଯେ, ଗାୟକଙ୍କ ଦ୍ୱିତୀୟ ପତ୍ନୀ ଦୀପା ନାରାୟଣ ଏହି ଅବସରରେ ହସ୍ପିଟାଲରେ ଉପସ୍ଥିତ ଥିଲେ ଏବଂ ଅସ୍ତ୍ରୋପଚାର ସୁନିଶ୍ଚିତ କରିବା ପାଇଁ ଚାରିଜଣ ଏକାଠି ଥିଲେ । ପ୍ରକାଶ ଥାଉକି, ୧୯୮୪ ଡିସେମ୍ବର ୭ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ଉଦିତଙ୍କୁ ବିବାହ କରିଥିଲେ ରଞ୍ଜନା। ୧୯୮୫ ମସିହାରେ ଉଦିତ ହିନ୍ଦୀ ଚଳଚ୍ଚିତ୍ରରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କ୍ୟାରିଅର୍ କରିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ ।

ରଞ୍ଜନା କହିଛନ୍ତି, “ସେହି ସମୟ ମଧ୍ୟରେ, ମୁଁ ଜାଣିବାକୁ ପାଇଲି ଯେ ସେ ଦୀପା ନାମକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଯେତେବେଳେ ତାଙ୍କୁ ସାମ୍ନା କରିବାକୁ ପଡ଼ିଲା, ସେ ଏହାକୁ ମନା କରିଥିଲେ । ମୁଁ ୨୦୦୬ ମସିହାରେ ମୁମ୍ବାଇ ଯାତ୍ରା କରିଥିଲି କିନ୍ତୁ ଉଦିତ ଏବଂ ଦୀପା ମୋତେ ସେମାନଙ୍କ ଘରେ ପ୍ରବେଶ କରିବାକୁ ମନା କରିଦେଲେ । ତା’ପରେ ମୁଁ ନେପାଳର ସପ୍ତରୀ ଜିଲ୍ଲାର ଭାରଦାହରେ ଥିବା ମୋ ଶ୍ୱଶୁର ଘରର ବାସଭବନକୁ ଗଲି, କିନ୍ତୁ ମୋ ଭାଇ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟମାନେ ମୋତେ ଅପମାନିତ କରି ତଡ଼ି ଦେଇଥିଲେ । ମୁଁ ସେବେଠାରୁ ମୋ ବାପାମାଙ୍କ ଘରେ ରହୁଛି । ଉଦିତଙ୍କ ଦ୍ୱିତୀୟ ବିବାହକୁ ନେଇ ରଞ୍ଜନାଙ୍କ ଦ୍ୱାରା ଏକ ମାମଲା ସୁପୌଲର ପରିବାର କୋର୍ଟରେ ବିଚାରାଧୀନ ଅଛି ଏବଂ ଶୁଣାଣି ଏପର୍ଯ୍ୟନ୍ତ ଚାଲିଛି ।ସେପଟେ ସୁପୌଲ ମହିଳା ପୁଲିସ ଷ୍ଟେସନ୍ ଇନଚାର୍ଜ ଅନୁ ତିୱାରୀ କହିଛନ୍ତି, ”ଏହା ଏକ ୩୦ ବର୍ଷ ପୁରୁଣା ମାମଲା । ଆମେ ଏହାର ତଦନ୍ତ କରିବୁ । ତଥ୍ୟ ଆଧାରରେ ମାମଲା ପଞ୍ଜିକୃତ କରାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button