ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ନବୀନ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି କାମ କରିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏଭଳି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ଓଡ଼ିଶାବାସୀ ମନେ ରଖିବେ ବୋଲି ସେ କହିଛନ୍ତି।
ବିରୋଧୀଦଳ ନେତା କହିଛନ୍ତି, ଖଣିଜ ସମ୍ପଦ ଓ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ରାଜ୍ୟର ସାମ୍ବିଧାନିକ ଅଧିକାରକୁ ବିରୋଧ କରି ଖଣି କମ୍ପାନୀଗୁଡ଼ିକ ଅଦାଲତକୁ ଯାଇଥିଲେ। ଓଡ଼ିଶାର ଏହି ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡି ସରକାର ବହୁ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଲଢ଼େଇ କରିଥିଲା। ପରେ ରାଜ୍ୟ ଭାଜପା ସରକାର ଖଣି କମ୍ପାନୀ ବିରୋଧରେ ମଧ୍ୟ ସୁପ୍ରିମ କୋର୍ଟରେ ଏହି ଲଢ଼େଇ ଜାରି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଆଡ୍‌ଭୋକେଟ ଜେନେରାଲ ମଧ୍ୟ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ। ଏହାକୁ ନେଇ ସୁପ୍ରିମ କୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ବେଞ୍ଚ ତାଙ୍କ ରାୟରେ ଓଡ଼ିଶା ସରକାର ଖଣି କମ୍ପାନୀ ବିରୋଧରେ ନେଇଥିବା ପଦକ୍ଷେପକୁ ଉଚିତ୍‌ ଦର୍ଶାଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ ଓଡ଼ିଶା ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା। ଅନେକ କୋଟି ଟଙ୍କାର ବକେୟା ରାଜସ୍ବ ଆଦାୟ ସହିତ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ବ ଭାବେ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡ଼ିଶାକୁ ମିଳିବାକୁ ଥିବା ରାଜସ୍ବକୁ ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ କିପରି ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇପାରିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ନିଶ୍ଚିତ ଭାବରେ ଆଲୋଚନା କରିଥିବେ। କିନ୍ତୁ ଦୁଃଖର କଥା, ସାରା ଦେଶକୁ ଆଚମ୍ବିତ କରି ସଂସଦରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ ଗୃହୀତ ହୋଇଗଲା। ଫଳରେ ରାଜ୍ୟର ଖଣିଜ ସମ୍ପଦ ଉପରୁ ଟିକସ ଆଦାୟର ସାମ୍ବିଧାନିକ କ୍ଷମତା ଓଡ଼ିଶାଠାରୁ କାଢ଼ି ନିଆଗଲା। ଓଡ଼ିଶା କଥା ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ବିରୋଧରେ ଯାଇ ଭାଜପାର ୨୦ ଜଣ ସାଂସଦ ଏହି ସଂଶୋଧନକୁ ସମର୍ଥନ କଲେ। ଶେଷରେ ସେମାନେ ଖଣି ମାଲିକ ଯାହା ଚାହୁଁଥିଲେ ତାହା କଲେ। ବର୍ତ୍ତମାନ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ(ସଂଶୋଧନ)ର ପରବର୍ତ୍ତୀ ପ୍ରତିକ୍ରିୟା ସ୍ବରୂପ ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ବିଧାନିକ ଅଧିକାର ମଧ୍ୟ ଚାଲିଯାଇଛି। ଗୃହର ନେତା ଭାବରେ ବିଧାନସଭାରେ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ ବୋଲି ପଟ୍ଟନାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button