ଜିଲ୍ଲାରାଜ୍ୟ

ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ଦିଆଯିବ ନାହିଁ ରନ୍ଧା ଖାଦ୍ୟ !

ପୁରୀ: ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ । କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ। ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ । ଶୁକ୍ରବାର ପୁରୀ ସର୍କିଟ ହାଉସରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨ ଦିନ ପରେ ରଥଯାତ୍ରାର ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ I ଏହାର ୧୦ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ସୁପରିଚାଳନା ନିମନ୍ତେ ପୁରୀ ମହାନଗର ନିଗମ କର୍ତ୍ତୃପକ୍ଷ କେତେଦୂର ପ୍ରସ୍ତୁତ ହୋଇଛନ୍ତି ତାହାର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ।

ସହରକୁ ସଫାସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା, ଶୌଚାଳୟ ବ୍ୟବସ୍ଥା କରିବା, ପାର୍କିଂ, ଆଲୋକୀକରଣ ଇତ୍ୟାଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନିକ ସୂଚନା ମୁତାବକ, ସହରର ସମସ୍ତ ନଳାକୁ ସଫା କରାଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ଡ୍ରେନ୍ଗୁଡ଼ିକ ଜାଗୃତି ୱେଲଫେୟାର ସଂସ୍ଥା ଦ୍ୱାରା ସଫା କରାଯାଇଛି। ୨୪ଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି। ସହରର ସମସ୍ତ ସାହି, ଗଳି ରାସ୍ତା ମରାମତି କାମ ଓ ଛୋଟ ଗାତ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି।

ବୁଲାଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଇଛି। ବର୍ଷାକୁ ଆଖି ଆଗରେ ରଖ୍ ୩୦ଟି ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସରିଛି। ଏହି ସ୍ଥାନମାନଙ୍କରେ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ସେଟ୍ ରଖାଯାଇଛି।

ବୈଠକରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ବିନୟ କୁମାର ଦାସ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ମହାନଗର ନିଗମର ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button