ଭୁବନେଶ୍ବର: ଶ୍ରମ ଦିବସରେ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶୁକ୍ରବାର ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଶୁକ୍ରବାର ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଏଣିକି ରାଜ୍ୟ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହୋଇ ୪୭୨ ଟଙ୍କା ହୋଇଛି । ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କା ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୬୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମଜୁରୀ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି । ତେଣୁ ସେମାନଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ନ୍ୟାୟୋଚିତ ଅଧିକାର, ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ ।
ମୁଖ୍ୟମନ୍ତ୍ରୀ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ସହିତ ଶ୍ରମିକ ନେତାମାନଙ୍କ ଅବଦାନକୁ ସମ୍ମାନ ଜଣାଇ ୫ ଜଣ ବିଶିଷ୍ଟ ଶ୍ରମିକ ନେତା ଭଦ୍ରକ ଜିଲ୍ଲାର ଶ୍ରୀମତୀ ସୁମିତା ମହାପାତ୍ର, କଟକ ଜିଲ୍ଲାର ଶ୍ରୀ କିଶୋର ଚନ୍ଦ୍ର ଜେନା, ସମ୍ୱଲପୁର ଜିଲ୍ଲାର ଶ୍ରୀ ଗୋକୁଳ ମେହେର, ଭୁବନେଶ୍ୱରର ଶ୍ରୀ ମଦନ ମୋହନ ଧଳ ଏବଂ ସମ୍ୱଲପୁର ବୁର୍ଲ୍ଲାର ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହିତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ପରିଚୟ ପତ୍ର ଏବଂ ଶିକ୍ଷା, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଆଜି ସାରା ରାଜ୍ୟରେ ୬୦୦୦ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହିତ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସୌଜନ୍ୟ Prameya News7

