ସହରରେ ସେକ୍ସ ରାକେଟ୍ ସିଣ୍ଡିକେଟ୍ର ପର୍ଦ୍ଦାଫାସ: ଅନ୍ଲାଇନ୍ରେ ଚାଲିଥିଲା କାରବାର, ୯ ଦେହଜୀବୀ ଉଦ୍ଧାର, ୨ ମହିଳା ସମେତ ୭ ଅଭିଯୁକ୍ତ ଗିରଫ

ବଲାଙ୍ଗିର,୦୩/୦୯: ନୋ ଫୋନ-ନୋ କଲ । କେବଳ ୱାଟସ୍ଆପ୍ରେ ମ୍ୟାସେଜ ଯାଉଥିଲା । ପରେ ଭଳିକି ଭଳି ଯୁବତୀଙ୍କ ଫଟୋ ଆସୁଥିଲ । ଫଟୋ ଚିହ୍ନଟ କରି ପଚାରିବାରୁ ଦାମ ଛିଣ୍ଡୁଥିଲା । ଏହାପରେ ସ୍ଥାନ, ସମୟ ଠିକ ହେଉଥିଲା । ଶେଷରେ ଅନଲାଇନରେ ଟଙ୍କା ବି ଯାଉଥିଲା । ଅସଲ କଥାଟି ହେଲା, ହାତଗଣତି କେତେଜଣ ଜିଲ୍ଲା ତଥା ରାଜ୍ୟବାହାରୁ ଯୁବତୀ ଆଣି ଜଣାଉଥିଲେ । ଏହାବାଦ ରାକେଟରେ ଥିବା ବ୍ରୋକର ବା ଦଲାଲମାନେ ବିଭିନ୍ନ ଗୋଷ୍ଠୀଙ୍କ ପାଖକୁ ଫଟୋ ପଠାଇ ଗ୍ରାହକ ଖୋଜୁଥିଲେ । ସେଥିପାଇଁ ତାଙ୍କୁ ସମସ୍ତଙ୍କୁ ଗ୍ରାହକ ପିଛା କମିଶନ ମିଳୁଥିଲା । ଏଭଳି ଭାବରେ ପ୍ରତିଦିନ ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର ଚାଲିଛି । ବର୍ତ୍ତମାନ ସହରରେ ସେକ୍ସ ରାକେଟ ଜଣେ କି ଦି’ଜଣ ନୁହେଁ ବରଂ ଏକ ସିଣ୍ଡିକେଟ ଜରିଆରେ ଚାଲିଛି । ଯେଉଁଥିରେ ଦଲାଲଠୁ ଆରମ୍ଭ କରି ଯୁବତୀ ଚାଲାଣକାରୀ, ସୁରକ୍ଷାଦାତା ଏବଂ ହୋଟେଲଗୁଡ଼ିକ ମଧ୍ୟ ସଂପୃକ୍ତି ରହିଛି ।
ଗତକାଲି ଦିନତମାମ ସହରର ବିଭିନ୍ନ ହୋଟେଲରେ ଏସପି ଅଭିଳାଷ ଜୀଙ୍କ ଚଢ଼ଉ ପରେ ଏଭଳି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କେବଳ ସୂଚନା ନୁହେଁ, ସହରର ଟାଉନ ଥାନା ଏବଂ ଲକ୍ଷ୍ମୀଯୋର ଥାନା ଅଞ୍ଚଳର ବିଭିନ୍ନ ଘର ଏବଂ ହୋଟେଲରୁ ୯ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଦୁଇ ମହିଳା ଦଲାଲ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ କେଉଁଠି ସ୍ୱାମୀ-ସ୍ତ୍ରୀ ତ ଆଉ କେଉଁଠି ପୁରୁଣା ଦଲାଲ ବେପାର ଚଲାଇଥିବା ଜଣାପଡ଼ିଥିବା ଏସପି ଅଭିଳାଷ ଜୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜେଇ ମାମଲାରେ ତଦନ୍ତ କରୁଥିବା ସମୟରେ ପୁଲିସ ଏହି ସେକ୍ସ ରାକେଟ ସମ୍ପର୍କରେ ଜାଣିବାକୁ ପାଇଥିଲା । ତେଣୁ ଗତକାଲି ଦିନତମାମ ଏସପି ସହରର ବିଭିନ୍ନ ହୋଟେଲ ଏବଂ ଗେଷ୍ଟ ହାଉସରେ ଯାଞ୍ଚ କରିଥିଲେ । ତା’ରି ଭିତରେ ଟାଉନ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ଅଞ୍ଚଳର ଏକ ହୋଟେଲରୁ ଯାଞ୍ଚ କରିବାରୁ ରୁମ ନମ୍ବର ୧୦୩ ଏବଂ ୧୦୬ରେ ଅସଂଯତ ଅବସ୍ଥାରେ କେତେକ ଯୁବକଯୁବତୀଙ୍କୁ ପାଇଥିଲା । ସେଠାରେ ପଚରାଉଚୁରା କରିବାରୁ ହୋଟେଲ ରୁମରେ ଦେହ ବେପାର ଚାଲିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ ବେଆଇନ କାର୍ଯ୍ୟ ଅଭିଯୋଗରେ ମୁଖ୍ୟ ଦଲାଲ ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଗୀତାଞ୍ଜଳି ବାଗ, ବଲାଙ୍ଗିର ସହରର ସହନବାଜ ଅବଦୁଲ୍ଲା, ସୁରେଶ ସାହୁ, ଜଗମୋହନ ବେରିଆ, ତୁଷୁରା ଥାନା ଅଞ୍ଚଳର ନବଘନ ସୁନା, ଦେଓଗାଁ ଥାନା ଅଞ୍ଚଳର ସୁଦର୍ଶନ ବେହେରା ରହିଛନ୍ତି । ସେହିପରି ଲକ୍ଷ୍ମୀଯୋର ଥାନା ଅଞ୍ଚଳର ଆଲୋକ ନଗର ନିକଟରେ ଏକ ଭଡ଼ାଘରୁ ମଧ୍ୟ ସେକ୍ସ ରାକେଟ ଠାବ କରାଯାଇଛି ।
ସୌଜନ୍ୟ ପ୍ରମେୟ




