ଜାତୀୟ

ସୁପ୍ରିମକୋର୍ଟରେ ହଙ୍ଗାମା କରିଥିବା ଅଭିଯୁକ୍ତ ପ୍ରବଳ ପ୍ରତାପ ଗିରଫ, ବିଚାରପତିଙ୍କୁ କହିଥିଲା- ‘ଜୁଡିସିଆଲ୍ ସର୍ଭେଣ୍ଟ’

ଜୁଲାଇ ୧୦ରେ ସୁପ୍ରିମକୋର୍ଟର କୋର୍ଟରୁମ୍ ନମ୍ବର-୧୩ରେ ଜଷ୍ଟିସ କେ.ଭି.ବିଶ୍ୱନାଥନ ଏବଂ ଜଷ୍ଟିସ ଆଲୋକ ଅରାଧେଙ୍କ ଖଣ୍ଡପୀଠ ସମ୍ମୁଖରେ ଘଟିଥିଲା । ନିୟମିତ ଶୁଣାଣି ସମୟରେ ଅଭିଯୁକ୍ତ ପ୍ରବଳ ପ୍ରତାପ ସିଂହ ଯାଦବ ଏବଂ ତାଙ୍କ ସହଯୋଗୀ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ସୁରକ୍ଷା କର୍ମୀଙ୍କ ସହ ଧସ୍ତଧସ୍ତି କରିଥିଲେ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ମର୍ଯ୍ୟାଦାହାନି କରିବା ମାମଲାରେ ଦିଲ୍ଲୀ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋର୍ଟ ରୁମ୍ ଭିତରେ ଶୁଣାଣି ସମୟରେ ପ୍ରବଳ ହଙ୍ଗାମା କରିଥିବା ପ୍ରବଳ ପ୍ରତାପ ସିଂହ ଯାଦବଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ତାର ସହଯୋଗୀ ଚନ୍ଦ୍ରଭାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ପୋଲିସ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ।

କୋର୍ଟରୁମରେ କରିଥିଲେ ପ୍ରବଳ ହଙ୍ଗାମା

ଏହି ଘଟଣା ଜୁଲାଇ ୧୦ରେ ସୁପ୍ରିମକୋର୍ଟର କୋର୍ଟରୁମ୍ ନମ୍ବର-୧୩ରେ ଜଷ୍ଟିସ କେ.ଭି.ବିଶ୍ୱନାଥନ ଏବଂ ଜଷ୍ଟିସ ଆଲୋକ ଅରାଧେଙ୍କ ଖଣ୍ଡପୀଠ ସମ୍ମୁଖରେ ଘଟିଥିଲା । ନିୟମିତ ଶୁଣାଣି ସମୟରେ ଅଭିଯୁକ୍ତ ପ୍ରବଳ ପ୍ରତାପ ସିଂହ ଯାଦବ ଏବଂ ତାଙ୍କ ସହଯୋଗୀ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ସୁରକ୍ଷା କର୍ମୀଙ୍କ ସହ ଧସ୍ତଧସ୍ତି କରିଥିଲେ ।

ସିଜେଆଇଙ୍କ ପାଇଁ ବ୍ୟବହାର କରିଥିଲେ ଅପଶବ୍ଦ

ପ୍ରବଳ ପ୍ରତାପ ଶୁଣାଣି ସମୟରେ ହଠାତ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ । ସେ ବିଚାରପତିମାନଙ୍କୁ ‘ଜୁଡିସିଆଲ୍ ସର୍ଭେଣ୍ଟ’ ବୋଲି କହିଥିଲେ । ସେ କହିଥିଲେ, “ମିଷ୍ଟର ଜୁଡିସିଆଲ୍ ସର୍ଭେଣ୍ଟ, ମୁଁ ଆପଣଙ୍କୁ ଲକ୍ଷ୍ନୌ ଏଏସପିଙ୍କ ବିରୋଧରେ ସାଇବର କ୍ରାଇମରେ ଗ୍ୟାଙ୍ଗ୍ ଚଲାଇବା ଅଭିଯୋଗରେ ଏଫଆଇଆର୍ ଦାଖଲ କରିବାକୁ ଆଦେଶ ଦେଉଛି ।” ଯେତେବେଳେ ଜଷ୍ଟିସ କେଭି ବିଶ୍ୱନାଥନ ତାଙ୍କୁ ପଚାରିଲେ ଯେ “ଆପଣ ଆମକୁ ଆଦେଶ ଦେଉଛନ୍ତି ?” ଏଥିରେ ଅଭିଯୁକ୍ତ ଜଣକ ରାଗିଯାଇ ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଅପଶବ୍ଦ କହିବା ଆରମ୍ଭ କରିଥିଲେ ।

ହଙ୍ଗାମା ପରେ ସୁରକ୍ଷା କର୍ମୀମାନେ ପ୍ରବଳ ପ୍ରତାପ ସିଂହ ଏବଂ ତାଙ୍କ ସହଯୋଗୀ ଚନ୍ଦ୍ରଭାନଙ୍କୁ କୋର୍ଟରୁମରୁ ବାହାର କରିଦେଇଥିଲେ । ଉଭୟଙ୍କୁ ସୁପ୍ରିମକୋର୍ଟ ପରିସରରେ ଉପସ୍ଥିତ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ୨୪ ବର୍ଷୀୟ ପ୍ରବଳ ପ୍ରତାପ ସିଂହ ଉତ୍ତର ପ୍ରଦେଶର ଇଟାୱାର ବାସିନ୍ଦା । ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଏଲଏଲବି ତୃତୀୟ ବର୍ଷର ଛାତ୍ର । ସେହିପରି ୨୩ ବର୍ଷୀୟ ଚନ୍ଦ୍ରଭାନ ରାୟବରେଲି ଜିଲ୍ଲାର ବାସିନ୍ଦା ଏବଂ ସେ ମଧ୍ୟ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର । ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତଙ୍କୁ ମେଡିକାଲ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରମାନେ ସେମାନଙ୍କ ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ବର୍ତ୍ତମାନ କୌଣସି ପ୍ରକାରର ମାନସିକ ଚିକିତ୍ସା କିମ୍ବା ମନୋବୈଜ୍ଞାନିକ ଟ୍ରିଟମେଣ୍ଟର ଆବଶ୍ୟକତା ନାହିଁ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button