ଜୀବନଚର୍ଯ୍ୟା

ସୁଭାଷିତ: ରେ ମୂଢ଼ମତି! ଭଜ ଗୋବିନ୍ଦ, ଗୋବିନ୍ଦ ଭଜ

‘ମୋହମୁଦ୍‌ଗରଃ’ ଶ୍ରୀଶଙ୍କରାଚାର୍ଯ୍ୟ ବିରଚିତ ଏକ ସୁପ୍ରସିଦ୍ଧ ସଂସ୍କୃତ ରଚନା। ଏଥିରେ ଗୋବିନ୍ଦଙ୍କୁ ଭଜନ ନ କରୁଥିବା ମନୁଷ୍ୟମାନଙ୍କୁ ମୂଢ଼ମତି ବୋଲି କୁହାଯାଇ, ଗୋବିନ୍ଦଙ୍କୁ ଭଜନ କରିବା ପାଇଁ କୁହାଯାଇଛି।

ଦିନମପି ଯାମିନୀ ସାୟଂ ପ୍ରାତଃ
ଶିଶିର ବସନ୍ତୌ ପୁନରାୟାତଃ।
କାଳ କ୍ରୀଡ଼ତି ଗଚ୍ଛତ୍ୟାୟୁ-
ସ୍ତଦପି ନ ମୁଞ୍ଚତ୍ୟାଶାବାୟୁଃ।।
-ଶ୍ରୀଶଙ୍କରାଚାର୍ଯ୍ୟ, ମୋହମୁଦ୍‌ଗରଃ (୮)

‘ମୋହମୁଦ୍‌ଗରଃ’ ଶ୍ରୀଶଙ୍କରାଚାର୍ଯ୍ୟ ବିରଚିତ ଏକ ସୁପ୍ରସିଦ୍ଧ ସଂସ୍କୃତ ରଚନା। ଏଥିରେ ଗୋବିନ୍ଦଙ୍କୁ ଭଜନ ନ କରୁଥିବା ମନୁଷ୍ୟମାନଙ୍କୁ ମୂଢ଼ମତି ବୋଲି କୁହାଯାଇ, ଗୋବିନ୍ଦଙ୍କୁ ଭଜନ କରିବା ପାଇଁ କୁହାଯାଇଛି। ଉପରୋକ୍ତ ସୁଭାଷିତ, ୨୦ଟି ଶ୍ଳୋକ ବିଶିଷ୍ଟ ସେହି ‘ମୋହମୁଦ୍‌ଗରଃ’ର ଅଷ୍ଟମ ଶ୍ଳୋକ। ଭଗବାନ ବିଷ୍ଣୁଙ୍କର ଫାଲଗୁନ ମାସର ନାମ ‘ଗୋବିନ୍ଦ’। ଏହା ‘ବିଷ୍ଣୁ ସହସ୍ର ନାମର ୨୦ତମ ଶ୍ଳୋକର ଅନ୍ତର୍ଗତ ଏବଂ ୧୮୭ତମ ନାମ। ଏହି ନାମର ତାତ୍ପର୍ଯ୍ୟ ସଂପର୍କରେ ସ୍ବାମୀ ଚିନ୍ମୟାନନ୍ଦ କହିଛନ୍ତି– ‘ଗୋ’ ଶବ୍ଦର ଚାରିଟି ଅର୍ଥ ରହିଛି। ତାହା ହେଉଛି ଧରିତ୍ରୀ, ଗାଈ, ବୀଣା ଓ ବେଦ। ଯେଉଁପରି ଧରିତ୍ରୀ ସମସ୍ତଙ୍କର ଆଶ୍ରୟଦାତା, ଠିକ୍‌ ସେହିପରି, ପ୍ରାଣୀର ଅନ୍ତର୍ନିହିତ ସତ୍ତାର ଆଶ୍ରୟଦାତ୍ରୀ ହେଉଛନ୍ତି ବିଷ୍ଣୁ। ସେହିପରି, ଯିଏ ଗୋରକ୍ଷକ ଏବଂ ଗୋକୁଳରେ ଗୋପାଳର ଭୂମିକା ନିର୍ବାହ କରିଛନ୍ତି, ସେ ମଧ୍ୟ ମନୁଷ୍ୟ ହୃଦୟରେ ପଶୁ ପ୍ରବୃତ୍ତିର ନିୟନ୍ତ୍ରକ। ସେହି ଈଶ୍ବର, ଯାହାଙ୍କ ବିନା କଣ୍ଠରୁ ବାଣୀର ସ୍ଫୁରଣ ହୋଇପାରେନା- ସେ ହିଁ ସକଳ ଜୀବର ଜୀବନ। ସେ ହିଁ ସର୍ବୋତ୍ତମ ବାଣୀ ଓ ଶବ୍ଦର ରଚୟିତା।

‘ମୋହମୁଦ୍‌ଗରଃ’ର ଉପରୋକ୍ତ ସୁଭାଷିତରେ ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି- ଦିନ, ରାତି, ସନ୍ଧ୍ୟା ଓ ପ୍ରଭାତ, ଏ ସବୁ ଠିକ୍‌ ସମୟରେ ଆସୁଛନ୍ତି। ଶିଶିର ଓ ବସନ୍ତ ଆଦି ଋତୁମାନେ ଯାଉଛନ୍ତି ପୁଣି ଆସୁଛନ୍ତି। କାଳ ଏହିପରି ଭାବରେ କ୍ରୀଡ଼ା କରୁଛି। ମନୁଷ୍ୟର ଅାୟୁ, ପ୍ରତିଦିନ କ୍ଷୟ ହେଉଛି। ତଥାପି ତା’ର ଆଶା ଓ କାମନାର ପ୍ରବାହ କ୍ଷୀଣ ହେଉନାହିଁ। ଏଣୁ ହେ ମୂଢ଼ମତି ମନୁ‌ଷ୍ୟ! ଗୋବିନ୍ଦଙ୍କୁ ଭଜନ କର।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button