ରାଜ୍ୟ

୧୪ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ବୃଦ୍ଧ ବାପା-ମା’: ପୁଅ ପ୍ରତିମୂର୍ତ୍ତିକୁ ଅନେଇ ବିତୁଛି ଦିନ, ଜାମିନ୍‌ରେ ମୁକୁଳି ବୁଲୁଛନ୍ତି ୯ ଅଭିଯୁକ୍ତ

ଭୁବନେଶ୍ୱର,୨୪/୮: ଘର ଅଗଣାରେ ପୁଅର ପ୍ରତିମୂର୍ତ୍ତି । ଯେତେବେଳେ ନଜର ପଡ଼ି ଯାଉଛି, ବୃଦ୍ଧ ବାପା-ମା’ଙ୍କ ଆଖି ଛଳଛଳ ହୋଇଯାଉଛି । ୫ଜଣ ଝିଅରେ ଏକମାତ୍ର ପୁଅ ଥିଲା ସେ । ବାପା-ମା’ ଆଶା ରଖିଥିଲେ, ପୁଅ ପରିବାରକୁ ସମ୍ଭାଳିବ ଓ ବୟସର ଅପରାହ୍ଣରେ ସେମାନଙ୍କ ସାହା ହେବ । ହେଲେ ପୂଜା ଭସାଣୀର ଝଗଡ଼ାରୁ ଖିନ୍‌ଭିନ୍ କରି ପୁଅ ରଞ୍ଜନ ବେହେରାଙ୍କୁ ହାଣି ପକାଇଲେ । ନିମିଷକେ, ସବୁ ଆଶା ଚୂର୍‌ମାର୍ ହୋଇଗଲା । ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୧୪ ବର୍ଷ ବିତିଲାଣି । ତଥାପି ଥକି ପଡ଼ିନାହାନ୍ତି, ମଞ୍ଚେଶ୍ୱର ରଙ୍ଗମାଟିଆର ରଞ୍ଜନଙ୍କ ବୃଦ୍ଧ ବାପା ରବୀନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ । ଥାନା ପରେ ଏବେ କଚେରିକୁ ଧାଉଁଛନ୍ତି । ହେଲେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ରହିଛି ସମ୍ପୂର୍ଣ୍ଣ ଭରସା । ପୁତ୍ର ହତ୍ୟାର ତାଙ୍କୁ ନ୍ୟାୟ ମିଳିବ ।

୨୦୧୨ ସେପ୍ଟେମ୍ବର ୨୮ ତାରିଖ ଗାଁର ଏକ ପାନ ଦୋକାନରେ ଛିଡ଼ା ହୋଇଥିଲେ ରଞ୍ଜନ । ହଠାତ୍ ୧୦ରୁ ଅଧିକ ଦୁର୍ବୃତ୍ତ ମାଡ଼ିଆସିଲେ । ସଭିଙ୍କ ହାତରେ ଥିଲା ମାରଣାସ୍ତ୍ର । ସଂଘବଦ୍ଧ ହୋଇ ରଞ୍ଜନଙ୍କ ଉପରକୁ ଝାମ୍ପି ପଡ଼ିଥିଲେ । ଧାରୁଆ ଅସ୍ତ୍ରରେ ରଞ୍ଜନଙ୍କୁ ହାଣି ପକାଇଥିଲେ । ଏହି ବୀଭତ୍ସ ହତ୍ୟାକାଣ୍ଡ ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ରଞ୍ଜନଙ୍କ ହତ୍ୟାକାଣ୍ଡକୁ ନେଇ ପୁଲିସ ଉପରକୁ ଅଙ୍ଗୁଳି ଉଠିଲା । ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୬ ତାରିଖରେ ରଙ୍ଗମାଟିଆ ଗାଁର ୨ ସାହିର ଗଣେଷ ପୂଜା ଭସାଣି ଚାଲିଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ‘ମା’ ବାସୁଳାଇ ଯୁବକ ସଂଘ’ କ୍ଲବର ସମ୍ପାଦକ ଥିଲେ ରଞ୍ଜନ । ସେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କଲେ । ପୁଲିସ ଏକ ମାମଲା ରୁଜୁ କଲା । ଯାହା, ରଞ୍ଜନଙ୍କ ପାଇଁ କାଳ ସାଜିଥିଲା । ଥାନାରୁ ମାମଲା ହଟାଇବାକୁ ନେଇ ଅପରପକ୍ଷ ଲୋକେ ଏକାଧିକବାର ଧମକ ଦେବା ସହ ଜୀବନରୁ ମାରିଦେବାକୁ ଚେତାଇ ଦେଇଥିଲେ । ରଞ୍ଜନ ପୁଲିସକୁ ଏ ସମ୍ପର୍କରେ ଜଣାଇଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ପୁଲିସ ଉଭୟ ପକ୍ଷକୁ ଥାନାକୁ ଡାକି ଆପୋଷ ବୁଝାମଣା ପାଇଁ ଚେଷ୍ଟା କଲା । ହେଲେ ଫଳ ଓଲଟା ହେଲା । ଅପରଗୋଷ୍ଠୀ ରଞ୍ଜନଙ୍କୁ ରାସ୍ତାରୁ ହଟାଇ ଦେଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button