Site icon Swayam News

୧୫ ମାସର ଦରମା ବାକି: ବିଏସ୍‌ଏଲ୍‌ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ

ବୀରମିତ୍ରପୁର: ବୀରମିତ୍ରପୁରସ୍ଥ ବିର୍ସା ଷ୍ଟୋନ୍‌ ଲାଇମ ଲିମିଟେଡ୍‌(ବିଏସ୍‌ଏଲ୍‌) କମ୍ପାନିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ୧୫ ମାସର ଦରମା ବାକିଥିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି(ଶୁକ୍ରବାର) ଶତାଧିକ କମ୍ପାନି ଶ୍ରମିକ ଜିଓ ଅଫିସ ଘେରାଉକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରୁ ବିଏସ୍‌ଏଲ୍‌ କମ୍ପାନିରେ କାର୍ଯ୍ୟରତ ଶ୍ରମିକଙ୍କ ୧୭ ମାସର ଦରମା କମ୍ପାନି ବାକି ରଖିଚାଲିଛି। ୨୦୨୨ମସିହା ଜାନୁଆରି ଓ ୨୦୨୩ ଅଗଷ୍ଟ ମାସରେ ଦୁଇମାସର ଦରମା ଦିଆଯାଥିଲା। ଆହୁରି ୧୫ ମାସର ବାକିଥିବା ଦରମା କମ୍ପାନି ଦେଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକନେତା ସାଜିଦ ଅହମ୍ମଦ, ମନୋଜ କୁମାର ଜୟସ୍ବାଲ, ଏସ୍‌ କେ ସାମନ୍ତରାୟ, ତପନ କୁମାର ଗିରି, ରାଜା ମିତ୍ର, ବେଣୁ ମସାନ୍ତ, ଶୁକ୍ରା କଛୁଆ, ବିସ୍ମୟ ମହାନ୍ତି, ଅଜୟ ମୁଣ୍ଡୁଙ୍କ ନେତୃତ୍ୱରେ ବାକିଥିବା ଦରମା ଓ ଦରମା ଚୁକ୍ତିନାମା ପ୍ରଦାନ ଦାବିନେଇ ବିଏସ୍‌ଏଲ୍‌ କମ୍ପାନିର ଜେନେରାଲ୍‌ ଅଫିସ(ଜିଓ) ଘେରାଉ କରିବା ସହ ଧାରଣା ଦିଆଯାଇଥିଲା। ଏହି ଅବସରରେ ଦୁଇ ଦଫା ସମ୍ପଳିତ ଦାବିପତ୍ର ଦିଆଯାଇଥିଲା। ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ବିଏସ୍‌ଏଲ୍‌ କମ୍ପାନି କ୍ରସରକୁ ଦୁଇଟି ଘରୋଇ ଠିକାସଂସ୍ଥାକୁ ଦେଇଛି। ସେମାନେ ଦିନରାତି ଉତ୍ପାଦନରେ ଲାଗିରହି ମାସକୁ ହାରାହାରି ୮ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉତ୍ପାଦନ କରୁଛନ୍ତି। ବିଏସ୍‌ଏଲ୍‌ କାର୍ଯାଳୟ ଅଧିକାରୀମାନେ ତାଙ୍କ ଦରମା ନିୟମିତ ପାଇ ଚାଲିଥିବାବେଳେ ଏଠାରେ ଥିବା ଶ୍ରମିକ ମାନଙ୍କ ଦରମା ଦୀର୍ଘ ୧୫ ମାସଧରି ବାକି ରଖିଥିବା ଦୁର୍ଭାଗ୍ୟପୂର୍ଣ୍ଣ। କମ୍ପାନି କ୍ଷତିରେ ଚାଲିଥିବା କହି ଶ୍ରମିକଙ୍କ ଦରମା ପ୍ରଦାନ ନ କରିବାକୁ ବାହାନା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କମ୍ପାନି କ୍ଷତି ପାଇଁ ଏଠାକାର ପରିଚାଳନା ସମ୍ପୂର୍ଣ୍ଣ ରୂପରେ ଦାୟୀ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେହିପରି କମ୍ପାନି ପକ୍ଷରୁ ବିଭିନ୍ନ ଆଳ ଦେଖାଇ ୨୦୧୨ ମସିହାରୁ କାର୍ଯ୍ୟରତ ଶ୍ରମିକମାନଙ୍କ ଗାତ ଦରମା ଚୁକ୍ତିନାମା କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି। ବିଏସ୍‌ଏଲ୍‌ କମ୍ପାନି ବିପଣନ ମୁଖ୍ୟ ସଞ୍ଜୟ ପଟେଲ, ବରିଷ୍ଠ ଖଣି ପ୍ରବନ୍ଧକ ଏସ୍‌କେ ନନ୍ଦ, ପ୍ରବନ୍ଧକ ଏସ୍‌ଏନ୍‌ ତ୍ରିପାଠୀଙ୍କୁ ଶ୍ରମିକମାନେ ଦୁଇ ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ବିପଣନ ମୁଖ୍ୟ ଶ୍ରୀ ପଟେଲ ଶ୍ରମିକଙ୍କ ୧୫ ମାସର ବାକିଥିବା ଦରମା ତାଙ୍କ ଅଧୀନରେ ନଥିବାବେଳେ ଏ ସମ୍ପର୍କରେ ସେ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟକୁ ଲିଖିତ ଭାବରେ ଜଣାଇବେ ବୋଲି କହିଥିଲେ। ଡିସେମ୍ବର ୧୦ ତାରିଖରେ ଆର୍‌ଏଲ୍‌ସି କାର୍ଯ୍ୟାଳୟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। କମ୍ପାନି ଶ୍ରମିକଙ୍କ ସ୍ୱାର୍ଥହାନି ପକ୍ଷ ରଖିଲେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦିଆଯାଇଛି।

ସୌଜନ୍ୟ – ସମ୍ୱାଦ

Exit mobile version