ଖେଳ

୭୮୦ ଛକା ଓ ପ୍ରଥମେ ବ୍ୟାଟିଂର ବିଶ୍ବକପ୍‌

‘ଇତିହାସ ‌ଦୋହରାଇବୁ, ଇତିହାସକୁ ହାରରାଇବୁ’ର ସ୍ଲୋଗାନ୍‌ ଅକ୍ଷରେ ଅକ୍ଷରେ ପ୍ରତିଫଳିତ ହୋଇଛି। ସଦ୍ୟ ସମାପ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ କେବଳ ରେକର୍ଡ ତୃତୀୟ ଥର ବିଶ୍ବକପ୍‌ ଜିତିନାହିଁ। ପ୍ରଥମ ଆୟୋଜକ ଦେଶ ଭାବେ ବିଶ୍ବକପ୍‌....

ଭୁବନେଶ୍ବର: ‘ଇତିହାସ ‌ଦୋହରାଇବୁ, ଇତିହାସକୁ ହାରରାଇବୁ’ର ସ୍ଲୋଗାନ୍‌ ଅକ୍ଷରେ ଅକ୍ଷରେ ପ୍ରତିଫଳିତ ହୋଇଛି। ସଦ୍ୟ ସମାପ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ କେବଳ ରେକର୍ଡ ତୃତୀୟ ଥର ବିଶ୍ବକପ୍‌ ଜିତିନାହିଁ। ପ୍ରଥମ ଆୟୋଜକ ଦେଶ ଭାବେ ବିଶ୍ବକପ୍‌ (ଟ୍ବେଣ୍ଟି-୨୦) ଜିତିବା ଏବଂ ଟାଇଟଲ୍‌ ଡିଫେଣ୍ଡ୍‌ରେ ସଫଳ ହେବାରେ ବି ଭାରତ ପ୍ରଥମ ଦେଶ ‌ହୋଇଛି। ଏହି ଅବସରରେ ଅନେକ ରେକର୍ଡ ବି ଏହି ବିଶ୍ବକପ୍‌ରେ ଭାଙ୍ଗିଯାଇଛି।

(୧) ୨୦ ଦେଶକୁ ନେଇ ୩୦ ଦିନର ଯାତ୍ରା, ୫୫ ମ୍ୟାଚ୍‌ର ଲଢ଼େଇ ପରେ ଗୋଟିଏ ବିଜେତା ବାହାରିଛି। କିନ୍ତୁ ଏହି ପ୍ରତିଯୋଗିତା ଅବସରରେ ଅନେକ ନୂଆ କଥା ମଧ୍ୟରୁ ଛକା ବର୍ଷା ହେବା ଅନ୍ୟତମ। ୨୦୨୬ ସଂସ୍କରଣରେ ମୋଟ ୭୮୦ ଛକା ଦେଖିବାକୁ ମିଳିଛି, ଯାହାକି ଗତ ୨୦୨୪ ସଂସ୍କରଣ (୫୧୭ ଛକା) ତୁଳନାରେ ୫୦.୮୭ ପ୍ରତିଶତ ବୃଦ୍ଧି ଘଟିଛି। ବଲ୍‌ ପିଛା ଛକାର ଅନୁପାତ ୧୫.୫୨ ରହିଛି ଯାହାକି ସମସ୍ତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସଂସ୍କରଣରେ ଶ୍ରେଷ୍ଠ। ଏହି ୭୮୦ ଛକା ମଧ୍ୟରୁ ଭାରତରେ ଖେଳାଯାଇଥିବା ୩୫ ମ୍ୟାଚ୍‌ରୁ ୬୦୦ ଏବଂ ଶ୍ରୀଲଙ୍କାରେ ଖେଳାଯାଇଥିବା ୨୦ ମ୍ୟାଚ୍‌ରୁ ୧୮୦ ଛକା ଆସିଛି। ଏହି ବିଶ୍ବକପ୍‌ରେ ବ୍ୟକ୍ତିଗତ ଭାବେ ୪ ଥର ସର୍ବାଧିକ ବ୍ୟକ୍ତିଗତ ଛକା ରେକର୍ଡ ଭାଙ୍ଗିଥିଲା। ବିଶ୍ବକପ୍‌ ଆରମ୍ଭ ବେଳକୁ ଏହି ରେକର୍ଡ ନିକୋଲାସ ପୂରନ (୧୭ ଛକା, ୨୦୨୪)ଙ୍କ ନାମରେ ଥିଲା। କିନ୍ତୁ ସାହିବଜାଦା ଫରହାନ୍‌ (୧୮), ସିମ୍ରନ୍‌ ହେଟମାୟର (୧୯), ଫିନ୍‌ ଆଲେନ୍‌ (୨୦) ଏହାକୁ ଭାଙ୍ଗିଥିଲେ ମଧ୍ୟ ଶେଷକୁ ୩ ଚମତ୍କାର ପାଳି‌ ଖେଳି ସଂଜୁ ସାମସନ୍‌ (୨୪ ଛକା) ନିଜ ନାମରେ କରି ନେଇଛନ୍ତି।

(୨) ସଂଜୁ ସାମସନ୍‌ ଏଥର ୪ ମ୍ୟାଚ୍‌ ଖେଳିପାରି ନଥିଲେ ମଧ୍ୟ ବିଶ୍ବକପ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଛନ୍ତି। କାରଣ ସେ ସୁପର୍‌-୮ର ଶେଷ ମ୍ୟାଚ୍‌, ସେମିଫାଇନାଲ ଓ ଫାଇନାଲ୍‌ରେ ଯଥାକ୍ରମେ ୯୭*, ୮୯, ୮୯ ରନ୍‌ ସ୍କୋର୍‌ କରିଥିଲେ। ଅତୀତରେ ଅନ୍ୟ ୪ ଜଣ ସବୁ ମ୍ୟାଚ୍‌ ନ ଖେଳି‌ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ, କିନ୍ତୁ ସେମାନେ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ୍‌ରୁ ବଞ୍ଚିତ ରହିଥିଲେ।

(୩) ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସର ଶୀର୍ଷ ୭ ସର୍ବୋଚ୍ଚ ଦଳଗତ ସ୍କୋର୍‌ ମଧ୍ୟରୁ ୬ଟି ୨୦୨୬ରୁ ମିଳିଛି। କେବଳ ଶ୍ରୀଲଙ୍କାର ୨୬୦/୬ (ବନାମ କେନିୟା, ୨୦୦୭) ପ୍ରଥମ ସଂସ୍କରଣରୁ ଶୀର୍ଷ ସ୍ଥାନ ବହନ କରିଚାଲିଛି। ଏହା ପରଠାରୁ ୩୬୩ ମ୍ୟାଚ୍ ଖେଳାସରିଛି, କିନ୍ତୁ ଶ୍ରୀଲଙ୍କା ରେକର୍ଡ ଅତୁଟ ରହିଛି। ୪ ଥର ଶ୍ରୀଲଙ୍କାର ଏହି ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ମଧ୍ୟ ୧୦ ରନ୍‌ ଦୂରରୁ ଅଟକିଯାଇଛି। ଏହି ୪ଟିରୁ ଭାରତ ୩ ଥର ‘ଏତେ ପାଖ ଏତେ ଦୂର’ ଭଳି ସ୍ଥିତିରେ ରହିଛି।

(୪) ସଦ୍ୟ ସମାପ୍ତ ବିଶ୍ବକପ୍‌ରେ ଭାରତ ମୋଟ ୧୫ କ୍ୟାଚ୍‌ ହାତଛଡ଼ା କରିଛି। ଅନ୍ୟ କୌଣସି ଦେଶ ଏଥର ୧୦ରୁ ଅଧିକ କ୍ୟାଚ୍‌ ଛାଡ଼ିନାହାନ୍ତି। ପୂର୍ବରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ୧୪ କ୍ୟାଚ୍‌ ଡ୍ରପ୍‌ ରେକର୍ଡ ଆୟର୍ଲାଣ୍ଡ୍‌ (୨୦୨୨) ନାମରେ ଥିଲା।

(୫) ପାକିସ୍ତାନର ସାହିବଜାଦା ଫରହାନ୍‌ ସର୍ବାଧିକ ୩୮୩ ରନ୍‌ ସଂଗ୍ରହ କରିଛନ୍ତି। ପ୍ରଥମ ବ୍ୟାଟର୍‌ ଭାବେ ସେ ବିଶ୍ବକପ୍‌ରେ ଦୁଇଟି ଶତକ ହାସଲ କରିଥିଲେ। ୫ଟି ଅର୍ଦ୍ଧଶତକ ସହିତ ସେ ପାକିସ୍ତାନ ପାଳିର ୩୭.୩ ପ୍ରତିଶତ ରନ୍‌ ବି ଯୋଡ଼ିଥିଲେ।

(୬) ଏଥର ୨୦ଟି ଅର୍ଦ୍ଧଶତକ ଆସିଛି ୨୫ କିମ୍ବା ତା’ଠାରୁ କମ୍‌ ବଲ୍‌ରୁ। ପୂର୍ବ ୯ ସଂସ୍କରଣରେ ମିଳିତ ଭାବେ ୨୭ଟି ଅର୍ଦ୍ଧଶତକ ଏଭଳି ଭାବେ ମିଳିଥିଲା। କୌଣସି ସଂସ୍କରଣରେ କିନ୍ତୁ ୫ରୁ ଅଧିକ ନଥିଲା।

(୭) ମୋଟ ୭ ବ୍ୟକ୍ତିଗତ ଶତକର ଛାପ ଛାଡ଼ିଛି ଭାରତ-ଶ୍ରୀଲଙ୍କାର ଏହି ୨୦୨୬ ସଂସ୍କରଣ। ପୂର୍ବ ୯ଟି ମଧ୍ୟରୁ କୌଣସି ଥର ୨ରୁ ଏହା ଅଧିକ ନଥିଲା। ଦୁଇ ଦ୍ରୁତତମ ଶତକ ମଧ୍ୟ ଏହି ବିଶ୍ବକପ୍‌ରୁ ସଂଗୃହୀତ ହୋଇଛି।

(୮) ଏଥର ମୋଟ ୧୪ଟି ୨୦୦+ ସ୍କୋର୍‌ ବି ଦେଖିବାକୁ ମିଳିଛି। ପୂର୍ବ ୯ଟି ସଂସ୍କରଣରେ ମିଳିତ ଭାବେ ଏହା ୧୮ ଥିଲା। ୨୦୦୭ ପ୍ରଥମ ସଂସ୍କରଣ‌ରେ ଏହା ୫ରେ ସୀମିତ ଥିଲା। ଭାରତର ୬ ଜଣ ବ୍ୟାଟର୍‌ ୨୦୦+ ରନ୍‌ ସଂଗ୍ରହ କରିଛନ୍ତି। ସେମାନେ ହେଲେ- ଈଶାନ କିଶନ, ସଂଜୁ ସାମସନ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ। କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳା କି ପ୍ରତିଯୋଗିତାରେ ଏହା ସର୍ବାଧିକ। ବିଶ୍ବକପ୍‌ରେ ଅନ୍ୟ କୌଣସି ଦେଶ ୩ରୁ ଅଧିକ ୨୦୦+ ବ୍ୟାଟର୍‌ ପାଇନାହାନ୍ତି। ପ୍ରଥମ ଦେଶ ଭାବେ ଭାରତର ୬ ଜଣ ବ୍ୟାଟର୍‌ ମଧ୍ୟ ୫୦+ ସ୍କୋର୍‌ କରିଛନ୍ତି। ସେମାନେ ହେଲେ-ଈଶାନ କିଶନ, ସଂଜୁ ସାମସନ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅଭିଷେକ ଶର୍ମା।

(୯) ବିଶ୍ବକପ୍‌ରେ ଅନ୍ୟୂନ ୧୦୦ ବଲ୍‌ ପକାଇଥିବା ବୋଲରଙ୍କ ମଧ୍ୟରେ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୩ଟି ସଂସ୍କରଣରେ ଶ୍ରେଷ୍ଠ ଇକୋନୋମିରେ ବୋଲିଂ କରିଛନ୍ତି। ୨୦୨୧ରେ ୫.୦୮, ୨୦୨୪ରେ ୪.୧୭ ଏବଂ ୨୦୨୬ରେ ୬.୨୧। ଅନ୍ୟ କୌଣସି ‌ଦେଶର ବୋଲର ଏକରୁ ଆଗକୁ ବଢ଼ିପାରିନାହାନ୍ତି।

(୧୦) ଭାରତ ସମସ୍ତ ୯ ମ୍ୟାଚ୍‌ରୁ ୧୦୬ ଛକା ମାରିଛି। ପ୍ରଥମ ଦେଶ ଭାବେ ମଧ୍ୟ ସେ ଏ କ୍ଷେତ୍ରରେ ଶତକ କରିଛି। ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍‌ର କୌଣସି ଶୃଙ୍ଖଳା କି ପ୍ରତିଯୋଗିତାରେ ୧୦୦ ଛକା ପୂର୍ଣ୍ଣ କରିବାରେ ଭାରତ ପ୍ରଥମ ଦେଶ।

(୧୧) ୨୦୨୬ ସଂସ୍କରଣ ବିଶ୍ବକପ୍‌ର ବ୍ୟାଟିଂ ଷ୍ଟ୍ରାଇକ୍‌ ରେଟ୍‌ (୧୩୯) ସମସ୍ତ ସଂସ୍କରଣ ଭିତରେ ସର୍ବୋଚ୍ଚ। ୨୦୨୪ ସଂସ୍କରଣ (୧୦୯.୯୬) ତୁଳନାରେ ଏହା ୨୬.୪୧ ପ୍ରତିଶତ ବୃଦ୍ଧି ଘଟିଛି।

(୧୨) ପ୍ରଥମେ ବ୍ୟାଟିଂ କରିଥିବା ଦଳର ହାରାହାରି ବିଜୟ ୫୪.୮୬ ପ୍ରତିଶତ ହୋଇଛି। ସମସ୍ତ ୧୦ ସଂସ୍କରଣରେ ଏହା ସର୍ବୋଚ୍ଚ ରେକର୍ଡ କରିଛି। ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥିବା ୨୯ ମ୍ୟାଚ୍‌ ମଧ୍ୟରୁ ୧୬ଟିରେ ୫୦+ ରନ୍‌ ବ୍ୟବଧାନ ଦେଖିବାକୁ ମିଳିଛି। ମାତ୍ର ୪ଟିରେ ବିଜୟ ବ୍ୟବଧାନ ୨୦ରୁ କମ୍‌ ରହିଛି।

(୧୩) ଇଟାଲି ବିପକ୍ଷରେ ସମାର ଯୋସେଫ ୮ ୱିକେଟ୍‌ ପତନରେ ଅଂଶୀଦାର ଥିଲେ। ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ବୋଲିଂ ବେଳେ ୪ ୱିକେଟ୍‌ ଦଖଲ କରିବା ସହ ଫିଲ୍ଡିଂ ବେଳେ ୪ କ୍ୟାଚ୍‌ ନେଇଥିଲେ। ପ୍ରଥମ ଖେଳାଳି ଭାବେ ସେ କୌଣସି ଟ୍ବେଣ୍ଟି-୨୦ କି ଦିନିକିଆ ଅନ୍ତର୍ଜାତୀୟର ଉଭୟ ବିଭାଗରେ ୪+ ସଫଳତା ପାଇଛନ୍ତି। କିନ୍ତୁ ତାଙ୍କ ପୂର୍ବରୁ ୩ ଜଣ ଟ୍ବେଣ୍ଟି-୨୦ରେ ୮ ୱିକେଟ୍‌ର ଅଂଶୀଦାର ଥିଲେ।

(୧୪) ଯଶପ୍ରୀତ୍‌ ବୁମ୍‌ରା ଫାଇନାଲ୍‌ ମ୍ୟାଚ୍‌ରେ ୪-୦-୧୫-୪ ବୋଲିଂ ଚିତ୍ର ସହିତ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। କିନ୍ତୁ ଏହା ପୂର୍ବରୁ କୌଣସି ବୋଲର ୪ ୱିକେଟ୍‌ ସଫଳତା ବିନା ୧୦୦ ପୂର୍ଣ୍ଣ କରି ନଥିଲେ। ବୁମ୍‌ରା ମଧ୍ୟ ଦ୍ବିତୀୟ ବୋଲର ଭାବେ ଏହି ଫର୍ମାଟର ବିଶ୍ବକପ୍‌ ଫାଇନାଲ୍‌ରେ ୪ ୱିକେଟ୍‌ ସଫଳତା ପାଇଛନ୍ତି। ୨୦୧୨ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅଜନ୍ତା ମେଣ୍ଡିଜ୍‌ ୪-୦-୧୨-୪ ସଫଳତା ପାଇଥିଲେ।

(୧୫) ପାଲେକେଲ୍‌ରେ ଇଂଲଣ୍ଡ ମାତ୍ର ୧୪୬/୯ ସ୍କୋର୍‌ କରିବା ପରେ ଏହାକୁ ଡିଫେଣ୍ଡ୍‌ କରି ଶ୍ରୀଲଙ୍କାକୁ ହରାଇଥିଲା। ଏହା ପ୍ରତିଯୋଗିତାର ଏକମାତ୍ର ନିମ୍ନତମ ସ୍କୋର୍‌ ଯାହାକୁ ଦଳ ସୁରକ୍ଷିତ ରଖିପାରିଥିଲା। ମାତ୍ର ୧୨ ଥର ପ୍ରଥମେ ବ୍ୟାଟିଂର ଦଳ ୧୬୦ ରନ୍‌ ତଳକୁ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ୪୧ ମ୍ୟାଚ୍‌ ମଧ୍ୟରୁ ୨୮ଟି ୧୬୦+ ସ୍କୋର୍‌ ସଫଳତାର ସହ ଡିଫେଣ୍ଡ୍‌ ହୋଇଥିଲା। ମୋଟ ୧୨ଟି ୨୦୦+ ସ୍କୋର୍‌ ମଧ୍ୟରୁ କୌଣସି ଗୋଟିଏ ବି ଦେଶ ପଶ୍ଚାତ୍‌ଧାବନରେ ସଫଳ ହୋଇ ନଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button