ୱାଟ୍କୋ ଖୋଳିଲା ରାସ୍ତା, ଜାମ୍ରେ ଫସିଲେ ଲୋକେ…ପ୍ରମେୟ ଛକରୁ ଖଣ୍ଡଗିରି ରୁଟ୍ରେ ଭାରୀ ଗାଡ଼ି ଚଳାଚଳ ବନ୍ଦ

ଭୁବନେଶ୍ୱର ୦୧/୦୯: ଭୁବନେଶ୍ୱରର ଖଣ୍ଡଗିରି-ପ୍ରମେୟ ଛକ ରାସ୍ତାରେ ପୁଣି ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଛି। କିଛି ଦିନର ବ୍ୟବଧାନ ପରେ ୱାଟ୍କୋ ପକ୍ଷରୁ ପୁଣି ରାସ୍ତା ଖୋଳାଖୋଳି କାମ ଆରମ୍ଭ ହୋଇଛି। ଫଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
ପ୍ରମେୟ ଛକ ପଟୁ ଖଣ୍ଡଗିରି ଆଡ଼କୁ ଯାଉଥିବା ଚାରିଚକିଆ ଯାନ ଚଳାଚଳକୁ ବନ୍ଦ କରାଯାଇଛି। ଏହି ରୁଟ୍ରେ ଆମ ବସ୍, ସ୍କୁଲ-କଲେଜ ବସ୍, ହାଇୱା ଓ ମିନିଟ୍ରକ୍ ଭଳି ଭାରୀ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ତେବେ ବାଇକ୍ ଆରୋହୀଙ୍କୁ ଯାତାୟାତ ପାଇଁ ଅନୁମତି ଦିଆଯାଇଛି। ଫଳରେ ଅଜଣା ଲୋକ ଏହି ରୁଟ୍ ରେ ଆମ ବସ୍କୁ ଅପେକ୍ଷା କରିଛନ୍ତି।
ଅନ୍ୟପଟେ, ଖଣ୍ଡଗିରି ପଟୁ ପୋଖରୀପୁଟ ଆଡ଼କୁ ଯାଉଥିବା ରାସ୍ତାରେ କେବଳ ହାଲୁକା ଯାନବାହନ ଚଳାଚଳକୁ ଅନୁମତି ରହିଛି। ରାସ୍ତା ଖୋଳାଖୋଳି କାମ ଯୋଗୁଁ ସ୍କୁଲ, ଅଫିସ୍ ଯାତାୟାତ ସହ ଦୋକାନୀ ଓ ସାଧାରଣ ଲୋକେ ମଧ୍ୟ ହଇରାଣ ହେଉଛନ୍ତି। ଏହି ରୁଟ୍ରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ, ରାସ୍ତା ଖୋଳାଖୋଳି କାମ ଶୀଘ୍ର ସାରି ଯାତାୟାତ ସ୍ୱାଭାବିକ କରିବାକୁ ଦାବି ହେଉଛି।
ସୌଜନ୍ୟ ପ୍ରମେୟ




