
ବାଲିଅନ୍ତା: ପ୍ରତାପଶାସନ ପଞ୍ଚାୟତରେ ବିଭିନ୍ନ ଅନିୟମିତତାକୁ ନେଇ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ସମେତ ୧୦ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ପୁଣି ଉଗ୍ରରୂପ ନେଇଥିଲା। ଆଜି ଅପରାହ୍ନରେ ସରପଞ୍ଚ ରୀନା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ୧୦ ଜଣ ୱାର୍ଡ ସଭ୍ୟ ବର୍ଜନ କରିଛନ୍ତି।
ବୈଠକ ଆରମ୍ଭରେ ୱାର୍ଡସଭ୍ୟ ଓ ସରପଞ୍ଚଙ୍କ ଦରମା ପ୍ରସଙ୍ଗ ଉପରେ ପଞ୍ଚାୟତ ଅଧିକାରୀ ଜିତେଶ କୁମାର ରାଉତରାୟ ଆଲୋଚନା କରିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୱାର୍ଡସଭ୍ୟମାନେ ଶ୍ରୀ ରାଉତରାୟ ଓ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର କୁମାର ବେହେରାଙ୍କୁ ବିରୋଧ କରି ହୋହଲ୍ଲା କରିଥିଲେ। ବୈଠକରେ ସରପଞ୍ଚ ଏକତରଫା ଭାବେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ, ୱାର୍ଡ ସଭ୍ୟମାନଙ୍କ ବିନା କୌଣସି ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ ନେଇ ଅନୁଦାନ ମଞ୍ଜୁର କରାଯାଇ ପାରିବ ନାହିଁ ବୋଲି ଦାବି କରି ପାଟିତୁଣ୍ଡ କରିଥିଲେ।
ଏନେଇ ମଧ୍ୟ ରେଜୁଲେସନ୍ ହୋଇଥିଲା। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ଅନିୟମିତତାର ତଦନ୍ତ ନହେବା ପର୍ଯ୍ୟନ୍ତ ବୈଠକ ବନ୍ଦ ରହିବ ବୋଲି ୱାର୍ଡସଭ୍ୟ ଦେବାଶିଷ ଦାଶ ଓ ଅନ୍ୟମାନେ ଦାବି କରି ବୈଠକ ବର୍ଜନ କରିଥିଲେ। ୱାର୍ଡ ସଭ୍ୟମାନେ ଅସହଯୋଗ କରିବାରୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ବୈଠକକୁ ବନ୍ଦ କରିଦେଇଥିଲେ l ଏସମ୍ପର୍କରେ ସରପଞ୍ଚ ରୀନା ବେହେରା କହିଛନ୍ତି ପଞ୍ଚାୟତରେ ବିଭିନ୍ନ ୱାର୍ଡସଭ୍ୟମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ l ପଞ୍ଚାୟତ ବିକାଶ କାର୍ଯ୍ୟରେ ଏଭଳି ଅସହଯୋଗ ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି l ସୂଚନାଯୋଗ୍ୟ ବିକଶିତ ଗାଁ ବିକଶିତ ଓଡିଶାରେ ବିଭିନ୍ନ ୱାର୍ଡରେ ୧ କୋଟି ଅନୁଦାନ ବଣ୍ଟନରେ ଅନିୟମିତତା ଆଦି ୬ ଦଫା ଦାବି ନେଇ ୱାର୍ଡ ସଭ୍ୟମାନେ ଜିଲ୍ଲାପାଳ, ବିଡିଓ ଓ ଖୋର୍ଦ୍ଧାଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ




