ଓଡିଶାମହାନଗର

50th anniversary: ଗୋତି ଶ୍ରମିକ ଉଚ୍ଛେଦ ଆଇନର ୫୦ ବର୍ଷ ପୂର୍ତ୍ତି: ୨୦୨୩-୨୪ରେ ୧୫୫ ଗୋତି ଶ୍ରମିକ ଉଦ୍ଧାର

ଗୋତି ଶ୍ରମିକ ପ୍ରଥା ଶେଷ ହୋଇନାହିଁ। ଏହା ନୂତନ ଓ ଅଧିକ ଅଦୃଶ୍ୟ ଆକାର ନେଇଛି। ଦୁର୍ବଳ ପ୍ରୟୋଗ, ବିଭାଗୀୟ ସମନ୍ୱୟର ଅଭାବ ଓ ଜିଲ୍ଲାସ୍ତରରେ ସଚେତନତା ସମିତିଗୁଡ଼ିକର ନିଷ୍କ୍ରିୟତା ଆଇନର ଉଦ୍ଦେଶ୍ୟକୁ କ୍ଷୀଣ....

ଭୁବନେଶ୍ୱର: ଗୋତି ଶ୍ରମିକ ପ୍ରଥା ଶେଷ ହୋଇନାହିଁ। ଏହା ନୂତନ ଓ ଅଧିକ ଅଦୃଶ୍ୟ ଆକାର ନେଇଛି। ଦୁର୍ବଳ ପ୍ରୟୋଗ, ବିଭାଗୀୟ ସମନ୍ୱୟର ଅଭାବ ଓ ଜିଲ୍ଲାସ୍ତରରେ ସଚେତନତା ସମିତିଗୁଡ଼ିକର ନିଷ୍କ୍ରିୟତା ଆଇନର ଉଦ୍ଦେଶ୍ୟକୁ କ୍ଷୀଣ କରିଛି ବୋଲି ଗୋତି ଶ୍ରମିକ  ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ର ୫୦ ବର୍ଷ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଯୋଗଦେଇ ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଲକ୍ଷ୍ମୀଧର ମିଶ୍ର କହିଛନ୍ତି। ଗୋତି ଶ୍ରମିକ ନିରୋଧ ପାଇଁ କାର୍ଯ୍ୟରତ ‘ସୁରକ୍ଷା’ ଦ୍ବାରା ଆଜି ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବରିଷ୍ଠ ପ୍ରଶାସକ, ସିଭିଲ ସୋସାଇଟି ସଙ୍ଗଠନ, ବଞ୍ଚିଥିବା ପୀଡ଼ିତମାନଙ୍କର ସଂଘ, ପରାମର୍ଶଦାତା ସମିତିର ସଦସ୍ୟମାନେ ଯୋଗଦେଇ ଓଡ଼ିଶାରେ ଚାଲୁଥିବା ଗୋତି ଶ୍ରମିକ ସମସ୍ୟା ମୁକାବିଲା କରିବାକୁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟଯୋଜନା(ଏସ୍‌ଏପି), ସ୍ପଷ୍ଟ ମାନକ ପ୍ରଚାଳନ ପ୍ରକ୍ରିୟା(ଏସ୍‌ଓପି) ଓ ଗୋତି ଶ୍ରମିକ ସଚେତନତା ସମିତିଗୁଡ଼ିକର ପୁନରୁଦ୍ଧାର ପାଇଁ ଆହ୍ୱାନ ଜଣାଇଛନ୍ତି।

ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ ବେହେରା ଯୋଗଦେଇ ରେକର୍ଡ ହୋଇଥିବା କମ୍ ସଂଖ୍ୟକ ମାମଲାକୁ ଗୋତି ଶ୍ରମିକ ଅଭାବ ବୋଲି ବୁଝିବା ଉଚିତ ନୁହେଁ; ବରଂ ଚିହ୍ନଟ, ରିପୋର୍ଟିଂ ଓ ପ୍ରଶାସନିକ ସ୍ୱୀକୃତିର ବିଫଳତାକୁ ପ୍ରକାଶ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଶ୍ରମ ବାହିନୀର ରଞ୍ଜିତା ରଣା ନିଜ ଅନୁଭୂତି ଓ ମାମଲା ଅଧ୍ୟୟନ ସମ୍ପର୍କରେ ଆଲୋକପାତ କରି ପୀଡ଼ିତ-ନେତୃତ୍ୱ ଚିହ୍ନଟ ଓ ସମୁଦାୟ ନିରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ୟାନେଲରେ ଭାଗନେଇଥିବା ବକ୍ତାମାନେ କହିଥିଲେ ଯେ ଶ୍ରମିକଙ୍କୁ ପୂର୍ବ ଅଗ୍ରିମ ଟଙ୍କା ଦେଇ ଆକର୍ଷିତ ସହ ବହୁ ସମୟ କାମ କରିବାକୁ ବାଧ୍ୟ କରାଯାଏ। ବେତନ ଦାବି କଲେ ଧମକ ଦିଆଯାଏ। ଅନେକ ମାମଲାରେ ଶ୍ରମିକଙ୍କୁ ପୁଲିସ ଥାନାକୁ ଯିବା କିମ୍ବା ସ
ହାୟତା ଖୋଜିବାରୁ ରୋକାଯାଇଥିବାରୁ ସିଭିଲ୍‌ ସୋସାଇଟିର ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ ହୋଇପଡ଼ୁଛି।

ମୁକ୍ତି ପ୍ରମାଣପତ୍ର ଜାରିରେ ବିଳମ୍ବ, ପୁନର୍ବାସ ସହାୟତାର ଅଭାବ ଓ ସ୍ଥାୟୀ ଜୀବିକା ବିକଳ୍ପ ନ ଥିବାରୁ ମୁକ୍ତ ହୋଇଥିବା ଶ୍ରମିକମାନେ ପୁଣି ଶୋଷଣମୂଳକ ପରିସ୍ଥିତିକୁ ଫେରିଯାଆନ୍ତି। ସଂସଦରେ ଦିଆଯାଇଥିବା ଉତ୍ତର ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୧୫୫ ଜଣ ଗୋତି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ୯ ବର୍ଷରେ ଓଡ଼ିଶାର ୪୦୩ ଜଣ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି। ଯେଉଁଥିରେ ଗଞ୍ଜାମକଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ରହିଛନ୍ତି। ୧୧ଟି ଜିଲ୍ଲାକୁ ବିପନ୍ନ ପ୍ରବାସ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲେ ମଧ୍ୟ ଏସ୍‌ଓପିରେ ସ୍ପଷ୍ଟତା ନ ଥିବାରୁ ବକ୍ତାମାନେ ଚିନ୍ତାପ୍ରକଟ କରିଥିଲେ। ‘ସୁରକ୍ଷା’ର ଅମିୟ ଭୂଷଣ ବିଶ୍ବାଳ ଉଦ୍ଧାର ପରବର୍ତ୍ତୀ ପ୍ରକ୍ରିୟା ସମଗ୍ର ବ୍ୟବସ୍ଥାର ସବୁଠାରୁ ଦୁର୍ବଳ ସମୟ ରହିଛି ବୋଲି କହିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button