ମହାନଗର

77th State Republic: ୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ସୁଉଚ୍ଚ ଆକାଶରେ ଉଡ଼ୁଥିଲା ଭାରତୀୟଙ୍କ ସ୍ବତନ୍ତ୍ରତାର ପ୍ରତୀକ ‘ତ୍ରିରଙ୍ଗା ପତାକା’। ରାଜରାସ୍ତାରେ ରାଜ୍ୟର ସାମରିକ ଓ ବେସାମରିକ ବାହିନୀ ପ୍ରଦର୍ଶିତ କରୁଥିଲେ ଭାରତୀୟଙ୍କ ‌ଶୌର୍ଯ୍ୟ....

ଭୁବନେଶ୍ବର: ସୁଉଚ୍ଚ ଆକାଶରେ ଉଡ଼ୁଥିଲା ଭାରତୀୟଙ୍କ ସ୍ବତନ୍ତ୍ରତାର ପ୍ରତୀକ ‘ତ୍ରିରଙ୍ଗା ପତାକା’। ରାଜରାସ୍ତାରେ ରାଜ୍ୟର ସାମରିକ ଓ ବେସାମରିକ ବାହିନୀ ପ୍ରଦର୍ଶିତ କରୁଥିଲେ ଭାରତୀୟଙ୍କ ‌ଶୌର୍ଯ୍ୟ ଓ ସାହସର କୀର୍ତ୍ତିମାନ। ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ଼ କହୁଥିଲେ ରାଜ୍ୟ ଉତ୍କର୍ଷର ଜୟଗାଥା। ଅବସର ଥିଲା ରାଜ୍ୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟପାଳ ସୋମବାର ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ବିକ୍ରମ ସିଂହ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମ୍‌ପାଟି ସାଢ଼େ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କମାଣ୍ଡାଣ୍ଟ୍‌ ରାକେଶ କୁମାର ସାହୁ ଓ ଏସ୍‌ଡିପିଓ ଆର୍‌. ଉଦୟଗିରି ପରେଡ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ୍‌ ଶରତ ଜାନି, ଆଡ୍‌ଜୁଟାଣ୍ଟ୍‌ ଭାବେ ଶେଖର ମହାପାତ୍ର ଓ ସ୍ୱତନ୍ତ୍ର ଅଧିକାରୀ ପରମେଶ୍ୱର ହାଁସଦା ପରେଡ୍‌ ପରିଚାଳନାରେ ସହାୟତା କରିଥିଲେ।

ଦୁର୍ନୀତିଖୋରଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯିବନି: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଭିଜିଲାନ୍ସ ଦେଶର ଶ୍ରେଷ୍ଠ ଦୁର୍ନୀତି ନିବାରଣ ବିଭାଗ ଭାବେ ପରିଚୟ ସୃଷ୍ଟି କରିପାରିଛି। ଦୁର୍ନୀତିଖୋରଙ୍କ ବିରୋଧରେ ଦଣ୍ଡହାର ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ। ଦୁର୍ନୀତିଗ୍ରସ୍ତଙ୍କ ସ୍ଥାନ ଏବେ ଜେଲରେ। କୌଣସି ଦୁର୍ନୀତିଖୋରଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଚେତାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୧୦ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରହିଛି। ୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ସମୟରେ ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବା ଲକ୍ଷ୍ୟ ରଖାଯାଇଛି। ଏହି ସ୍ୱଳ୍ପ ସମୟ ଭିତରେ ଅନେକ ପ୍ରାଶାସନିକ ସଂସ୍କାର ହୋଇଛି। ଜନସାଧାରଣ ନିଜ ଘରେ ବସି ୪୦୦ରୁ ଅଧିକ ସରକାରୀ ସେବା ଅନ୍‌-ଲାଇନ୍‌ ମାଧ୍ୟମରେ ପାଇପାରୁଛନ୍ତି। ସରକାର ମାତ୍ର ୧୯ ମାସ ମଧ୍ୟରେ ୭.୭ ଲକ୍ଷ କୋଟି ଟଙ୍କାର ୩୦୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ୮୫ଟି ଶିଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି। ଏହାଦ୍ୱାରା ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ରାଜ୍ୟର ବିକାଶ ପାଇଁ ଜିଡିପିର ୬.୧ ପ୍ରତିଶତ କେବଳ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମହିଳାଙ୍କ ବିରୋଧରେ ଅପରାଧ ପ୍ରତି ସରକାର ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛନ୍ତି। ମହିଳାଙ୍କ ପ୍ରତି ହିଂସା କରୁଥିବା ବ୍ୟକ୍ତି ପାଇଁ ଜେଲ୍‌ ହିଁ ଗୋଟିଏ ଠିକଣା ବୋଲି ସମସ୍ତେ ବୁଝିନେବା ଆବଶ୍ୟକ। ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାଥମିକ ତଥା ଉଚ୍ଚଶିକ୍ଷାର ସ୍ୱରୂପ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଦେଶରେ ଏକ ମଡେଲ୍‌ ହେବାକୁ ଯାଉଛି। ଏହାଦ୍ୱାରା ଗାଁ ସ୍କୁଲରେ ପଢ଼ିଥିବା ପିଲା ସହର ପିଲାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବ। ରାଜନୈତିକ କାରଣରୁ ରାଜ୍ୟରେ ଲାଗୁ ହୋଇପାରୁ ନଥିବା ନୂତନ ଶିକ୍ଷାନୀତି-୨୦୨୦ ବର୍ତ୍ତମାନ କାର୍ଯ୍ୟକାରୀ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ସମେତ ସାରା ଦେଶରୁ ଆସନ୍ତା ଦୁଇ ମାସ ମଧ୍ୟରେ ନକ୍ସଲ ସଙ୍ଗଠନ ନିର୍ମୂଳ ହେବାକୁ ଯାଉଛି। ତେଣୁ ଆତ୍ମସମର୍ପଣ କରି ମୁଖ୍ୟ ଧାରାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ନକ୍ସଲମାନଙ୍କୁ ଆହ୍ବାନ‌ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button