78th Emmy Awards: ୭୮ତମ ଏମି ଆୱାର୍ଡସ୍: ଶେଲିନ ଉଡ୍ଲିଙ୍କୁ ପ୍ରଥମ ଏମି, ଆପଲ୍ର ରେକର୍ଡ ୨୦ ପୁରସ୍କାର

ନୂଆଦିଲ୍ଲୀ, ୦୮/୦୯: ଲସ୍ ଏଞ୍ଜେଲେସ୍ର ପିକକ୍ ଥିଏଟରରେ ଗତ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ୭୮ତମ ଏମି ଆୱାର୍ଡସ୍। କଳା ଓ ପ୍ରଦର୍ଶନର ବିଭିନ୍ନ ବିଭାଗରେ ମୋଟ ୧୦୨ଟି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତଥର ଏମି ମଞ୍ଚରେ ଅନେକ ନୂଆ ମୁହଁ ସଫଳତା ହାସଲ କରିଥିବାବେଳେ ଆପଲ୍ ମଧ୍ୟ ରେକର୍ଡ ସଫଳତା ପାଇଛି।
ଡ୍ରାମା ସିରିଜ୍ ବିଭାଗରେ ଅତିଥି ଅଭିନେତ୍ରୀ ଭାବେ ପ୍ରଥମ ଥର ପାଇଁ ଏମି ସମ୍ମାନ ହାସଲ କରିଛନ୍ତି ଶେଲିନ ଉଡ୍ଲି। ‘ପାରାଡାଇଜ୍’ର ଦ୍ୱିତୀୟ ସିଜନ୍ରେ ତାଙ୍କ ଅଭିନୟ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି। ଏମି ସମାରୋହର ଦ୍ୱିତୀୟ ସନ୍ଧ୍ୟାରେ ଏହି ପୁରସ୍କାର ଜିତିବା ଶେଲିନଙ୍କ କ୍ୟାରିୟର୍ର ଏକ ବଡ଼ ମାଇଲଖୁଣ୍ଟ ଭାବେ ବିବେଚିତ ହେଉଛି। ଏହା ପୂର୍ବରୁ ଏଚ୍ବିଓର ଲୋକପ୍ରିୟ ସିରିଜ୍ ‘ବିଗ୍ ଲିଟିଲ୍ ଲାଇଜ୍’ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତ୍ରୀ ବିଭାଗରେ ନୋମିନେଟ୍ ହୋଇଥିଲେ।
ଚଳିତ ଏମିରେ ଆପଲ୍ର ଦବଦବା ମଧ୍ୟ ଦେଖିବାକୁ ମିଳିଛି। ଆପଲ୍ ଟିଭିର କମେଡି-ହରର୍ ଶୋ’ ‘ୱିଡୋଜ୍ ବେ’ ମୋଟ ୮ଟି ଏମି ସମ୍ମାନ ହାସଲ କରିଛି। ଏଥିସହିତ ଏମିର ବିଭିନ୍ନ ବିଭାଗରେ ଆପଲ୍ ମୋଟ ୨୦ଟି ପୁରସ୍କାର ଜିତି ରେକର୍ଡ ସୃଷ୍ଟି କରିଛି। ଶ୍ରେଷ୍ଠ ଆନିମେଟେଡ୍ ପ୍ରୋଗ୍ରାମ ବିଭାଗରେ ‘ସାଉଥ୍ ପାର୍କ’ ପୁରସ୍କାର ହାସଲ କରିଛି। କମେଡି ସିରିଜ୍ରେ ଶ୍ରେଷ୍ଠ ଅତିଥି କଳାକାର ଭାବେ ‘ଦ ବିୟର୍’ର ରବ୍ ରିନର୍ ସମ୍ମାନିତ ହୋଇଛନ୍ତି। ସେହିପରି ଡ୍ରାମା ସିରିଜ୍ରେ ଶ୍ରେଷ୍ଠ ଅତିଥି କଳାକାର ପୁରସ୍କାର ହାସଲ କରିଛନ୍ତି ‘ଦ ପିଟ୍’ର ଅର୍ନେଷ୍ଟ ହାର୍ଡେନ୍ ଜୁନିୟର।
କମେଡି ସିରିଜ୍ରେ ଶ୍ରେଷ୍ଠ ଅତିଥି ଅଭିନେତ୍ରୀ ସମ୍ମାନ ‘ୱିଡୋଜ୍ ବେ’ ପାଇଁ ବେଟ୍ଟି ଗିଲପିନ୍ଙ୍କୁ ମିଳିଛି। ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ‘ରିମାର୍କେବଲି ବ୍ରାଇଟ୍ କ୍ରିଏଚର୍ସ’ ସମ୍ମାନିତ ହୋଇଛି। ଲିମିଟେଡ୍ ସିରିଜ୍ ବିଭାଗରେ ମଧ୍ୟ ଅନେକ କଳାକାର ଏମି ସମ୍ମାନ ହାସଲ କରିଛନ୍ତି। ଶ୍ରେଷ୍ଠ ସହ-ଅଭିନେତା ଭାବେ ‘ଡିଟିଏଫ୍ ସେଣ୍ଟ୍ ଲୁଇସ୍’ ପାଇଁ ଡେଭିଡ୍ ହାର୍ବର୍ ଏବଂ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସେହି ସିରିଜ୍ ପାଇଁ ଲିଣ୍ଡା କାର୍ଡେଲିନି ପୁରସ୍କୃତ ହୋଇଛନ୍ତି।
୭୮ତମ ଏମି ଆୱାର୍ଡସ୍ରେ ବିଭିନ୍ନ ସିରିଜ୍, ଚଳଚ୍ଚିତ୍ର ଓ କଳାକାରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନିତ କରାଯାଇଥିବାବେଳେ ଶେଲିନ ଉଡ୍ଲିଙ୍କ ପ୍ରଥମ ଏମି ବିଜୟ ଏବଂ ଆପଲ୍ର ରେକର୍ଡ ସଫଳତା ଚଳିତ ସମାରୋହର ପ୍ରମୁଖ ଆକର୍ଷଣ ପାଲଟିଛି।
ସୌଜନ୍ୟ ପ୍ରମେୟ




