Breaking News

ଆଳୁ ଦେଉନଥିଲେ, ଏବେ ଧାନ ବୋହୁଛନ୍ତି!

କିଛିମାସ ପୂର୍ବରୁ ପଶ୍ଚିମବଙ୍ଗ ଆମ ରାଜ୍ୟକୁ ଆଳୁ ଛାଡ଼ୁନଥିଲା। ଓଡ଼ିଶାରେ ଆଳୁ ସଂକଟ ଦେଖା ଦେଇଥିଲା। ଏବେ କିନ୍ତୁ ପଶ୍ଚିମବଙ୍ଗ ବେ‌ପାରୀ ଓଡ଼ିଶାରୁ ଧାନ ବୋହି ନେଉଛନ୍ତି। ଆଉ ଓଡ଼ିଶା ସରକାର ଚୁପ୍‌ ରହିଛନ୍ତି।

ବା‌ଲେଶ୍ବର: କିଛିମାସ ପୂର୍ବରୁ ପଶ୍ଚିମବଙ୍ଗ ଆମ ରାଜ୍ୟକୁ ଆଳୁ ଛାଡ଼ୁନଥିଲା। ଓଡ଼ିଶାରେ ଆଳୁ ସଂକଟ ଦେଖା ଦେଇଥିଲା। ଏବେ କିନ୍ତୁ ପଶ୍ଚିମବଙ୍ଗ ବେ‌ପାରୀ ଓଡ଼ିଶାରୁ ଧାନ ବୋହି ନେଉଛନ୍ତି। ଆଉ ଓଡ଼ିଶା ସରକାର ଚୁପ୍‌ ରହିଛନ୍ତି। ବାଲେଶ୍ବର ଜିଲ୍ଲାରେ ଏବେ ଗାଁ ଗାଁରେ ପଶ୍ଚିମବଙ୍ଗ ଧାନ ବେପାରୀ ଡେରା ପକାଇଛନ୍ତି। କୁଇଣ୍ଟାଲ ପିଛା ୨୧ଶହରୁ ୨୩ ଶହ ଟଙ୍କାରେ କିଣି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଚଳିତ ଖରିଫ୍‌ ଋତୁରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବେ ବୋଲି ଜାଣି ସୁଦ୍ଧା ଚାଷୀମାନେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ହାତକୁ ଧାନ ଟେକି ଦେଉଥିବା ଦେଖିବାକୁ ମିଳୁଛି। ଏହାପଛରେ ମୁଖ୍ୟ କାରଣ ହେଉଛି ଜିଲ୍ଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ କିମ୍ବା ଟୋକନ୍‌ ଦିଆଯାଇନି।

ବାଲେଶ୍ବର ଜିଲ୍ଲାରେ ଏବେ ଧାନ ଅମଳ ଆରମ୍ଭ ହୋଇଯାଇଛି। ଜିଲ୍ଲାର ବାହାନଗା, ସୋର, ସିମୁଳିଆ, ବସ୍ତା, ନୀଳଗିରି, ଖଇରା, ଔପଦା ଆଦି ଅଞ୍ଚଳରେ ଧାନ ଅମଳ ଆରମ୍ଭ ହେଲାଣି। କିଛି ଚାଷୀ ଅମଳ ଧାନକୁ ଘରେ ସାଇତି ରଖିଛନ୍ତି ତ ଆଉ କିଛି ଚାଷୀଙ୍କ ଜାଗା ଅଭାବରୁ ଖୋଲା ଆକାଶ ତଳେ ଧାନ ପକାଇଥିବା ଦେଖାଯାଇଛି। ତେବେ ନଭେମ୍ୱର ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି। ବାଧ୍ୟହୋଇ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ କମ୍ ଦରରେ ଦଲାଲ ହାତକୁ ଟେକି ଦେଉଛି। ପଶ୍ଚିମବଙ୍ଗର ବେପାରୀମାନେ ଦଲାଲଙ୍କ ମାଧ୍ୟମରେ ଗାଁ ଗାଁରେ ପଶି ଧାନ କୁଇଣ୍ଟାଲ ପିଛା ୨୧ଶହରୁ ୨୩ଶହ ଟଙ୍କାରେ କିଣି ନେଉଛନ୍ତି।

 ଗାଁ ଗାଁରେ ଡେରା ପକାଇଛନ୍ତି ପଶ୍ଚିମବଙ୍ଗ ବେପାରୀ
 କୁଇଣ୍ଟାଲ ପିଛା ୨୧ଶହରୁ ୨୩ଶହ ଟଙ୍କାରେ କିଣୁଛନ୍ତି ଧାନ

ଧାନ ଚାଲାଣ ନେଇ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ଦ୍ବାରା କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସୀମାବର୍ତ୍ତୀ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଭାବେ ମୁକୁଳା ପଡ଼ିଛି। କିଛିମାସ ପୂର୍ବରୁ ଓଡ଼ିଶାକୁ ଆଳୁ ଆସିବା ନେଇ ପଶ୍ଚିମବଙ୍ଗ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଓଡ଼ିଶାରେ ଆଳୁଦର ହୁହୁ ହୋଇ ବଢ଼ିଥିଲା। ସରକାର ‌ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇବା ପାଇଁ ନାକେଦମ୍‌ ହୋଇଥିଲେ। ଏବେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଧାନ ଚାଲାଣ ବ୍ୟାପକ ହେଉଥିବା ବେଳେ ଓଡ଼ିଶା ସରକାର ଚୁପ୍‌ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୨୭ରୁ ବାଲେଶ୍ବର ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ ହେବ। ଏଥର ଜିଲ୍ଲାରେ ୧,୦୨,୪୬୧ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କୁଇଣ୍ଟାଲ ପ୍ରତି ଧାନ ୩୧ଶହ ଟଙ୍କାକୁ ବୃଦ୍ଧି ପାଇଥିବାରୁ ପୂର୍ବବର୍ଷ ଠାରୁ ଅଧିକ ୨୪ ହଜାର ୯୦୦ ଚାଷୀ ଧାନ ବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାରେ ୧୪୩ଟି ସୋସାଇଟି, ୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୮୦ଟି ଧାନ କ୍ରୟ କେନ୍ଦ୍ର ଦ୍ବାରା ଏଥର ଧାନ କିଣାଯିବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।
ତେବେ ମଣ୍ଡି ଖୋଲିବା ପୂର୍ବରୁ ପଶ୍ଚିମବଙ୍ଗ ବେପାରୀ ଧାନ ବୋହି ନେଇ ସାରିଥିବେ ବୋଲି ଲୋକେ ଅନୁମାନ କରୁଛନ୍ତି। ମୁଖ୍ୟ ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ ନିରଦ ରଂଜନ ଦାସ କହିଛନ୍ତି, ଏ ପର୍ଯ୍ୟନ୍ତ ଧାନ ଚୋରା ଚାଲାଣ ସମ୍ପର୍କିତ କୌଣସି ଅଭିଯୋଗ ଆସିନାହିଁ। ଧାନ ଚାଲାଣ ଉପରେ ପ୍ରଶାସନର କଡ଼ା ନଜର ରହିବ। ସୀମାବର୍ତ୍ତୀ ଅଞ୍ଚଳରେ ୮ଟି ମିଳିତ ସ୍କ୍ବାଡ୍‌ ପହରା ଦେବେ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୌଜନ୍ୟ- ସମ୍ୱାଦ

Comments are closed.