ମହାନଗର

Prachi buried: ପୋତି ହୋଇଚାଲିଛି ପ୍ରାଚୀ

ପୁରାଣ ବର୍ଣ୍ଣିତ ପ୍ରାଚୀ ନଦୀ ଏବେ ମୃତ ଅବସ୍ଥାରେ। ସରକାରୀ ରେକର୍ଡରେ ଏହାକୁ କେବଳ ଏକ ସଫେଇ ନାଳର ମାନ୍ୟତା ଦିଆଯାଇଥିଲା ବେଳେ ଏବେ ଏହା ପୋତି ହୋଇଗଲାଣି। ଦିନେ ଏଠାରେ....

କଟକ: ପୁରାଣ ବର୍ଣ୍ଣିତ ପ୍ରାଚୀ ନଦୀ ଏବେ ମୃତ ଅବସ୍ଥାରେ। ସରକାରୀ ରେକର୍ଡରେ ଏହାକୁ କେବଳ ଏକ ସଫେଇ ନାଳର ମାନ୍ୟତା ଦିଆଯାଇଥିଲା ବେଳେ ଏବେ ଏହା ପୋତି ହୋଇଗଲାଣି। ଦିନେ ଏଠାରେ ନୌବାଣିଜ୍ୟ ହେଉଥିଲା। କିନ୍ତୁ ଏବେ ନଦୀରେ ଦଳ ଭର୍ତ୍ତି ହୋଇଗଲାଣି। ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଅନେକ ସଂଗଠନ ଦାବି କରିଆସୁଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯଦି ସରକାର ଏବେଠୁ ଏହି ନଦୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ନ ନେବେ ତାହେଲେ ଭବିଷ୍ୟତରେ ଏହା କେବଳ ଇତିହାସ ପୃଷ୍ଠାରେ ସୀମିତ ରହିଯିବ ବୋଲି ଗବେଷକମାନେ କହିଛନ୍ତି।

ପ୍ରାଚୀ ନଦୀର ଉତ୍ପତ୍ତିକୁ ନେଇ ଭିନ୍ନଭିନ୍ନ ମତ ରହିଥିଲେ ମଧ୍ୟ ଏହି ନଦୀ ମୁଣ୍ଡଳୀଠାରୁ ବାହାରି ବଙ୍ଗୋପସାଗର ପର୍ଯ୍ୟନ୍ତ ଯାଇଥିବା କୁହାଯାଉଛି। ତେବେ ଏହାର ଉପରମୁଣ୍ଡକୁ ପୋତି ଦିଆଯାଇ ପୁରୀ କେନାଲ ଖନନ ହୋଇଥିଲା। ପ୍ରାଚୀ ନଦୀ ଅବହେଳିତ ଅବସ୍ଥାରେ ରହିବା ଦ୍ବାରା ସମୟକ୍ରମେ ଏହା ପୋତି ହୋଇଗଲା ଓ ଆବର୍ଜନାରେ ପରିପୂର୍ଣ୍ଣ ହେବାରେ ଲାଗିଲା। ଏବେ ପ୍ରାଚୀ ନଦୀକୂଳରୁ ମାଟି ଚୋରା ଚାଲାଣ ହେଉଥିବା ବେଳେ ବିଭିନ୍ନ ପଠା ଜବରଦଖଲ ହୋଇଗଲାଣି। ଆରମ୍ଭରୁ ଏଥିରେ ପତଳା ଧାରରେ ପାଣି ଆସୁଥିଲା ବେଳେ ଅଡ଼ଶପୁରଠୁ ସଳେଇ ପର୍ଯ୍ୟନ୍ତ ଚଉଡ଼ା ରହିଛି। କିନ୍ତୁ ଖରାଦିନେ ପୁଣି ପତଳା ଧାରରେ ପାଣି ଯାଇଥାଏ। ଏହାରି କୂଳରେ ଥିବା ତୀର୍ଥସ୍ଥାନ ତ୍ରିବେଣୀ ଘାଟ ଓ ସୁନାମୁହିଁ ଘାଟରେ ମାଘସପ୍ତମୀ ବୁଡ଼ ସମୟରେ ପାଣି ରହୁ ନଥିବାରୁ ପମ୍ପ ସହାୟତାରେ ପାଣି ଛଡ଼ାଯାଇ ବୁଡ଼ ପକାଯାଏ। ଅଡ଼ଶପୁରଠାରେ ଏକ ଘରୋଇ ଜମିକୁ ରାସ୍ତା କରିବା ପାଇଁ ନଦୀକୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ପତଳା ଧାରରେ ପାଣିଯିବାକୁ ବାଟ କଢ଼ାଯାଇଛି।
ପ୍ରାଚୀ ନଦୀର ଗବେଷକ ହଂସନାଥ ସାହୁଙ୍କ ଅନୁସାରେ, ନଦୀ ତଟରେ ଦ୍ବାଦଶ ଶମ୍ଭୁ ଓ ଦ୍ବାଦଶ ମାଧବ ଥିବା ପୁରାଣମାନଙ୍କରେ ବର୍ଣ୍ଣିତ ଅଛି। ଏପରିକି ଜୈନ, ବୌଦ୍ଧ, ଶୈବ ଇତ୍ୟାଦି ସବୁପ୍ରକାର ସମ୍ପ୍ରଦାୟର ମୂର୍ତ୍ତିଗୁଡ଼ିକ ଏହି ନଦୀକୂଳରୁ ଠାବ କରାଯାଇଛି। ଏହି ପାଣିକୁ ପବିତ୍ର ବିବେଚନା କରାଯାଉଥିବାରୁ ଏଠାରେ ଅସ୍ଥି ବିସର୍ଜନ, ଶ୍ରାଦ୍ଧ ଇତ୍ୟାଦି କରାଯାଏ। କିନ୍ତୁ ନିଆଳି ତହସିଲ ରେକର୍ଡରେ ଏହାକୁ ସଫେଇ ନାଳ ଦର୍ଶାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି। କଟକ ଡ୍ରେନେଜ୍‌ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀ ଶୋଭନ କୁମାରଙ୍କ ସୂଚନା ଅନୁସାରେ, ପ୍ରାଚୀର ପୁନରୁଦ୍ଧାର ପାଇଁ କଟକ ଓ ପୁରୀ ଡିଭିଜନ୍‌ ପକ୍ଷରୁ ମିଳିତ ଭାବେ ପାଖାପାଖି ୧୭୦ କୋଟିର ଅଟକଳ କରାଯାଇଛି। ଯେଉଁଥିରୁ କଟକ ପ୍ରାୟ ୬୦ କୋଟି ଟଙ୍କା ବିନିଯୋଗ କରିବ। ତେବେ ଏହା ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି। ଅନୁମୋଦନ ମିଳିଲେ କାମ ଆରମ୍ଭ ହେବ ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button