Breaking News

ପାସ୍‌ଧାରୀଙ୍କ ପାଇଁ ପୃଥକ୍‌ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ତାଳବଣିଆ ଓ ଷ୍ଟର୍ଲିଂ ଛକରେ ରହିବ ସାଧାରଣ ଦର୍ଶକଙ୍କ ଗାଡ଼ି

ପୁରୀ, ୦୪/୧୨ : ନୌସେନା ଦିବସ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବାର ଆକଳନ କରାଯାଇଛି । ତେଣୁ ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଜାରି କରାଯାଇଛି । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଦର୍ଶକଙ୍କ ପାଇଁ ପୃଥକ୍‌ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ସାଧାରଣ ଦର୍ଶକଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏପରିକି ବେଳାଭୂମିରେ ପହଞ୍ଚିବା ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଅରେଞ୍ଜ୍‌ ପାସ୍‌ଧାରୀଙ୍କ ପାଇଁ ଜେଲ୍‌ରୋଡ୍‌ ପାର୍କିଂ ଓ ଶରଧାବାଲି ପାର୍କିଂରେ ଗାଡ଼ି ରଖିବାର ବନ୍ଦୋବସ୍ତ କରାଯାଇଛି । ବ୍ଲୁ ପାସ୍‌ଧାରୀଙ୍କ ପାଇଁ ହୋଟେଲ୍‌ ନୀଳାଚଳ ଅଶୋକ, ବ୍ଲେସ୍‌ଡ୍‌ ସାକ୍ରାମେଣ୍ଟ ହାଇସ୍କୁଲ୍‌ ଓ ଏସ୍‌ସିଏସ୍‌ କଲେଜ୍‌ କ୍ୟାମ୍ପସ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷେ ସାଧାରଣ ଦର୍ଶକଙ୍କ ପାଇଁ ତାଳବଣିଆ ଓ ଷ୍ଟର୍ଲିଂ ଛକରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରରୁ ପୁରୀ ଯାଉଥିବା ଜାତୀୟ ରାଜପଥର ମାଳତୀପାଟପୁରଠାରୁ ବୀର ହରେକୃଷ୍ଣପୁର ପର୍ଯ୍ୟନ୍ତ ବାମପଟ ରାସ୍ତାକୁ ଦୁଇ ଲେନ୍‌ କରାଯାଇଛି । ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ଚାରି ଚକିଆ ଗାଡ଼ିକୁ ମାଳତୀପାଟପୁର ଆର୍‌ଓବି ଦେଇ ଗ୍ରୀଡ୍‌ ଷ୍ଟେସନ୍‌ ଛକରୁ ତାଳବଣିଆକୁ ଛଡ଼ାଯିବ । ପାସ୍‌ଧାରୀ ଗାଡ଼ିକୁ ବୀରହରେକୃଷ୍ଣପୁର ରାସ୍ତାରେ ଛଡ଼ାଯିବ । ସେହିପରି କୋଣାର୍କ ପଟୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ଯାନ ମଧ୍ୟ ତାଳବଣିଆ ଠାରେ ପାର୍କିଂ କରିବ । ଭୁବନେଶ୍ୱର ପଟୁ ଆସୁଥିବା ୨ ଚକିଆ ଯାନ ମାଳତୀପାଟପୁରରୁ ବାଟଗାଁ, ସେଠାରୁ ମଙ୍ଗଳାଘାଟ ବାଇପାସ୍‌ ଦେଇ ଷ୍ଟର୍ଲିଂ ଛକରେ ପହଞ୍ଚି ସେହିଠାରେ ପାର୍କିଂ କରିବେ । ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଚାରି ଚକିଆ ଓ ଦୁଇ ଚକିଆ ଯାନ ମଙ୍ଗଳାଘାଟ ଛକ ଠାରୁ ଷ୍ଟର୍ଲିଂ ଛକକୁ ଯାଇ ସେଠାରେ ପାର୍କିଂ କରିବ । ପୁରୀ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଏସ୍‌ପି ବିନୀତ ଅଗ୍ରୱାଲ୍‌ । ଫଳରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଳନ ହେଉଥିବା ନୌସେନା ଦିବସ ସଫଳ ହୋଇପାରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

କେଉଁ ବାଟ ଦେଇ ବେଳାଭୂମିକୁ ଯିବେ

ସାଧାରଣ ଦର୍ଶକମାନଙ୍କୁ ବେଳାଭୂମିକୁ ଚାଲି ଚାଲି ଯିବାକୁ ହେବ । ତାଳବଣିଆ ପାଶ୍ୱର୍ରୁ ଆସୁଥିବା ଦର୍ଶକ ପେଣ୍ଠକଟା ଠାରେ ପହଞ୍ଚିବା ପରେ ପିଙ୍କ୍‌ ହାଉସ୍‌ ଗଳି ଠାରୁ ୟୁଥ୍‌ ହଷ୍ଟେଲ୍‌ ଛକ ମଧ୍ୟରେ ଥିବା ୧୦ଟି ଗଳି ଦେଇ ବେଳାଭୂମିକୁ ପ୍ରବେଶ କରି ପାରିବେ । ନଚେତ୍‌ ସେମାନେ ଭିଆଇପି ରୋଡରେ ପହଞ୍ଚି ପୁରୁଣା ସଦର ଥାନା ଛକରୁ ଏସ୍‌ସିଏସ୍‌ କଲେଜ ଛକ, ସେଠାରୁ କଚେରୀ ଛକରେ ପହଞ୍ଚିବା ପରେ ତହସିଲ୍‌ ଅଫିସ୍‌ ସାମ୍ନା ଦେଇ ବାଲିନୋଳିଆ ସାହି ହୋଇ ସ୍ୱର୍ଗଦ୍ୱାର ରାସ୍ତାରେ ପହଞ୍ଚିବେ । ସେଠାରୁ ଚୈତନ୍ୟ ଛକ ଦେଇ ବେଳାଭୂମି ରାସ୍ତାରେ ବାହାରିବା ପରେ ସମୁଦ୍ର କୂଳକୁ ଦର୍ଶକମାନେ ଯିବେ । ସେହିପରି ଶ୍ରୀମନ୍ଦିର ଠାରୁ କାକୁଡ଼ିଖାଇ ଛକ, ବାଲିସାହି ଏବଂ ସୋଲାଖିଆ ବରଗଛ ଦେଇ ସ୍ୱର୍ଗଦ୍ୱାର ନିକଟ ଚୈତନ୍ୟ ଛକରେ ପହଞ୍ଚିବା ପରେ ଦର୍ଶକ ବେଳାଭୂମିକୁ ଯିବେ । ଅନ୍ୟପଟେ ଷ୍ଟର୍ଲିଂ ଛକ ଠାରେ ହୋଇଥିବା ଅସ୍ଥାୟୀ ପାର୍କିଂରେ ଗାଡ଼ି ରଖି ଦର୍ଶକ ବେଳାଭୂମିକୁ ଚାଲି ଚାଲି ଆସିପାରିବେ । ଲାଇଟ୍‌ ହାଉସ୍‌ ଠାରେ ମଧ୍ୟ ଦର୍ଶକ ବେଳାଭୂମିକୁ ଆସିବାର ବ୍ୟବସ୍ଥା ରହିଛି । ପୁନର୍ବାର ସେହି ସମସ୍ତ ବାଟ ଦେଇ ଦର୍ଶକ ପ୍ରସ୍ଥାନ କରିବେ । ଏହି ବାଟ ଛଡ଼ା ବେଳାଭୂମିକୁ ସଂଲଗ୍ନ ସମସ୍ତ ବାଟ ବନ୍ଦ ରହିବ ବୋଲି ପୁରୀ ପୁଲିସ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଦିଗବାରେଣୀ ଛକ ଠାରୁ ବଳିଆପଣ୍ଡା ବିପଦ ତାରିଣୀ ମନ୍ଦିର ମଧ୍ୟରେ ୩୦ଟି ଗେଟ୍‌ ହୋଇଥିବାବେଳେ ସେହି ବାଟରେ ଦର୍ଶକ ବେଳାଭୂମିକୁ ପ୍ରବେଶ କରିବେ ।

ପେଣ୍ଠକଟାରୁ ପିଙ୍କ୍‌ ହାଉସ୍‌-ବଳିଆପଣ୍ଡା ନୋ ଭେଇକିଲ୍‌ ଜୋନ୍‌

ପେଣ୍ଠକଟା ପିଙ୍କ୍‌ ହାଉସ୍‌ ଗଳି ଠାରୁ ବଳିଆପଣ୍ଡା ବିପଦ ତାରିଣୀ ମନ୍ଦିର ଯାଏଁ ନୋ ଭେଇକିଲ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି । ମଙ୍ଗଳବାର ମଧ୍ୟ ରାତିରୁ ଏହି କଟକଣା ଜାରି କରାଯାଇଛି । ଏହି ଅଞ୍ଚଳରେ କୌଣସି ଯାନବାହନ ଚଳାଚଳ କରିବ ନାହିଁ । ଏହି ରାସ୍ତା ମଧ୍ୟରେ ଥିବା ୟୁଥ୍‌ ହଷ୍ଟେଲ୍‌ ଛକ ନିକଟ ବାଙ୍କି ମୁହାଣ ଠାରୁ ଆଚାର୍ଯ୍ୟ ହରିହର ଛକ ଯାଏଁ ସାଧାରଣ ଲୋକଙ୍କ ଯାତାୟତକୁ ବନ୍ଦ କରାଯାଇଛି ।
ସୌଜନ୍ୟ-ପ୍ରମେୟ

Comments are closed.