Poacher Gang Arrest: ଶିମିଳିପାଳରେ ଧରାପଡ଼ିଲେ ଶିକାରୀ ଗ୍ୟାଙ୍ଗ : ଦେଶୀ ବନ୍ଧୁକ, ଫାଶ ଓ ଶୁଖିଲା ବଣୁଆ ମାଂସ ଜବତ

ବାରିପଦା: ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି।

ଏହି ଗୁଇନ୍ଦା କ୍ୟାମେରାର ସୂଚନା ଓ ଗୁଇନ୍ଦା ତଥ୍ୟ ଆଧାରରେ ଗତକାଲି (୯ ଡିସେମ୍ବର) ଜେନାବିଲ ରେଞ୍ଜ ଅଧୀନ ଜଡ଼ିଦା ଗ୍ରାମରୁ ୫ ଜଣ  ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ।

ଶିକାରୀଙ୍କ ପିଛା କରି ଧରିଲେ

ଶିକାରୀଙ୍କ ପିଛା କରି ବିଭାଗୀୟ ଟିମ୍ ଅଭିଯୁକ୍ତଙ୍କ ଘର ପଛପଟେ ଜଙ୍ଗଲରୁ ଗୋଟିଏ ଲୋଡ଼ ହୋଇଥିବା ଦେଶୀ ବନ୍ଧୁକ (SBML), ୭ଟି ଫାଶ, ୨ଟି ଟର୍ଚ୍ଚ, ୫୩୫ ଗ୍ରାମ ଶୁଖିଲା ବଣୁଆ ମାଂସ, ବାରୁଦ ଗୁଣ୍ଡ ତିଆରି ପାଇଁ ବ୍ୟବହୃତ ପଲିଥିନ ଶୀତ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଲୋଡ୍ ହୋଇଥିବା ଦେଶୀ ବନ୍ଧୁକଟିକୁ ନଳ ଦେଇ ପାଣି ଢାଳି ଅଣଲୋଡ଼ କରାଯାଇଥିଲା।

ଗିରଫ ଅଭିଯୁକ୍ତମାନେ:

  • ବିରସିଂ ହୋ (୩୩),
  • ଚରଣ ହୋ (୪୩)
  • ଛଲେ ହୋ (୨୩)
  • ସାଗର ହୋ (୨୯)
  • ସୁକ୍ରା ହୋ (୩୨)

ସମସ୍ତେ ଜଡ଼ିଦା ଗ୍ରାମ, ଡେଙ୍ଗାମ ପୋଷ୍ଟ, ଖୁଟା ଥାନା, ମୟୂରଭଞ୍ଜଜିଲ୍ଲାର ବାସିନ୍ଦା।

ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି ବାରିପଦା CJM କୋର୍ଟରେ ହାଜର କରାଯାଇ ଜେଲ୍ ହାଜତ ଦେବାକୁ ରିମାଣ୍ଡ ଆବେଦନ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଶିମିଳିପାଳରେ ଏଭଳି କଡ଼ା ନଜରଦାରି ଓ AI ଟେକ୍ନୋଲୋଜି ବ୍ୟବହାର ଫଳରେ ଶିକାରୀ ଗ୍ୟାଙ୍ଗଗୁଡ଼ିକ ଧରାପଡ଼ୁଥିବାରୁ ବନ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

 

ସୌଜନ୍ୟ ସମ୍ବାଦ