VIDEO: ମରୁଭୂମିର ଦେଶ ସାଉଦି ଆରବରେ ତୁଷାରପାତ, ୩୦ ବର୍ଷ ପରେ ସାମ୍ନାକୁ ଆସିଲା ବିରଳ ଦୃଶ୍ୟ
ସାଉଦି ଆରବରେ ପାଗର ଏଭଳି ପରିବର୍ତ୍ତନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଜଳବାୟୁ ପରିବର୍ତ୍ତନ ଲାଗି ଅପ୍ରସ୍ତୁତ ଇଲାକରେ ଏଭଳି ବିପରୀତ ପାଣିପାଗ ଚିନ୍ତା ବଢ଼ାଇଛି । ସେପଟେ ଥଣ୍ଡା ପବନ ମେଘ ସହ ମିଶିଯିବା ପରେ ସ୍ଥିତି ବିଗିଡ଼ିଛି ବୋଲି କହିଛି ଦେଶର ପାଣିପାଗ କେନ୍ଦ୍ର ।

ନୂଆଦିଲ୍ଲୀ: ସାଉଦି ଆରବରେ ଅଭୂତପୂର୍ବ ତୁଷାରପାତ ହୋଇଛି । ତାବୁକ ପ୍ରଦେଶର ପର୍ବତମାଳାର ଭୂଦୃଶ୍ୟକୁ ନାଟକୀୟ ଭାବରେ ପରିବର୍ତ୍ତନ କରିଛି। ପ୍ରାୟ ୨୬୦୦ ମିଟର ଉଚ୍ଚତାରେ ଅବସ୍ଥିତ ଜେବେଲ୍ ଅଲ୍-ଲାୱଜ୍ ଉପରେ ଦେଖିବାକୁ ମିଳିଛି ଅବିଶ୍ବସନୀୟ ଦୃଶ୍ୟ । ଟ୍ରୋଜାନା ଗାଁ ଧରା ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ତା ସହିତ ହାଲୁକା ବର୍ଷା ବି ହୋଇଛି । ଏହା ଏହି ଅଞ୍ଚଳ ପାଇଁ ଏକ ବିରଳ ଘଟଣା।
ଯେଉଁଠି କେବେ ତାପାମାତ୍ରା ଖସୁନଥିଲା, ସେଠାରେ ଏବେ ପାରଦ ଶୂନ ତଳକୁ ଖସିଆସୁଛି । ଏ ସ୍ଥିତି ଦିନେ କି ଦୁଇ ଦିନ ପାଇଁ ନୁହେଁ, ବରଂ ଗତ କିଛି ଦିନ ହେବ ଏହା ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରେ ଶୀତର ଲହରୀ ଖେଳି ଯାଇଛି, ବର୍ଷା ବି ଲାଗି ରହିଛି । ବିର ବିନ୍ ହାର୍ମାସ, ଅଲ-ଆଇନାହ, ଉମ୍ମାର, ଆଲଉଲା, ଶାକୱା ଏବଂ ଏହାର ଆଖାପାଖ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ରିୟାଦ, କାସିମ ଏବଂ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।
ସାଉଦି ଆରବରେ ପାଗର ଏଭଳି ପରିବର୍ତ୍ତନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ହଠାତ ଜଳବାୟୁ ପରିବର୍ତ୍ତନ ଲାଗି ଅପ୍ରସ୍ତୁତ ଇଲାକରେ ଏଭଳି ବିପରୀତ ପାଣିପାଗ ଚିନ୍ତା ବଢ଼ାଇଛି । ସେପଟେ ଥଣ୍ଡା ପବନ ମେଘ ସହ ମିଶିଯିବା ପରେ ସ୍ଥିତି ବିଗିଡ଼ିଛି ବୋଲି କହିଛି ଦେଶର ପାଣିପାଗ କେନ୍ଦ୍ର । ସାଉଦି ମରୁଭୂମିରେ ବରଫ ଆଚ୍ଛାଦିତ ପର୍ବତଗୁଡ଼ିକର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛି । ଫଳରେ ମରୁଭୂମିରେ ତୁଷାରପାତ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ପାଣିପାଗ ବିଜ୍ଞାନୀମାନେ ଏହି ଘଟଣା ପାଇଁ ବିଶେଷ ବାୟୁମଣ୍ଡଳୀୟ ପରିସ୍ଥିତିକୁ ଦାୟୀ କରିଛନ୍ତି। ସାଉଦି ଆରବ ଏବଂ ପଡ଼ୋଶୀ ଦେଶଗୁଡ଼ିକରେ ଏପରି ଅସାଧାରଣ ଘଟଣା ପରିବର୍ତ୍ତିତ ଜଳବାୟୁର ଘାତକ ପରିଣାମ ଆଡ଼କୁ ଇସାରା କରୁଛି ।
ସୌଜନ୍ୟ ସମ୍ବାଦ




