Bjd Explosive Statement Bhupinder Singh ଭବିଷ୍ୟତରେ ନବୀନ ପଟ୍ଟନାୟକଙ୍କ ବିନା ବିଜେଡି ତିଷ୍ଠି ରହିବା ଅସମ୍ଭବ: ଭୂପିନ୍ଦର ସିଂ
ଭୂପିନ୍ଦର ସିଂ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ Bjd ଭାଗ ଭାଗ ହୋଇଯିବ। କାରଣ ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ।

ଭୁବନେଶ୍ବର:ଆସନ୍ତାକାଲି ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସ। ଏହି ଅବସରରେ ଭି.କେ,ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି। ଅବଶ୍ୟ ଆଗରୁ ବି ସେ କେତେ ଥର ବିଜେଡି ସଂପର୍କରେ ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଭୂପିନ୍ଦର ସିଂ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ। କାରଣ ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ନବୀନ ପଟ୍ଟନାୟକ ଭଲ ଭାବେ ଅବଗତ ଅଛନ୍ତି। କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବର୍ତ୍ତମାନ ବିଜେଡି ମାତ୍ର ୩ରୁ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି
ଭୂପିନ୍ଦରଙ୍କ ବୟାନରୁ ଦଳର ଆଭ୍ୟନ୍ତରୀଣ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡୁଛି। ସେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ବିଜେଡି ମାତ୍ର ୩ରୁ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ଆଦୌ ଠିକ୍ ନୁହଁ। ଏହି କାରଣରୁ ଉଭୟ ବରିଷ୍ଠ ଓ କନିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଏବଂ ସେମାନେ ଏକାଠି ହୋଇ ବାରମ୍ବାର ବୈଠକ କରୁଛନ୍ତି। ତାଙ୍କ ମତରେ, ଦଳରେ କୌଣସି ଏକଚାଟିଆ ଶାସନ ନୁହେଁ, ବରଂ ଗୋଟିଏ ସମ୍ପୂର୍ଣ୍ଣ ‘ଟିମ୍’ ଭାବେ କାମ ହେବା ଆବଶ୍ୟକ ।
ଶେଷରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜେ ସିଧାସଳଖ ଦଳର ପରିଚାଳନା ଭାର ହାତକୁ ନେବା ଉଚିତ। ଯଦି ସେ ନେତୃତ୍ୱ ନ ନିଅନ୍ତି, ତେବେ ବିଜେଡି ରହିବ ନାହିଁ । ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ଏହି ମନ୍ତବ୍ୟ ଦଳୀୟ କନ୍ଦଳକୁ ପଦାରେ ପକାଇବା ସହ ଆଗାମୀ ଦିନରେ ବିଜେଡିର ଭବିଷ୍ୟତ କଣ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




