ଜିଲ୍ଲା

Flood Alert: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି, ଉଛୁଳିଲା ସୁବର୍ଣ୍ଣରେଖା ଓ ବୈତରଣୀ, ୫ ତାରିଖ ଯାଏ ବିକ୍ଷିପ୍ତ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର, ୦୩/୦୯: ଏବେ ଯାଏ ବନ୍ୟାରୁ ଆଶ୍ୱସ୍ତି  ମିଳିନଥିଲା । ଅନେକ ଲୋକେ ପାଣି ଘେରରେ ଥିଲେ । ବୋଝ ଉପରେ ନଳିତା ବିଡ଼ା ଭଳି ଉତ୍ତର ଓଡ଼ିଶାରେ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀ ଉଛୁଳିବାରୁ  ବାଲେଶ୍ୱରର ଅନେକ ସ୍ଥାନ ପୁଣି ଥରେ ଜଳବନ୍ଦୀ ହୋଇଛି ।

ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ  ସଙ୍କେତ ପାର୍‌ କରିଛି । ସନ୍ଧ୍ୟା ସୁଦ୍ଧା ଜାମଶୋଳାଘାଟରେ  ସୁବର୍ଣ୍ଣରେଖାର ଜଳସ୍ତର ୫୧.୩୬ ମିଟର ରହିଥିଲା ।  ରାଜଘାଟରେ ଜଳସ୍ତର ୧୧.୬ ମିଟର ରହିବା ସହ ବିପଦ  ସଙ୍କେତ ଉପରେ ଚାଲିଥିଲା । ସୁବର୍ଣ୍ଣରେଖାରେ ବନ୍ୟା  ଆସିବାରୁ ଜଳେଶ୍ୱର, ବାଲିଆପାଳ, ଭୋଗରାଇ ବ୍ଲକର  ନଦୀ ଉପକୂଳ ଅଞ୍ଚଳରେ ବନ୍ୟା ଜଳ ପଶିଛି । ଭୋଗରାଇ,  ବାଲିଆପାଳ ବ୍ଲକରେ ୫୦ରୁ ଊଦ୍ଧ୍ୱର୍ ପଞ୍ଚାୟତର ଲୋକେ  ଜଳବନ୍ଦୀ ଅଛନ୍ତି । ଭୋଗରାଇର ୨୦ ପଞ୍ଚାୟତର ୭୦  ହଜାରରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି । ୧୯ଟି  ସ୍ଥାନରେ ୧୨ ହଜାରରୁ ଅଧିକ ଲୋକଙ୍କ ରନ୍ଧାଖାଦ୍ୟ ଦିଆଯାଉଛି । ଜୁଲାଇ ୨୮ ତାରିଖରେ  ସୁବର୍ଣ୍ଣରେଖାରେ ପ୍ରଥମ ଓ ଅଗଷ୍ଟ ୧୩ରେ ଦ୍ୱିତୀୟ ବନ୍ୟା  ଆସିଥିଲା । ବୁଧବାର ଲଗାତର ତୃତୀୟଥର ପାଇଁ ବନ୍ୟା  ସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନର ପ୍ରାଥମିକ ଆକଳନ  ଅନୁସାରେ ବୁଧବାର ସୁଦ୍ଧା ଭୋଗରାଇ, ବସ୍ତା, ଜଳେଶ୍ୱର,  ବାଲିଆପାଳ, ରେମୁଣା ବ୍ଲକର ୪୧ ପଞ୍ଚାୟତର ୨୧୪ ଗାଁ,  ପୌରାଞ୍ଚଳର ଗୋଟିଏ ୱାର୍ଡର ମୋଟ ୧ ଲକ୍ଷ ୫୭ ହଜାର  ୭୪୭ ଜଣ ପ୍ରଭାବିତ ହୋଇଛନ୍ତି । ବୁଢ଼ାବଳଙ୍ଗ ବନ୍ୟା ପାଇଁ ବାଲେଶ୍ୱର ପୌରପାଳିକା ପ୍ରଭାବିତ ହୋଇଛି ।  ସହର ଉପକଣ୍ଠର ବିଭିନ୍ନ ସ୍ଥାନରେ ପାଣି ପଶିଛି ।

ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବି ଡରାଇଛି ।  ଏନଏଚ-୫ ଗୋବିନ୍ଦପୁରଠାରେ ଜଳସ୍ତର ୭.୬୨  ମିଟର ରହିଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩  ମିଟର । ଏବେସୁଦ୍ଧା ଏଠାରେ ଜଳସ୍ତର ବିପଦ ସଙ୍କେତ  ସ୍ତରଠୁ ତଳେ ଚାଲିଛି । ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି  ରହିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ  ସତର୍କ କରାଇଛନ୍ତି । ଗୁରୁବାର ସନ୍ଧ୍ୟା ଯାଏ ଜଳସ୍ତର ବିପଦ ସଙ୍କେତ ଉପରେ ରହିବ । ଏଥିରେ ଜଳେଶ୍ୱର,  ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହେବ । ଅନ୍ୟ  କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ବୁଢ଼ାବଳଙ୍ଗରେ  ଜଳସ୍ତର ବଢ଼ିଥିଲା, କିନ୍ତୁ ଏବେ ଖସିଲାଣି । ମହାନଦୀରେ  ବନ୍ୟା ସ୍ଥିତି ନାହିଁ ବୋଲି ସେ କହିଛନ୍ତି । ବୈତରଣୀର  ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ତଳେ  ଚାଲିଛି । ବାରମ୍ବାର ବନ୍ୟା ଯୋଗୁ ଘାଇ ମରାମତି  ହୋଇପାରୁନି । ଭଦ୍ରକର ୧୦ରୁ ଅଧିକ ପଞ୍ଚାୟତରେ  ପାଣି ପଶିଛି । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତ ସ୍ଥିତି  ସାଂଘାତିକ ହୋଇଛି । ଯାଜପୁର-ଆରଡ଼ି ରାସ୍ତାରେ ଜଳ  ପ୍ରବାହିତ ହେଉଛି । ଧାମନଗରର ତଳି ଅଞ୍ଚଳରେ ପାଣି  ପଶିଛି । ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ  ମୟୂରଭଞ୍ଜ ଜିଲ୍ଲାର ୨୧ଟି ବ୍ଲକ ସମେତ ବାରିପଦା   ପୌରାଞ୍ଚଳ  ପ୍ରଭାବିତ ହୋଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି,  ଗୁରୁବାରଠାରୁ ରାଜ୍ୟରେ ବର୍ଷା କମିବ ।  ୫ ତାରିଖ ଯାଏ  ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ।  ରାଜ୍ୟରେ ଧୀରେ ଧୀରେ ବର୍ଷା କମିବ । ୮ ତାରିଖ ଯାଏ  ବଡ଼ ବର୍ଷା ଆଶଙ୍କା ନାହିଁ ବୋଲି ସୋଆ ଜଳବାୟୁ ଓ  ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button