Bangladesh Board Only Talk With ICC: ଏବେ ବିସିସିଆଇ ନୁହେଁ କେବଳ ICC ସହ କଥା ହେବୁ: ବାଂଲା କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ: ବାଂଲା କ୍ରିକେଟରଙ୍କୁ ବିଦା କରାଯିବା ପରେ ଭାରତଠାରୁ ପ୍ରତିଶୋଧ ନେଇଛି ବାଂଲାଦେଶ।ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିଦା କରିବା ପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆଇପିଏଲର ସବୁ ମ୍ୟାଚର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି। ବାଂଲାର ଏହି ନିଷ୍ପତ୍ତି କେବଳ କ୍ରିକେଟ୍ ଜଗତକୁ ଆଶ୍ଚର୍ଯ୍ୟ କରିଛି ନାହିଁ ବରଂ ଭାରତ-ବାଂଲାଦେଶ କ୍ରିକେଟ୍ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଏବେ ଆମେ କେବଳ ଆଇସିସି ସହ କଥା ହେବୁ

ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ସଭାପତି ଅମିନୁଲ ଇସଲାମ କହିଛନ୍ତି ଯେ, “ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଜାତୀୟ ଦଳକୁ ଟି-୨୦ ବିଶ୍ବକପ ପାଇଁ ଭାରତ ପଠାଇବାକୁ ନିରାପଦ ମନେ କରୁନାହିଁ। ଏହି ନିଷ୍ପତ୍ତି ନେବା ପୂର୍ବରୁ ଆମେ ନିର୍ଦ୍ଦେଶକ ବୋର୍ଡ ସହିତ ଦୁଇଟି ବୈଠକ କରିଥିଲୁ। ବୈଠକ ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେ ଆମର ଦଳକୁ ଭାରତ ପଠାଇବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଆମେ ICCକୁ ଏକ ଇମେଲ୍ ପଠାଇଛୁ ଯେଉଁଥିରେ ଆମର ସ୍ଥିତି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଆମେ ଏବେ ICCର ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ ଏବଂ ଖୁବ୍ ଶୀଘ୍ର ସେମାନଙ୍କ ସହିତ ସାକ୍ଷାତ କରିବାକୁ ଆଶା କରୁଛୁ। ଏହା ଏକ ICC ଇଭେଣ୍ଟ, ତେଣୁ BCCI ସହିତ ଆଉ କୌଣସି ଆଲୋଚନା ହେବ ନାହିଁ। ଆଇସିସି ଯାହା ନିଷ୍ପତ୍ତି ନେବ, ଆମେ ତାକୁ ପାଳନ କରିବୁ।”

ମୁସ୍ତାଫିଜୁର ରହମାନଙ୍କୁ ୯.୨୦କୋଟି ଟଙ୍କାରେ କିଣିଥିଲା କେକେଆର

ଚଳିତ ବର୍ଷର ଆଇପିଏଲ ପାଇଁ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିଲା। ହେଲେ  ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବା ଦେଖି ମୁସ୍ତାଫିଜୁରଙ୍କୁ ବିଦା କରିବାକୁ ଦାବି କରାଯାଇଥିଲା। ୪ଜଣ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବିବାଦ ବଢ଼ିଥିଲା। କେକେଆର ଓ ବିସିସିଆଇ ଉଭୟ ସମାଲୋଚନାର ଶିକାର ହୋଇଥିଲେ। ବିବାଦ ବଢ଼ୁଥିବା ଦେଖି ବିସିସିଆଇ ମୁସ୍ତାଫିଜୁରଙ୍କୁ ମୁକ୍ତ କରିବାକୁ କେକେଆରକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ କେକେଆର ବାଂଲା କ୍ରିକେଟରଙ୍କୁ ରିଲିଜ୍ କରିଥିଲା। କୌଣସି ବଡ଼ କାରଣ ନଥାଇ ତାଙ୍କୁ ବାହାର କରାଯାଇଥିବାରୁ ବାଂଲାଦେଶରେ ଏହାକୁ ‌ବିରୋଧ କରାଯାଉଛି।

ସୌଜନ୍ୟ ସମ୍ବାଦ