ଓଡିଶା

Kalinga Literature Festival inaugurated: କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

ସାହିତ୍ୟ ଏକ ପ୍ରଭାବଶାଳୀ ଶକ୍ତି। ଯାହା ବିଭାଜନ ନୁହେଁ, ଏକାଠି କରେ। ଦେଶ ସହ ଦେଶକୁ ଯୋଡ଼େ। ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଦେଶକୁ ପ୍ରଗତିଶୀଳ ଓ ପ୍ରଭାବଶାଳୀ କରେ। ଦେଶକୁ ଆଗକୁ ନିଏ।

ଭୁବନେଶ୍ୱର: ସାହିତ୍ୟ ଏକ ପ୍ରଭାବଶାଳୀ ଶକ୍ତି। ଯାହା ବିଭାଜନ ନୁହେଁ, ଏକାଠି କରେ। ଦେଶ ସହ ଦେଶକୁ ଯୋଡ଼େ। ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଦେଶକୁ ପ୍ରଗତିଶୀଳ ଓ ପ୍ରଭାବଶାଳୀ କରେ। ଦେଶକୁ ଆଗକୁ ନିଏ। କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌ (କେଏଲ୍‌ଏଫ୍‌) ବା କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱାଦଶ ସଂସ୍କରଣକୁ ଉଦ୍‌ଘାଟନ କରି ଏଭଳି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

ଆଜି ଭୁବନେଶ୍ୱରର ମେଫେୟାର କନ୍‌ଭେନସନ୍‌ଠାରେ ଆୟୋଜିତ ଏହି ୪ ଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ‘ସାହିତ୍ୟ ସମାଲୋଚନାମୂଳକ ଆଲୋଚନା ଓ ନୈତିକ ପ୍ରତିଫଳନକୁ ପ୍ରତିପୋଷଣ କରିଥାଏ’ ବୋଲି କହିଛନ୍ତି। ଶ୍ରୀଲଙ୍କାର ମନ୍ତ୍ରୀ, ଡ. ଉପାଲି ପନ୍ନିଲାଜେ କହିଛନ୍ତି, ସାହିତ୍ୟ ରାଜନୈତିକ ସୀମାକୁ ଅତିକ୍ରମ କରିଥାଏ ଏବଂ ଦେଶଗୁଡ଼ିକୁ ପୁନଃଆବିଷ୍କାର କରିବାରେ ସାହାଯ୍ୟ କରିଥାଏ। କେଏଲ୍‌ଏଫ୍‌ ଭଳି ମହୋତ୍ସବଗୁଡ଼ିକୁ  ଦକ୍ଷିଣ ଏସିଆରେ ଲୋକମାନଙ୍କ ସଂଯୋଗକୁ ମଜଭୁତ କରୁଛି ବୋଲି ସେ କହିଥିଲେ। ମହୋତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,  ଓଡ଼ିଶା ହେଉଛି ସେହି ରାଜ୍ୟ ଯେଉଁଠାରେ ଚେତନା ଆଗରେ ଖଣ୍ଡା ମୁଣ୍ଡ ନୁଆଁଇଥାଏ। ଏକ ସମାଜ ଚେତନା ଓ ବିବେକ ଆଧାରରେ ଗଠନ ହୋଇଥାଏ। ଏଆଇ ଯୁଗରେ ସାହିତ୍ୟ ମାନବିକ ବୁଦ୍ଧି ଶକ୍ତିର ପ୍ରକୃତ ପରିମାପ ଭାବେ ନିଜର ସ୍ଥାନ ବଜାୟ ରଖିଛି। ଓଡ଼ିଶାକୁ  ଭାରତର ବୌଦ୍ଧିକ ରାଜଧାନୀରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

 

ବିଭାଜନ ନୁହେଁ, ଏକାଠି କରେ ସାହିତ୍ୟ: ଉପମୁଖ୍ୟମନ୍ତ୍ରୀ 
ବୌଦ୍ଧିକ ରାଜଧାନୀରେ ପରିଣତ ହେବ ଓଡ଼ିଶା : ସୂର୍ଯ୍ୟବଂଶୀ ସୂରଜ

ଲୋକପ୍ରିୟ ଲେଖିକା ଓ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଡ. ପ୍ରତିଭା ରାୟ ସାହିତ୍ୟ ସମାଜର ବିବେକ ଏବଂ ସାହିତ୍ୟ ଏକ ଗଭୀର ଅନୁଭୂତି ବୋଲି କହିଥିଲେ। ସମ୍ବାଦ ଓ କନକ ନ୍ୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ ଓଡ଼ିଶାକୁ ଯୁବପିଢ଼ି କେମିତି ଅଧିକରୁ ଅଧିକ ଜାଣିବେ, ଚିହ୍ନିବେ ସେଥିପ୍ରତି ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ନେପାଳର ବିଶିଷ୍ଟ ଲେଖକ ବିନୋଦ ଚୌଧୁରୀ, ଶିଳ୍ପପତି ଓ ସମାଜସେବୀ ଡ.ସୌମ୍ୟରଞ୍ଜନ ସାମଲ ଓ ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କେଏଲ୍‌ଏଫ୍‌ର ସିଇଓ ଓ ପୃଷ୍ଠପୋଷକ ଅଶୋକ କୁମାର ବଳ ମହୋତ୍ସବର ଦୃଷ୍ଟିକୋଣ ଉପରେ ମତବ୍ୟକ୍ତ କରିଥିବା ବେଳେ ମହୋତ୍ସବର ଯାତ୍ରା ସମ୍ପର୍କରେ କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀରଞ୍ଜନ ପରିଡ଼ା କହିଥିଲେ। ଉଦ୍‌ଘାଟନୀ ସମାରୋହରେ ଡ. ବିନୋଦ ଚୌଧୁରୀଙ୍କ ‘ମେଡ୍ ଇନ୍‌ ନେପାଳ’ ଏବଂ  ଅଶୋକ କୁମାର ବଳଙ୍କ ‘ସାମନ୍ତ ଚନ୍ଦ୍ରଶେଖର ପତ୍ରାବଳୀ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

 

ଏହି ଅବସରରେ ଡ. ବିନୋଦ ଚୌଧୁରୀଙ୍କୁ ‘କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଲିଭିଂ ଲିଜେଣ୍ଡ ଆୱାର୍ଡ’, ଅଚ୍ୟୁତାନନ୍ଦ ପତିଙ୍କୁ କଳିଙ୍ଗ ଲିଟେରାରି ଆୱାର୍ଡ, ଡେଜି ରକ୍‌ୱେଲ୍‌ଙ୍କୁ କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଲିଟେରାରି ଆୱାର୍ଡ, ରଞ୍ଜନା ନିରୌଲାଙ୍କୁ କଳିଙ୍ଗ ଲିଟେରାରି ଆୱାର୍ଡ (ଯୁବ ଲେଖକ), ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଗୋବର୍ଦ୍ଧନ ଦୋରାଙ୍କୁ ଓଡିଶା ଲିଭିଂ ଲିଜେଣ୍ଡ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏଥିସହିତ କେଏଲ୍‌ଏଫ୍‌-ପେଙ୍ଗୁଇନ ରିଭ୍ୟୁ ପ୍ରୋଜେକ୍ଟ ଆୱାର୍ଡ ଓ କେଏଲ୍‌ଏଫ୍‌-ସମ୍ବାଦ ବୁକ୍ ରିଭ୍ୟୁ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। କେଏଲ୍‌ଏଫ-ସମ୍ବାଦ ବୁକ୍ ରିଭ୍ୟୁ ପୁରସ୍କାରରେ ପ୍ରଥମ ସ୍ଥାନ ପାଇଥିବା ସ୍ମୃତିରଂଜନ ସେଠୀ, ଦ୍ବିତୀୟ ସନ୍ତୋଷ କୁମାର ଓ ତୃତୀୟ ସ୍ଥାନ ପାଇଥିବା ବିଶ୍ବରଂଜନ ସାହୁ ପୁରସ୍କାର ଗ୍ରହଣ କରିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button