Makar Sankranti: ମକର ସଂକ୍ରାନ୍ତିର କ’ଣ ରହିଛି ପରମ୍ପରା, ଜାଣନ୍ତୁ…
ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଶକ୍ତି, ସ୍ଫୁର୍ତ୍ତି, ତେଜ ଓ ଉର୍ଜ୍ଜା ପ୍ରଦାନକାରୀ, ଋତୁ ମାନଙ୍କର ନିୟାମକ ତଥା ନାନାଦି ଧାର୍ମିକ କିମ୍ବଦନ୍ତୀର ଜୀବନ୍ତ ଦେବତା। ସୌରମାସର ଗଣନାରେ ସୂର୍ଯ୍ୟ ବାରଟି ରାଶିଚକ୍ରକୁ ବାରମାସରେ ପରିକ୍ରମା କରନ୍ତି।

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଶକ୍ତି, ସ୍ଫୁର୍ତ୍ତି, ତେଜ ଓ ଉର୍ଜ୍ଜା ପ୍ରଦାନକାରୀ, ଋତୁ ମାନଙ୍କର ନିୟାମକ ତଥା ନାନାଦି ଧାର୍ମିକ କିମ୍ବଦନ୍ତୀର ଜୀବନ୍ତ ଦେବତା। ସୌରମାସର ଗଣନାରେ ସୂର୍ଯ୍ୟ ବାରଟି ରାଶିଚକ୍ରକୁ ବାରମାସରେ ପରିକ୍ରମା କରନ୍ତି। ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଆସିବା ଦିବସଟିକୁ ‘ମକର ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ସେ ସୂର୍ଯ୍ୟଙ୍କର ପୁତ୍ର ଭାବରେ କଳ୍ପିତ। ଏହିଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ତିଳଜଳ ବା ରାଶି ପଡ଼ିଥିବା ପାଣିରେ ସ୍ନାନ କରି କଳାବସ୍ତ୍ର ପିନ୍ଧନ୍ତି ଏବଂ ଅନ୍ନ, ବସ୍ତ୍ର, ଘୃତ, କମ୍ବଳ ଇତ୍ୟାଦି ଦାନ କରନ୍ତି। ଏପରି କଲେ ଦଶଗୁଣା ଅଧିକ ଫଳ ମିଳେ ବୋଲି କଥିତ ଅଛି।
“ମାଘ ମାସେ ମହାଦେଵଃ ୟୋ ଦାସ୍ୟତି ଘୃତକମ୍ବଳମ୍ସ
ଭୁକ୍ତ୍ଵା ସକଳାନ୍ ଭୋଗାନ୍ ଅନ୍ତେ ମୋକ୍ଷଂ ପ୍ରାପ୍ୟତି”
ଭିନ୍ନ ରାଜ୍ୟରେ ଭିନ୍ନ ନାମରେ ଜଣା ଏହି ଦିନ
ମକରସଂକ୍ରାନ୍ତି ଠାରୁ ଶୀତର ପ୍ରକୋପ କମେ, ଦିନ ବଡ଼ ହୁଏ ଏବଂ ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଏ। ତେଣୁ ଖାଦ୍ୟ ତାଲିକା ମଧ୍ୟ ବଦଳେ। ଭାରତର ବିଭିନ୍ନ ରାଜ୍ୟରେ ଏହି ପର୍ବଟିକୁ ଭିନ୍ନ ଭିନ୍ନ ନାମ ଦିଆଯାଇଛି। ଜାମ୍ମୁରେ ଉତ୍ତରେନ ବା ମାଘୀ ସଙ୍ଗରାଦ କୁହାଯାଏ। ପଞ୍ଜାବରେ ଲୋହଡ଼ି, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟଣ, ଡୋଗ୍ରୀ ଏବଂ ହିମାଚଳପ୍ରଦେଶରେ ଖିଚ୍ଡ଼ି ପର୍ବ, ଉତ୍ତରାଖଣ୍ଡରେ ଘୁଘୁତୀୟା ପର୍ବ, ଆସାମରେ ମାଘ ବିହୁ ବା ଭୋଗାଲୀ ବିହୁ, ବିହାରରେ ଦହିଚୁରା, ମିଥିଳାରେ ତିଲସଂକ୍ରାନ୍ତି, ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା (ଏହିଦିନ ଗଙ୍ଗା ଅବତରଣ ହୋଇଥିଲେ ବୋଲି ବିଶ୍ୱାସ ରହିଛି), ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହିଦିନ ଠାରୁ ମାଘମେଳା ଆରମ୍ଭ ହୁଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକରେ ସୁଗଗୀ ହବ୍ବା, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରାନ୍ତି ତଥା ଆମ ଓଡ଼ିଶାରେ ‘ମକର ସଂକ୍ରାନ୍ତି’ ଭାବରେ ପ୍ରସିଦ୍ଧ। ଦକ୍ଷିଣପଶ୍ଚିମ ପଶ୍ଚିମବଙ୍ଗ, ଦକ୍ଷିଣପୂର୍ବ ଝାଡ଼ଖଣ୍ଡ, ପୂର୍ବୋତ୍ତର ଓଡ଼ିଶାରେ ଆଦିବାସୀ ଜନଜାତିର ଭାଇଭଉଣୀମାନେ ଏହି ଦିନଟିକୁ ‘ଟୁସୁ ପର୍ବ’ ଭାବରେ ପାଳନ କରନ୍ତି। ଚାଉଳ ବାହାର କରିବା ସମୟରେ ଯେଉଁ ଧାନକୁଣ୍ଡା ବାହାରେ ତାକୁ ‘ଟସ୍’ କୁହାଯାଏ। ଏହି ଶବ୍ଦରୁ ଟୁସୁପର୍ବର କଳ୍ପନା ହୋଇଛି। ଫସଲକଟାର ଖୁସିରେ ‘ଟୁସୁ’ ପ୍ରତିମା ତିଆରି କରି ତାକୁ ପୂଜା କରାଯାଏ ଏବଂ ବାଜା ନାଚ ସହ ତାକୁ ନଦୀଜଳରେ ବିସର୍ଜନ କରାହୁଏ। ଟୁସୁଗୀତ ମକରସଂକ୍ରାନ୍ତିର କ୍ଷେତ୍ରୀୟ ବିଳାସ।
ସୌଜନ୍ୟ ସମ୍ବାଦ




