Literature: କେ. ଶ୍ୟାମବାବୁ ଦୋରାଙ୍କ କବିତା ‘

ନଦୀଚକ୍ର

କେ. ଶ୍ୟାମବାବୁ ଦୋରା

ଆମ ନଦୀମାନେ ଓଲଟା ବହିପାରନ୍ତି
ଓ କଥା ହେଇପାରନ୍ତି
ମେଘର ଭାଷାରେ।

କେତେ କାଠିକୁଟା, ଶୁଖିଲାପତ୍ର
କେତେ ଚିଠି, କେତେ ପୁରୁଣା ଗୀତର ଧୁନ୍ ସବୁ
ବହିଯାଇଛି ସ୍ରୋତ ସହ ସ୍ରୋତହେଇ
ମନେ ପକାଇପାରେ ନଦୀ

ନଦୀ ଆମର ନିଃସଙ୍ଗତାକୁ ଚିହ୍ନେ
ତେଣୁ ଭସାଇନିଏ ସମୁଦ୍ର ଆଡ଼କୁ
ସମୁଦ୍ର ସବୁଠୁ ବଡ଼ ଏକାକୀତ୍ବ ସଚରାଚର ସମାଗମର
ସେଠି ଅନେକ ନିଃସଙ୍ଗ ନକ୍ଷତ୍ର ମାଛହେଇ ପହଁରୁଥାନ୍ତି
ଓ ଜଳଚରଙ୍କ ସମବେତ ଗାନରେ ସାମିଲ ହୁଅନ୍ତି

ଆହୁରି ପଢ଼ନ୍ତୁ- Donald Trump: ବିବାଦ ଭିତରେ ପୁଣି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି: ଜାଣନ୍ତୁ କେବେ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ?

ବର୍ଷା ପଡ଼େ, ଗଛଟିଏ ବହିଯାଏ
ଧୋଇ ହେଇଯାଏ ଗୋଟେ ପର୍ବତ
କିଛି ଲିଭିଗଲା ପରେ କିଛି ଅଙ୍କାହୁଏ
ଲିଭାଇ ଦେବାର ଗୋଟେ ହାତ ସହିତ

ଆଜି ରାତି, ମୁଁ ଖୋଲି ରଖିଛି ମୋର ଝରକା
ଝରକା ଭିତର ଦେଇ ପଶି ଆସିଛି ଗୋଟେ ନଦୀ
କିଛି ମନ୍ଦ ମନ୍ଦ ପବନ, ସମୁଦ୍ର ସାରସ, ହଂସ
ନୌକା ଓ ଆକାଶ
କିଛି ଭୋକ, ଆଶ୍ୱାସନା, ଉଲ୍ଲାସ
ଗୋଟେ ନାଁ ଅଜଣା ଅଚିହ୍ନା ଉପଦ୍ୱୀପ

ଲୁହ ଝରାଇ ଅବଶ ହେଇ ପଡ଼ିଥିବା ହଳେ ଆଖି ପରି
କେବେ କେବେ ଶୁଖିଯାଏ ନଦୀ
ହେଲେ କେବେ ଚୁପ୍‌ହେଇ ବସିପାରେନା
ଜାଣିଥାଏ, ପଶ୍ଚାତ୍‌ ଧାବନ ବି ଗୋଟେ ଗତି
ସେ ଇତିହାସକୁ ଆଣି ଥୋଇଦିଏ ଆମ ଆଗରେ
ଯୋଉ ଇତିହାସ ଭିତରୁ ବାହାରିଆସେ
ଚଳପ୍ରଚଳ ଆଉ ଏକ ନଦୀ।

ପୃଥିବୀର ଯୋଉ କୋଣରେ ମୁଁ ଜନ୍ମ ହେଇଥିଲେ ବି
ନଦୀ ମୋର ଭାଷାକୁ ବୁଝେ
ମୁଁ ଗୋଟେ ଗୋଟେ ଗୋଡ଼ି ଫିଙ୍ଗେ ତା’ ଛାତି ଭିତରକୁ
କିଛି ଶବ୍ଦ ନଦୀ ମୋତେ ଫେରାଏ,
କିଛି ବୁଡ଼ିଯାଏ

ନଦୀ କହିଲେ ଖାଲି କ’ଣ ଭସାଇନେବା?
ହେଇପାରେ ସେଇ ସୁକୁମାର ସୁଖର ନଅର
କା’ ଆଖିର ନଦୀରେ ନିଜେ ଭାସିଯାଉଥାଏ!

ମୋ: ୭୦୦୮୯୨୩୨୯୬

ସୌଜନ୍ୟ ସମ୍ବାଦ