Iran Issue: ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ: ‘୫,୦୦୦ ମୃତ୍ୟୁ’, ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ
ଇରାନରେ ପ୍ରଚଳିତ ଶାସନ ବ୍ୟବସ୍ଥାର ଅନ୍ତ ଘଟାଇବା ଦାବିରେ ଚାଲିଥିବା ଆନ୍ଦୋଳନର ତୀବ୍ରତା କମିଥିଲେ ମଧ୍ୟ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଦେଶର ଅନେକ ପ୍ରମୁଖ ଧାର୍ମିକ ନେତା ବିକ୍ଷୋଭକାରୀଙ୍କୁ ଗଣଫାଶୀ ଦେବାକୁ ନୂଆ ଆହ୍ୱାନ ଦେଇଛନ୍ତି

ତେହେରାନ୍: ଇରାନରେ ପ୍ରଚଳିତ ଶାସନ ବ୍ୟବସ୍ଥାର ଅନ୍ତ ଘଟାଇବା ଦାବିରେ ଚାଲିଥିବା ଆନ୍ଦୋଳନର ତୀବ୍ରତା କମିଥିଲେ ମଧ୍ୟ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଦେଶର ଅନେକ ପ୍ରମୁଖ ଧାର୍ମିକ ନେତା ବିକ୍ଷୋଭକାରୀଙ୍କୁ ଗଣଫାଶୀ ଦେବାକୁ ନୂଆ ଆହ୍ୱାନ ଦେଇଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧା ଧମକ ଦେଇଛନ୍ତି। ବିକ୍ଷୋଭ ଓ ଦମନରେ ମୃତ୍ୟୁ ସଂଖ୍ୟା ୫,୦୦୦ ଛୁଇଁବାକୁ ଯାଉଥିବା ବେଳେ ଦେଶରେ ଇଣ୍ଟରନେଟ୍ ସେବା ଏବେ ବି ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଜଣେ ପ୍ରମୁଖ ଧାର୍ମିକ ନେତା କହିଛନ୍ତି ଯେ ବିକ୍ଷୋଭକାରୀମାନଙ୍କୁ ଫାଶୀ ଦେବା ଆବଶ୍ୟକ। ସେ ଟ୍ରମ୍ପଙ୍କୁ ଧମକ ଦେଇ କହିଛନ୍ତି, ଆମେରିକା ଯଦି ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରେ ତେବେ କଠୋର ପ୍ରତିକ୍ରିୟା ମିଳିବ। ଏହି ଧମକ ପରେ ଆନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ବଢ଼ିଛି। ମିଳିତ ଜାତିସଂଘ ଓ ଇଉରୋପୀୟ ସଂଘ ଇରାନକୁ ହିଂସା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଅନେକ ଦେଶ ଇରାନରେ ଥିବା ନିଜ ନାଗରିକଙ୍କୁ ଫେରାଇବା ପାଇଁ ଉଦ୍ଧାର ଯୋଜନା ତ୍ବରାନ୍ବିତ କରିଛନ୍ତି।
ମାନବାଧିକାର ସଂଗଠନ ‘ହ୍ୟୁମାନ୍ ରାଇଟ୍ସ୍ ଆକ୍ଟିଭିଷ୍ଟ୍ସ ନ୍ୟୁଜ୍ ଏଜେନ୍ସି (ଏଚ୍ଆର୍ଏଏନ୍ଏ) ଓ ଇରାନ ହ୍ୟୁମାନ୍ ରାଇଟ୍ସ୍ (ଆଇଏଚ୍ଆର) ଅନୁଯାୟୀ ବିକ୍ଷୋଭ ଆରମ୍ଭ ହେବା ପରଠାରୁ ମୃତ୍ୟୁ ସଂଖ୍ୟା ୫,୦୦୦ର ନିକଟତର ହୋଇଛି। ମୃତକଙ୍କ ମଧ୍ୟରେ ବିକ୍ଷୋଭକାରୀ, ସାଧାରଣ ନାଗରିକ ଓ ସୁରକ୍ଷା କର୍ମଚାରୀ ଅନ୍ତର୍ଭୁକ୍ତ। ସରକାରୀ ବାହିନୀ ଓ ଭଡ଼ାରେ ଆସିଥିବା ବିଦେଶୀ ମର୍ସିନାରିଙ୍କ ଦ୍ୱାରା ସିଧା ଗୁଳିବର୍ଷଣ ଯୋଗୁଁ ମୃତ୍ୟୁସଂଖ୍ୟା ଅତି ଉଦ୍ବେଗଜନକ ରହିଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଏହାକୁ ‘ଗଣହତ୍ୟା’ ବୋଲି ବର୍ଣ୍ଣନା କରି ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି।
ଇରାନ ସରକାର ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରଖିଥିବାରୁ ବିକ୍ଷୋଭ ସଂକ୍ରାନ୍ତ ସଠିକ୍ ସୂଚନା ବାହାରକୁ ଆସିବା କଷ୍ଟକର ହୋଇଛି। ବିକ୍ଷୋଭକାରୀମାନେ ଅର୍ଥନୈତିକ ସଙ୍କଟ, ମୂଲ୍ୟବୃଦ୍ଧି, ବେକାରୀ ଓ ସରକାରୀ ଦମନନୀତି ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି। ଏହି ପରିସ୍ଥିତି ମଧ୍ୟରେ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଇରାନକୁ ହିଂସା ବନ୍ଦ କରିବାକୁ ଓ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଚାପ ପ୍ରୟୋଗ କରୁଛି। ଏହି ଘଟଣା ଇରାନର ରାଜନୈତିକ ସ୍ଥିରତା ଓ ମାନବାଧିକାର ପରିସ୍ଥିତି ଉପରେ ଗଭୀର ପ୍ରଶ୍ନବାଚୀ ଉଠାଇଛି।
ସୌଜନ୍ୟ ସମ୍ବାଦ




