Breaking News

ଯାଜପୁର ସୁନା ଦୋକାନରେ ଡକାୟତି ଘଟଣା: ଡିଆଇଜିଙ୍କ ଉଚ୍ଚସ୍ତରୀୟ ବୈଠକ

ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ତା ଅଳଙ୍କାର ଦୋକାନରେ ଶନିବାର ଘଟିଥିବା ଗୁଳିକାଣ୍ଡ ଓ ଦୁଇଜଣଙ୍କ ହତ୍ୟା ଘଟଣାରେ ଏସ୍‌ଟିଏଫ୍‌, ପାଣିକୋଇଲି ପୁଲିସ ଓ ଯାଜପୁର ସାଇଣ୍ଟିଫିକ ଟିମ୍‌ ତନ୍ନତନ୍ନ କରି ଯାଞ୍ଚ...

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ତା ଅଳଙ୍କାର ଦୋକାନରେ ଶନିବାର ଘଟିଥିବା ଗୁଳିକାଣ୍ଡ ଓ ଦୁଇଜଣଙ୍କ ହତ୍ୟା ଘଟଣାରେ ଏସ୍‌ଟିଏଫ୍‌, ପାଣିକୋଇଲି ପୁଲିସ ଓ ଯାଜପୁର ସାଇଣ୍ଟିଫିକ ଟିମ୍‌ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଦୋକାନରେ ଲାଗିଥିବା ସିସିଟିଭି ହାର୍ଡଡିସ୍କରୁ ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଦୁଇ ଡକାୟତଙ୍କ ପରିଚୟକୁ ଆଜି ସାର୍ବଜନୀନ କରିଛି ପୁଲିସ। ଅଭିଯୁକ୍ତଦ୍ବୟ ବିହାର ଛାପ୍ରା ଜିଲ୍ଲାର ଗହୁନାହ ଥାନା ଅଞ୍ଚଳର ମଧୁକାନ୍ତ ସିଂ(୨୪) ଓ ରୋହିତ ମିଶ୍ରା (୩୦)।

ଏସ୍‌ପିଙ୍କୁ ଭେଟିଲା ଓଡ଼ିଶା ଅଳଙ୍କାର ବ୍ୟବସାୟୀ ସଂଘ

ଯାଜପୁରରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ପାଣିକୋଇଲି ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି, କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ଓ ଅନ୍ୟ ପୁଲିସ ଅଧିକାରୀ ଆଜି ଦିନସାରା ପଣ୍ଡା ଅଳଙ୍କାର ଦୋକାନରେ ରହି ତଥ୍ୟ ସଂଗ୍ରହ କରିବା ସହ ଦୋକାନ ମାଲିକ ଅଶୋକ ପଣ୍ତାଙ୍କୁ ପଚରାଉଚରା କରିଛନ୍ତି। ଅଳଙ୍କାର ଦୋକାନକୁ ଲାଗିଥିବା ସମସ୍ତ ରାସ୍ତାକୁ ମଧ୍ୟ ତନଖି କରିଥିଲା ତଦନ୍ତକାରୀ ଟିମ୍‌। ସେପଟେ ଡକାୟତି ଘଟଣାକୁ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି। ଏଥିରେ ଏସ୍‌ପି ୟଶପ୍ରତାପ ଶ୍ରୀମଲ, ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲାର ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ। ଧରାପଡ଼ିଥିବା ଦୁଇ ଡକାୟତଙ୍କଠାରୁ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କ ବିଷୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଏଭଳି ଲୋମହର୍ଷକ କାଣ୍ଡ ଘଟିଥିବାରୁ ପୁଲିସର ଦକ୍ଷତା ପ୍ରତି ଏକ ବଡ଼ ଆହ୍ବାନ ଛିଡ଼ା ହୋଇଛି। ଏଣେ ଦିନ ଦ୍ବିପ୍ରହରରେ ଅନ୍ତଃରାଜ୍ୟ ଡକାୟତମାନେ ଯେଭଳି ଅଧଘଣ୍ଟା ଧରି ଗୁଳି ଫୁଟାଇଲେ, ତାକୁ ନେଇ ସାଧାରଣ ଲୋକେ ଓ ଜିଲ୍ଲାର ଅଳଙ୍କାର ବ୍ୟବସାୟୀ ଆତଙ୍କିତ ହୋଇ ପଡ଼ିଛନ୍ତି।

ଲୁଟ୍‌ ଘଟଣା ନେଇ ପଣ୍ତା ଅଳଙ୍କାର ମାଲିକ ଅଶୋକ କୁମାର ପଣ୍ତାଙ୍କ ଏତଲା ଅନୁସାରେ ପାଣିକୋଇଲି ଥାନାରେ ୭/୨୫ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଆଜି ଓଡ଼ିଶା ଅଳଙ୍କାର ବ୍ୟବସାୟୀ ସଂଘ ପକ୍ଷରୁ ଏକ ପ୍ରତିନିଧିଦଳ ପଣ୍ତା ଅଳଙ୍କାର ମାଲିକ ଅଶୋକ ପଣ୍ତାଙ୍କୁ ଭେଟିବା ସହିତ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ପରେ ଏସ୍‌ପି ୟଶପ୍ରତାପ ଶ୍ରୀମଲଙ୍କୁ ଭେଟି ଜିଲ୍ଲାରେ ଥିବା ସବୁ ଗହଣା ଦୋକାନକୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ଅଳଙ୍କାର ବ୍ୟବସାୟୀ ସଂଘର ସଭାପତି ସଞ୍ଜୟ କୁମାର ସାହୁ, ସମ୍ପାଦକ ସୌରଭ ରାୟ, ସଙ୍ଗଠନ ସମ୍ପାଦକ ଦିଲୀପ କୁମାର ପୃଷ୍ଟି ଓ ଅନ୍ୟମାନେ ସାମିଲ ଥିଲେ।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.