ଦେଶ ବିଦେଶ

Judgement: ୫ଜଣ ନାବାଳିକା ଦୁଷ୍କର୍ମ ମାମଲାରେ ୭୮ ବର୍ଷୀୟ ଖବରକାଗଜ ମାଲିକଙ୍କୁ ଆଜୀବନ ଜେଲ୍

ମଧ୍ୟପ୍ରଦେଶର ଭୋପାଳରେ ପାଞ୍ଚ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ୭୮ ବର୍ଷୀୟ ଖବରକାଗଜର ପୂର୍ବତନ ମାଲିକ ପ୍ୟାରେ ମିଆଁଙ୍କୁ ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୧୦ଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ପାଞ୍ଚ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ୭୮ ବର୍ଷୀୟ ଖବରକାଗଜର ପୂର୍ବତନ ମାଲିକ ପ୍ୟାରେ ମିଆଁଙ୍କୁ ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୧୦ଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୭୭.୬୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ମଙ୍ଗଳବାର ଅଦାଲତ ଏହି ରାୟ ଶୁଣାଇଥିଲେ। ମାମଲାରେ ତାଙ୍କ ସହଯୋଗୀ ରାବିୟା ବି’ଙ୍କୁ ମଧ୍ୟ ୨୦ ବର୍ଷ କାରାଦଣ୍ଡାଦେଶ ହୋଇଛି।

ପୋକ୍ସୋ ଆଇନ ଓ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅନୁଯାୟୀ ପ୍ୟାରେ ମିଆଁଙ୍କୁ ଦିଆଯାଇଥିବା ୧୦ଟି ଦଣ୍ଡ ମଧ୍ୟରୁ ୮ଟିରେ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡ଼ିବ। ଅନ୍ୟ ଦୁଇଟି ଦଣ୍ଡ ମଧ୍ୟ ଆଜୀବନ କାରାଦଣ୍ଡ। ତେବେ ସମସ୍ତ ଦଣ୍ଡ ଏକକାଳୀନ ଚାଲିବ। ଅର୍ଥାତ୍‌ ଦଣ୍ଡଗୁଡ଼ିକୁ ପର୍ଯ୍ୟାୟକ୍ରମେ ଭୋଗିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ମାମଲାରେ ମଧ୍ୟ ସେ ଚାରିଟି ଆଜୀବନ କାରାଦଣ୍ଡ ପାଇସାରିଛନ୍ତି।

ଅଭିଯୋଗ ଅନୁଯାୟୀ, ପ୍ୟାରେ ମିଆଁ ୨୦୧୪ ମସିହାରୁ ଅସହାୟ ଓ ଗରିବ ପରିବାରର ନାବାଳିକାମାନଙ୍କୁ ଟାର୍ଗେଟ୍‌ କରୁଥିଲେ। ନିଜ ଘରେ ମାସିକ ୧୦ ହଜାର ଟଙ୍କା ଦରମାରେ କାମ ଦେବାର ପ୍ରଲୋଭନ ଦେଖାଇ ସେ ସେମାନଙ୍କୁ ଫସାଉଥିଲେ। ତାଙ୍କ ସହଯୋଗୀ ରାବିଆ ବି’ ନାବାଳିକାମାନଙ୍କୁ ତାଙ୍କ ପାଖକୁ ନେଇ ଆସୁଥିଲେ। ପରେ ସେମାନଙ୍କୁ ବିଭିନ୍ନ ସମୟରେ ଓ ସ୍ଥାନରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସେ ପରିବାରର ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲେ। ଏହାଦ୍ୱାରା ପରିବାରର ବିଶ୍ୱାସ ହାସଲ କରି ନାବାଳିକାମାନଙ୍କୁ ଶୋଷଣ କରୁଥିଲେ।

୨୦୨୦ ଜୁଲାଇ ୧୧ରେ ଭୋପାଳର ଶାହପୁରା ଅଞ୍ଚଳର ଏକ ଫ୍ଲାଟ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଜଣେ ପୀଡ଼ିତା ପରାମର୍ଶ ଅଧିବେଶନ ସମୟରେ କହିଥିଲେ ଯେ ଜନ୍ମଦିନ ପାଳନ କରିବା ବାହାନାରେ ତାଙ୍କୁ ଫ୍ଲାଟ୍‌କୁ ଡକାଯାଇଥିଲା। ସେଠାରେ ତାଙ୍କୁ ଜବରଦସ୍ତ ମଦ ପିଆଯିବା ପରେ ଯୌନ ନିର୍ଯାତନା ଦିଆଯାଇଥିଲା। ପରେ ଅନ୍ୟ ନାବାଳିକାମାନେ ମଧ୍ୟ ସମାନ ଧରଣର ଶୋଷଣ ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ୟାରେ ମିଆଁଙ୍କୁ ଗିରଫ କରିଥିଲା। ଶ୍ରୀନଗରରୁ ଗିରଫ ହେବା ପରେ ତାଙ୍କ ବିରୋଧରେ ମାମଲା ଚାଲିଥିଲା। ସ୍ୱତନ୍ତ୍ର ଅଦାଲତ ଅଭିଯୋଗ ପ୍ରମାଣିତ ହେବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ପି.ଏନ୍‌. ସିଂହ ରାଜପୁତ ଏହି ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button