
ନୂଆବର୍ଷ ନୂଆ ସମ୍ଭାବନା ନେଇ ଆସିଛି। ୨୦୨୬ ମଧ୍ୟ ଫୁଟ୍ବଲ୍ପ୍ରେମୀଙ୍କ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳ ଫୁଟ୍ବଲ୍ର ବିଶ୍ବକପ୍ ଏହି ବର୍ଷ ଖେଳାଯିବ। କେବଳ ବିଶ୍ବକପ୍ ଆସୁଛି ବୋଲି ନୁହେଁ, ଏହା ନୂଆ ରୂପରେ ଓ ନୂଆ କଳେବରରେ ବି ଖେଳାଯିବ। ପୃଥିବୀ ପୃଷ୍ଠର ସବୁଠାରୁ ଆକର୍ଷଣଭରା ଖେଳ ‘ଫୁଟ୍ବଲ୍’ର ବିଶ୍ବକପ୍ ପାରମ୍ପରିକ ଭାବେ ୩୨ ଦଳକୁ ନେଇ ହେଉଥିଲା। ଏଥର କିନ୍ତୁ ୪୮ ଦଳକୁ ସମ୍ପ୍ରସାରିତ ହୋଇଛି। ଆମେରିକାକୁ ପୁଣି ଫୁଟ୍ବଲ୍ ରୋମାନ୍ସ ଫେରିବାର ଆଶା ଓ ଆକାଂକ୍ଷା ରହିଛି। କାନାଡା ଓ ମେକ୍ସିକୋ ଅନ୍ୟତମ ସହ ଆୟୋଜକ ଅଛନ୍ତି।
ସୁରେଶ ସ୍ବାଇଁ
ଜୁନ୍ ୧୧ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଫିଫା ବିଶ୍ବକପ୍-୨୦୨୬ ଖେଳାଯିବ। ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ଉଦ୍ଘାଟନୀ ମୁକାବିଲାରୁ ଅଭିଯାନ ଆରମ୍ଭ ହେବ। ୨୦୧୦ ସଂସ୍କରଣ ଭଳି ଉଦ୍ଘାଟନୀ ମୁକାବିଲାର ପୁନରାବୃତ୍ତି ହେଉଛି। ଅନେକ ଦୃଷ୍ଟିକୋଣରୁ ଏହା ନୂଆ ନୂଆ ଅଧ୍ୟାୟ ସଂଯୋଗ କରିବ। ଯେଉଁ ଆଜ୍ଟେକା ଷ୍ଟାଡିୟମ୍ରେ ପୂର୍ବରୁ ଡିଏଗୋ ମାରାଡୋନା ଓ ପେଲେ ଫୁଟ୍ବଲ୍ ବିଶ୍ବକପ୍ ତୋଳି ଧରିବାର ଐତିହାସିକ ମୁହୂର୍ତ୍ତ ରଖିଛନ୍ତି ସେହିଠାରେ ଖେଳିବେ ଏହି ଦୁଇ ଦେଶ। ମେକ୍ସିକୋ ସିଟିରେ ଅବସ୍ଥିତ ବାନୋର୍ଣ୍ଣ ଷ୍ଟାଡିୟମ୍ ହିଁ ଆଜ୍ଟେକା ଷ୍ଟାଡିୟମ୍ ନାମରେ ପରିଚିତ। ୩ ଦେଶ ୧୬ ସହରରେ ଖେଳାଯିବ ରେକର୍ଡ ୧୦୪ ମ୍ୟାଚ୍। ଯାହାକି ଗତ ୨୦୨୨ ସଂସ୍କରଣ ତୁଳନାରେ ୪୦ ଅଧିକ।
ଏହି ଅବସରରେ କିଛି ନୂଆ କଥା ସମ୍ପର୍କରେ ଆଲୋଚନା କରିବାର ବେଳ ଆସିଛି। ସାଧାରଣତଃ ଫିଫା ବିଶ୍ବକପ୍ ଗୋଟିଏ ଦେଶ ଏକାକୀ ଆୟୋଜନ କରିଥାଏ। ଏଥର ପ୍ରଥମଥର ପାଇଁ ତିନି ଦେଶ ମିଳିତ ଭାବେ ଆୟୋଜକ ରହିଛନ୍ତି। ୨୦୦୨ରେ ଏହି ଧାରା ଭାଙ୍ଗିଥିଲା। ଦୁଇ ଏସୀୟ ଦେଶ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥର ଆମେରିକା ସହିତ ମେକ୍ସିକୋ ଓ କାନାଡା ଯୁଗ୍ମ ଆୟୋଜକ ରହିଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ ଦ୍ବିତୀୟଥର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଅବଶ୍ୟ କାନାଡା ଓ ମେକ୍ସିକୋ ସହିତ ଆମେରିକାର ସମ୍ପର୍କ ଟିକିଏ ବିଗିଡ଼ିଯାଇଛି। ଏହା ଫିଫା ବିଶ୍ବକପ୍କୁ ପ୍ରଭାବିତ କରିବ ନାହିଁ ବୋଲି ବିଶ୍ବାସ କରାଯାଉଛି। ସେହିଭଳି ଆପଣ ପସନ୍ଦ କି ଘୃଣା କରନ୍ତୁ ଅଧିକ ଦଳ (+୧୬) ଓ ଅଧିକ ମ୍ୟାଚ୍ (+୪୦) ଭଳି ସାହସିକ ନିଷ୍ପତ୍ତି ନେଇଥିବା ଫିଫା ସଭାପତି ଜିଆନି ଇନ୍ଫାଣ୍ଡିନୋ ପ୍ରଶଂସକଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଆଣି ଦେଇଛନ୍ତି। କତର ସଂସ୍କରଣ ତୁଳନାରେ ଅଧିକ ୧୦ ଦିନ ବି ପ୍ରତିଯୋଗିତା ଚାଲିବ। ନିୟୁ ଜର୍ସିରେ ଜୁଲାଇ ୧୯ ତାରିଖରେ ଏହା ଫାଇନାଲ୍ ମ୍ୟାଚ୍ ସହିତ ସମାପିତ ହେବ।
ନିନ୍ଦୁକମାନେ ଆଶଙ୍କା ପ୍ରକଟ କରିଛନ୍ତି ଯେ ଅଧିକ ଦଳ ଓ ମ୍ୟାଚ୍ ସାମଗ୍ରିକ ଗୁଣବତ୍ତାକୁ ହ୍ରାସ କରିବ, କିନ୍ତୁ ଫୁଟ୍ବଲକୁ ବିଶ୍ବବିଦିତ କରିବାରେ ଯୋଗ୍ୟତା ଅର୍ଜନ କରିଥିବା ନୂଆ ଦେଶଗୁଡ଼ିକୁ ପଦାର୍ପଣ ସୁଯୋଗ ବି ଦେଇଛି ଏଥର ବିଶ୍ବକପ୍। କାପେ ଭର୍ଦେ, କୁରାକାଓ, ଜୋର୍ଡାନ୍ ଓ ଉଜ୍ବେକିସ୍ତାନ୍ ଏଥର ବିଶ୍ବ ମଇଦାନରେ ପଦାର୍ପଣ ସୁଯୋଗ ହାତେଇଛନ୍ତି। କାପେ ଭର୍ଦେ ଓ କୁରାକାଓର ଜନସଂଖ୍ୟା ଭାରତର ଚେନ୍ନାଇ ସହରଠାରୁ ବି କମ୍। ଦଳ, ଆୟୋଜକ, ପ୍ରଶାସକ, ପ୍ରଶଂସକଙ୍କୁ ବି ଏଥର ଅଧିକ ଯାତ୍ରା କରିବାକୁ ପଡ଼ିବ। ସବୁଠାରୁ ଦୂର ରହିଛି ଭାଙ୍କୋଭର୍ ଓ ମିଆମି, ଯାହା ମଧ୍ୟରେ ଦୂରତା ହେଉଛି ୪୫୦୭ କିଲୋମିଟର୍। ସେହିଭଳି ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଜର୍ମାନୀ ହଷ୍ଟନ୍ରୁ ଟରୋଣ୍ଟୋ ଓ ନିୟୁ ଜର୍ସି ପହଞ୍ଚିବାକୁ ମୋଟ ୨୬୧୯ କିଲୋମିଟର୍ ଯାତ୍ରା କରିବ।
ଫୁଟ୍ବଲ୍ ପାଇଁ ‘ହାଇଡ୍ରେସନ୍ ବ୍ରେକ୍’ ନୂଆ କଥା ନୁହେଁ। ଏଥର କିନ୍ତୁ ପିଫା ନୂଆ ନିଷ୍ପତ୍ତିକ୍ରମେ ରେଫରିକୁ କହିଛନ୍ତି, ପାଗ ନିର୍ବିଶେଷରେ ଉଭୟାର୍ଦ୍ଧର ମଝିରେ ଅର୍ଥାତ୍ ୨୨ ମିନିଟ୍ ଅନ୍ତରରେ ଦୁଇଟି ବିରାମ ରଖିବାକୁ। ପୂର୍ବରୁ ତାପମାତ୍ରା ୩୧ ଡିଗ୍ରି ଉପରକୁ ରହୁଥିଲେ ଉଭୟାର୍ଦ୍ଧରେ ମୋଟ ଉପରେ ୩୦ ମିନିଟ୍ର ‘କୁଲିଂ ବ୍ରେକ୍’ ରହୁଥିଲା। ଗୋଟିଏ ନୂଆ ସମସ୍ୟା କିନ୍ତୁ କିଛି ଦେଶର ପ୍ରଶଂସକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଥିବା ଇରାନ୍ ଓ ହାଇତି ଉପରେ ଗତ ଜୁନ୍ରେ ଟ୍ରମ୍ପ୍ ଭ୍ରମଣ କଟକଣା ଲାଗୁ କରିଛନ୍ତି। ଡିସେମ୍ବରରେ ଆଇଭରି କୋଷ୍ଟ୍ ଓ ସେନେଗାଲ୍ ଭଳି ଦେଶ ଉପରେ ବି ଆଂଶିକ କଟକଣା ଜାରି ହୋଇଛି। ଯାହାକି ସମ୍ପୃକ୍ତ ଦେଶର ପ୍ରଶଂସକଙ୍କୁ ଆମେରିକା ଗସ୍ତ କରିବାରୁ ରୋକିବ। ତଥାପି ଫିଫା ବିଶ୍ବକପ୍ର ଏହି ସମ୍ପ୍ରସାରିତ ରୂପକୁ ସଫଳ କରାଇବା ଦିଗରେ ଆମେରିକା ଓ ଟ୍ରମ୍ପ୍ଙ୍କ ପାଇଁ ବଡ଼ ଆହ୍ବାନ ରହିବ ଏଥିରେ କୌଣସି ଦ୍ବିରୁକ୍ତି ନାହିଁ।
ସୌଜନ୍ୟ ସମ୍ବାଦ




