Awards: କେନ୍ଙ୍କୁ ବାଲାନ୍ ଡି’ଓର୍ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍ ଫୁଟ୍ବଲର୍ ଭାବେ ଜିତିଲେ
ଇଂଲଣ୍ଡ ଫୁଟ୍ବଲର୍ ହ୍ୟାରି କେନ୍ଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି। ସୋମବାର ଫୁଟ୍ବଲ୍ର ସବୁଠୁ ବଡ଼ ବ୍ୟକ୍ତିଗତ ସମ୍ମାନ ବାଲାନ୍ ଡି’ ଓର୍ ପୁରସ୍କାର ସେ କରାୟତ୍ତ କରିଛନ୍ତି। ଏଥିସହ ପ୍ରାୟ ୨୫ ବର୍ଷ ପରେ ଜଣେ ଇଂଲିସ ଖେଳାଳି ଭାବେ ସେ ଏହି ସମ୍ମାନ ପାଇବାର ଗୌରବ ପାଇଛନ୍ତି।

ଲଣ୍ଡନ: ଇଂଲଣ୍ଡ ଫୁଟ୍ବଲର୍ ହ୍ୟାରି କେନ୍ଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି। ସୋମବାର ଫୁଟ୍ବଲ୍ର ସବୁଠୁ ବଡ଼ ବ୍ୟକ୍ତିଗତ ସମ୍ମାନ ବାଲାନ୍ ଡି’ ଓର୍ ପୁରସ୍କାର ସେ କରାୟତ୍ତ କରିଛନ୍ତି। ଏଥିସହ ପ୍ରାୟ ୨୫ ବର୍ଷ ପରେ ଜଣେ ଇଂଲିସ ଖେଳାଳି ଭାବେ ସେ ଏହି ସମ୍ମାନ ପାଇବାର ଗୌରବ ପାଇଛନ୍ତି। ଶେଷ ଥର ଲାଗି ୨୦୦୧ରେ ମିଚେଲ ଓଏନ୍ ଇଂଲିସ୍ ଖେଳାଳି ଭାବେ ଏହି ପୁରସ୍କାର ପାଇଥିଲେ।
ପୁରସ୍କାର ପାଇବା ପରେ କେନ୍ କହିଥିଲେ, ‘‘ୱା..ୱା.. ୱା.. ଆଜି ମୁଁ ନିଃଶବ୍ଦ। ଲଣ୍ଡନରେ ଉପସ୍ଥିତ ରହିବା, ଏହି ମୁହୂର୍ତ୍ତକୁ ଆହୁରି ବିଶେଷ କରିଦେଇଛି। ଆଜି ରାତି ମୋ ପାଇଁ ଶୁଭ ସଙ୍କେତ ନେଇ ଆସିଛି। ମୋତେ ଭୋଟ୍ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଚଳିତ ବର୍ଷ ପ୍ରତିଯୋଗିତା ବେଶ୍ କଠିନ ଥିଲା। ଏଠାରେ ବିଶ୍ୱସ୍ତରୀୟ ଖେଳାଳିମାନେ ଉପସ୍ଥିତ ଅଛନ୍ତି। ସମସ୍ତ ବିଜେତା ଓ ମନୋନୀତ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ। ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ମାଧ୍ୟମରେ କେତେ ସଫଳତା ହାସଲ କରାଯାଇପାରେ, ତାହା ଆପଣମାନେ ପ୍ରମାଣିତ କରିଛନ୍ତି।’’
ପୁରସ୍କାର ଦୌଡ଼ରେ ଥିବା ଗତ ବିଶ୍ବକପ୍ର ସର୍ବାଧିକ ଗୋଲ୍ ଦେଇଥିବା ରିଅଲ୍ ମାଡ୍ରିଡ୍ର ଫ୍ରାନ୍ସ ଖେଳାଳି କାଇଲିଆନ୍ ଏମ୍ବାପେ ଓ ବାର୍ସିଲୋନାର ସ୍ପେନୀୟ ତାରକା ଲାମିନେ ୟାମାଲଙ୍କୁ ପଛରେ ପକାଇ କେନ୍ ଏହି ପୁରସ୍କାର ଜିତିଥିଲେ। ଏହି ବେୟର୍ନ ମୁନିକ୍ ଖେଳାଳି ୨୦୨୫-୨୬ ଋତୁରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଇଂଲଣ୍ଡ ଅଧିନାୟକ ବେୟର୍ନ ପାଇଁ ୫୧ ମ୍ୟାଚ୍ ଖେଳି ୬୧ ଗୋଲ୍ ଦେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଦଳ ଜର୍ମାନ ଲିଗ୍ ଓ ଘରୋଇ କପ୍ ଟାଇଟଲ୍ ଜିତି ପାରିଥିଲା। ବିଶ୍ବକପ୍ରେ ସେ ୬ ଗୋଲ୍ ଦେଇ ଇଂଲଣ୍ଡକୁ ସେମିଫାଇନାଲ୍ରେ ପହଞ୍ଚାଇଥିଲେ। ଏଥିସହ ସେ ଇଂଲଣ୍ଡ ପକ୍ଷରୁ ବିଶ୍ବକପ୍ ଏବଂ ଦେଶର ସର୍ବାଧିକ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୨୦୨୫-୨୬ରେ ଉଭୟ ଦେଶ ଓ କ୍ଲବ୍ ପକ୍ଷରୁ ସେ ୭୩ ଗୋଲ୍ କରି ୟୁରୋପର ସର୍ବାଧିକ ଗୋଲ୍ ସ୍କୋରର୍ ଭାବେ ଋତୁ ଶେଷ କରିଥିଲେ। ଯୁବ ବୟସରେ ଟୋଟେନହାମ ହଟ୍ସପୁରରୁ ପେସାଗତ ଫୁଟ୍ବଲ୍ କ୍ୟାରିୟର ଆରମ୍ଭ କରିିଥିବା କେନ୍ ୨୦୨୩ରେ ବେୟର୍ନ ମୁନିକ୍ରେ ଯୋଗ ଦେଇଥିଲେ।
ସୌଜନ୍ୟ ସମ୍ବାଦ




