ବିଳମ୍ବିତ ରାତ୍ରିଭୋଜନ ଏକ ସୁସ୍ଥ ଜୀବନଶୈଳୀର ପରିପନ୍ଥୀ। କିନ୍ତୁ ଆଜିର ବ୍ୟସ୍ତବହୁଳ ସମାଜରେ ଅଧିକାଂଶ ଲୋକ ନିଜନିଜ କାର୍ଯ୍ୟରୁ ଘରକୁ ବିଳମ୍ବରେ ଫେରିବା ସହ କ୍ଲବ୍, ମନୋରଞ୍ଜନ ଆଦି ପାଇଁ ସମୟ ଦେବା ପରେ ରାତିରେ ଖୁବ୍ ବିଳମ୍ବରେ ଭୋଜନ ଗ୍ରହଣ କରିବା ଏକ ନିୟମିତ ଅଭ୍ୟାସ ହେଲାଣି। ତେବେ ଏହା ଦ୍ବାରା ସୁସ୍ଥ ଥିବା ମଣିଷଟି କ୍ରମଶଃ ଅସୁସ୍ଥ ହୋଇପଡ଼େ ଓ ଅସୁସ୍ଥ ଲୋକଟିର ସ୍ବାସ୍ଥ୍ୟ ଜଟିଳତା ଆହୁରି ବଢ଼ିଯାଏ। ସୁସ୍ଥ ରହିବା ପାଇଁ କେବଳ ଯେ ଉପଯୁକ୍ତ ଖାଦ୍ୟ ଆବଶ୍ୟକ ନୁହେଁ, ଠିକ୍ ସମୟରେ ଖାଇବା ସର୍ବାଧିକ ଆବଶ୍ୟକ। ଆନ୍ତର୍ଜାତିକ ସ୍ତରର ପ୍ରଖ୍ୟାତ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଆପଣ ରାତ୍ରିଭୋଜନରେ କ’ଣ ଖାଉଛନ୍ତି ତାହା ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। କିନ୍ତୁ କେତେବେଳେ ଖାଉଛନ୍ତି ତାହା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ।

