Aam Bazaar: ତୁଟୁନି ‘ଆମ ବଜାର’ ପଞ୍ଜୀକରଣ ଅଡ଼ୁଆ: ଘର ଦୁଆରେ ଖୋଲିଦେଲେଣି ଦୋକାନ, ପଞ୍ଜୀକରଣ ଅର୍ଥ ଦେବାକୁ ଅରାଜି ବିଡିଏ

ଭୁବନେଶ୍ବର: ଯେଉଁଠି ଘର ମିଳିବ, ସେଠି ପରିବାର ପ୍ରତିପୋଷଣ ପାଇଁ ବ୍ୟବସାୟର ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ବସ୍ତିବାସିନ୍ଦା ମୁଣ୍ଡ ଗୁଞ୍ଜିବାକୁ ଛାତଘର ପାଇବେ, ଏଥିସହ ସେମାନଙ୍କ ପରିବାର ପ୍ରତିପୋଷଣରେ କିଛି ଅସୁବିଧା ହେବନି। ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଏଥିପାଇଁ ପ୍ରତି ଆଫର୍ଡେବଲ୍‌ ହାଉସିଂ ଯୋଜନାରେ ନିର୍ମାଣ ଆବାସ ପ୍ରକଳ୍ପରେ ‘ଆମ ବଜାର’ ସୁବିଧା କରାଗଲା। କିନ୍ତୁ ପଞ୍ଜୀକରଣ ଅଡ଼ୁଆ ପାଇଁ ‘ଆମ ବଜାର’ର ଭାଗ୍ୟ ଫିଟିପାରୁନି। ଏହି ଜାଗା କାହା ନାମରେ ପଞ୍ଜୀକରଣ ହେବ ଏବଂ ପଞ୍ଜୀକରଣ ଅର୍ଥ କେଉଁଠୁ ଭରଣା ହେବ, ସେହି ଦ୍ବନ୍ଦ୍ବରେ ରହିଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ। ଫଳସ୍ବରୂପ ‘ଆମ ବଜାର’ର ଦୋକାନ ଘର ଅଦ୍ୟାବଧି ବସ୍ତିବାସିନ୍ଦାଙ୍କୁ ମିଳିପାରିନି। ତେଣୁ ଲୋକେ  ନିଜ ନିଜ ଘର ଆଗରେ ଦୋକାନ ଖୋଲି ସାରିଲେଣି।